ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୧୧ଟି ମାଓ ପ୍ରବଣ ରାଜ୍ୟମାନଙ୍କରେ ବିକାଶ ସମ୍ବନ୍ଧିତ ଖର୍ଚ୍ଚ ରାଶିକୁ ବୃଦ୍ଧି କରାଯିବ। ମାଓ ପ୍ରବଣ ଇଲାକାରେ ବିକାଶ କାର୍ଯ୍ୟ ବୃଦ୍ଧି କରିବା ସହ ସ୍ଥାନୀୟ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ନକ୍ସଲ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରୁ ପ୍ରୟାସ କରାଯିବ। ମାଓ ପ୍ରବଣ ଇଲାକାରେ ସିଭିକ ଆକ୍ସନ ପ୍ରୋଗ୍ରାମ ଅନ୍ତର୍ଗତ ବଜେଟ୍କୁ ୩୫ ରୁ ୪୦ ପ୍ରତିଶତ ମଧ୍ୟ ବୃଦ୍ଧି କରାଯିବା ନେଇ ଯୋଜନା କରାଯାଉଛି। ବର୍ତ୍ତମାନ ମାଓ ଅଧ୍ୟୁଷିତ ଇଲାକାମାନଙ୍କ ସିଭିକ୍ ଆକ୍ସନ ପ୍ରୋଗ୍ରାମ ପାଇଁ ପ୍ରତ୍ୟେକ ବର୍ଷ ୨୦ କୋଟି ଟଙ୍କା ଦିଆଯାଇଛି। ମିଡିଆ ପ୍ଲାନ ଅନ୍ତର୍ଗତ ପ୍ରଚାର, ପ୍ରସାର ଓ ସଚେତନତା କାର୍ଯ୍ୟ ପାଇଁ ବାର୍ଷିକ ୭ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି। ସରକାରଙ୍କ ଯୋଜନା ଅନୁସାରେ ନକ୍ସଲ ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବଳର କମ୍ପାନୀ ମାନଙ୍କୁ ସ୍ଥାନୀୟ କଲ୍ୟାଣକାରୀ କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାଦ୍ବାରା ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ ପାରିବ ବୋଲି ଜଣାପଡ଼ିଛି।। ବର୍ତ୍ତମାନ ପ୍ରତ୍ୟେକ କମ୍ପାନିକୁ ଦୁଇ ଲକ୍ଷ ଟଙ୍କାର ଅର୍ଥ ରାଶି ମିଳୁଛି । ସଚେତନତା କାର୍ଯ୍ୟ ପାଇଁ ପୂର୍ବ ଅପେକ୍ଷା ଅଧିକ ଅର୍ଥରାଶିର ବ୍ୟବସ୍ଥା କରାଯିବ, ଯାହାଦ୍ବାରା ସ୍ଥାନୀୟ ଭାଷାରେ ଆଦିବାସୀମାନଙ୍କ ପାଇଁ ରେଡ଼ିଓ କାର୍ଯ୍ୟକ୍ରମ ଏବଂ ଅନ୍ୟ ମାଧ୍ୟମରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉତ୍ସାହିତ କରାଯିବା ନେଇ ଅଭିଯାନ ଆରମ୍ଭ ହେବ। ମାଓ ପ୍ରବଣ ଇଲାକାର ପରିଚାଳନା ପାଇଁ ବର୍ତ୍ତମାନ କେନ୍ଦ୍ରୀୟ ଏଜେନ୍ସୀ ମାନଙ୍କୁ ଦିଆଯାଉଥିବା ପାଖାପାଖି ୫୦ କୋଟି ଟଙ୍କାର ବାର୍ଷିକ ରାଶିକୁ ମଧ୍ୟ ବୃଦ୍ଧି କରାଯିବାର ସରକାର ଯୋଜନା କରିଛନ୍ତି । ଉଲ୍ଲେଖଯୋଗ୍ୟ କେନ୍ଦ୍ରରେ ମୋଦୀ ସରକାର-୨ ଦାୟିତ୍ବ ନେବା ପରେ ମାଓ ସମସ୍ୟାକୁ ନେଇ ସମୀକ୍ଷା ବୈଠକ କରାଯାଇଥିଲା। ଏତଦ୍ବ୍ୟତୀତ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମାଓ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ।
ମାଓ ପ୍ରବଣ ଇଲାକାରେ ବିକାଶ ପାଇଁ ଖର୍ଚ୍ଚରାଶି ବୃଦ୍ଧି କରାଯିବ
/sambad/media/post_attachments/wp-content/uploads/2019/06/naxa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)