ପ୍ରତିଶୋଧ ନେଲେ ନକ୍ସଲ: ପରିବାରର ୪ଜଣଙ୍କୁ ହତ୍ୟା କରି ଘରକୁ ବୋମାରେ ଉଡ଼ାଇଦେଲେ

ପାଟନା: ବିହାରରେ ମହାରାଷ୍ଟ୍ରରେ ପୁଲିସର ମାଓଦମନ ନୀତିର ପ୍ରତିଶୋଧ ନେଇଛନ୍ତି ନକ୍ସଲ । ବିହାରର ଗୟା ଜିଲ୍ଲାରୁ ଆସିଥିବା ଖବର ପରେ ମାଓବାଦ ଏକ ଆଦର୍ଶ ବୋଲି ଭାବୁଥିବା ଲୋକମାନେ ଏହାକୁ ଭୁଲ ବୋଲି ମାନିବାକୁ ବାଧ୍ୟ ହେବେ । ନକ୍ସଲମାନେ ଗୟା ଜିଲ୍ଲାର ଗୋଟିଏ ପରିବାରର ୪ ଜଣଙ୍କୁ ଫାଶିରେ ଝୁଲାଇ ହତ୍ୟା କରିଥିବା ଜଣାପଡ଼ିଛି । କେବଳ ହତ୍ୟା କରିନାହାନ୍ତି ମାଓବାଦୀମାନେ ସଂପୃକ୍ତ ଘରକୁ ବୋମା ମାଡ଼କରି ଉଡାଇ ଦେଇଛନ୍ତି । ଏଭଳି ଅଭିଯାନ ସଫଳ ହେବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ମଧ୍ୟ ଛାଡି ଯାଇଛନ୍ତି । ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଗୟା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଡୁମାରିଆ ଥାନା ଅଞ୍ଚଳର ମୋନବାର ଗାଁରେ ରହୁଥିବା ସରଜୁ ସିଂଙ୍କ ଘରେ ଶନିବାର ମଧ୍ୟରାତ୍ରରେ ନକ୍ସଲମାନେ ପଶିଥିଲେ । ସରଜୁଙ୍କ ସମେତ ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅକୁ ଫାଶିରେ ଝୁଲାଇ ହତ୍ୟା କରିଥିଲେ ନକ୍ସଲ। ଏହି ଘଟଣା ଘଟାଇବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ଛାଡିଯାଇଛନ୍ତି । ଚିଠିରେ ଲେଖାଯାଇଛି ଯେ, କିଛିଦିନ ପୂର୍ବରୁ ୪ ଜଣ ନକ୍ସଲଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା ଓ ଏହାକୁ ଏନକାଉଣ୍ଟରର ରୂପ ଦିଆଯାଇଥିଲା । ଏହି ଷଡଯନ୍ତ୍ରରେ ସରଜୁର ପରିବାର ସଂପୃକ୍ତ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ପୂର୍ବ ଗୟା ଜିଲ୍ଲାର ଡୁମାରିଆ ଥାନା କ୍ଷେତ୍ରରେ ୪ ଜଣ ନକ୍ସଲଙ୍କୁ ପୁଲିସର କୋବ୍ରା ବାହିନୀ ଏନକାଉଣ୍ଟର କରି ହତ୍ୟା କରିଥିଲା । ଏହାକୁ ନେଇ ନକ୍ସଲ ସଂଗଠନ କହିଥିଲା ଯେ, ଯେଉଁ ଘରେ ନକ୍ସଲମାନେ ଲୁଚିଥିଲେ ସେଠାରେ ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିଲା ଓ ଏହାକୁ ଏନକାଉଣ୍ଟରର ରୂପ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର