ଭୁବନେଶ୍ବର: ବୁଝି ହେଉନି ମାଓବାଦୀଙ୍କ ଚାଲ୍ । କଣ ଚାଲିଛି ସେମାନଙ୍କ ମୁଣ୍ଡରେ । କେବେ ସୁରକ୍ଷା କର୍ମୀଙ୍କ ଗୁଳିର ଗର୍ଜନ ଏବଂ ନନଷ୍ଟପ୍ ଅପରେସନରେ ଛାନିଆ ହେଇ ତ୍ରାହି ତ୍ରାହି ଡାକୁଛନ୍ତି ଆଉ ଆତ୍ମସମର୍ପଣ ଓ ଅସ୍ତ୍ରବିରତିର ଅନୁରୋଧ କରୁଛନ୍ତି ପୁଣି କେବେ ନୀଳବର୍ଣ୍ଣ ଶୃଗାଳ ପରି ରଙ୍ଗ ବଦଳାଇ ପୁଣି ନୀରିହ ଲୋକଙ୍କୁ ମାରୁଛନ୍ତି, ପୋଲିସ ଇନଫରମର ସନ୍ଦେହରେ ହତ୍ୟା କରୁଛନ୍ତି । ଅଜବ ଏମାନେ… କେବେ ଶାନ୍ତିବାର୍ତ୍ତା ପାଇଁ ଡହଳ ବିକଳ ପୁଣି କେବେ ରକ୍ତମୁଖା ସାଜୁଛନ୍ତି ।
/filters:format(webp)/sambad/media/media_files/2025/03/31/LHE5Lf310eFDOYaKG4EP.jpg)
ଲଗାତାର ପୁଲିସର ଅପରେସନରେ ଲାଲଗଡ଼ ଧରାଶାୟୀ ହୋଇଛି । ଗତ କିଛି ଦିନରେ କେନ୍ଦ୍ରୀୟ କମିଟି ସମେତ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ନକ୍ସଲଙ୍କୁ ଦୋହଲାଇ ଦେଇଛି । ଏହାପରେ ନକ୍ସଲ ବାଧ୍ୟ ହୋଇ ଅସ୍ତ୍ର ବିରତି ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ଗୋଟିଏ ପଟେ ଶାନ୍ତିବାର୍ତ୍ତା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଦୁଇ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ନକ୍ସଲ।
ଗୋଟିଏ ଘଟଣା ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର ଅରଣପୁର ଥାନା ଅନ୍ତର୍ଗତ ନିଲାବାୟା ଗ୍ରାମରେ ଘଟିଛି । ଜଣେ ଗ୍ରାମବାସୀକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗ୍ରାମବାସୀ ଜଣକ ହେଲେ ବଣ୍ଡି କୋର୍ରାମ। ପୁଲିସ ସୂଚନାଦାତା ସଂଦେହରେ ହତ୍ୟା କରାଯାଇଥିବା ଜଣାପଡିଛି। ସେହିପରି ଅନ୍ୟ ଏକ ଘଟଣାରେ ବିଜାପୁର ଜିଲ୍ଲାର ଜଂଗଲା ଥାନା ଅନ୍ତର୍ଗତ ବେଚରାମ ଗ୍ରାମର ଦଶରୁ ରାମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଦଶରୁଙ୍କୁ ମଧ୍ୟ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରିଥିବା କୁହାଯାଇଛି। ଲଗାତାର ନକ୍ସଲ ବସ୍ତର ଅଂଚଳରେ ଆଦିବାସୀଙ୍କୁ ହିଁ ଟାର୍ଗେଟ କରୁଛନ୍ତି । ଗୋଟେ ପଟେ ନକ୍ସଲଙ୍କ ଅସ୍ତ୍ରବିରତି ନିବେଦନ, ଅନ୍ୟପଟେ ନିର୍ମମ ହତ୍ୟା ମାଓବାଦୀଙ୍କ ଦୋମୁହାଁ ନୀତିର ପରିଚୟ ଦେଇଛି ।
/filters:format(webp)/sambad/media/media_files/2025/05/09/zAeLm9XdnCbzJrKdjUeh.jpg)
ଧିରେଧିରେ ଶେଷ ନିଶ୍ବାସ ନେଉଛି ମାଓବାଦୀ ସଂଗଠନ । ତଥାପି ସଂଗଠନର ଅସ୍ତିତ୍ବ ବଞ୍ଚାଇ ରଖିବାକୁ ପୂରା ଜୋର୍ ଲଗାଇଛି। ସଂପୂର୍ଣ୍ଣ ମୂଳପୋଛ ହେବା ପୂର୍ବରୁ ଯୁଦ୍ଧ ବିରତି ଲାଗି ପୁଣି ନିବେଦନ କରାଯାଇଛି । ସରକାରଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ସଂଗଠନ । ମାଓ ଦମନ ଅଭିଯାନ ଜୋର୍ଦାର ହେବା ପରେ ଲାଲ୍ ବାହିନୀ ଭୟଭୀତ ହୋଇପଡ଼ିଛି । ଏନ୍କାଉଣ୍ଟର୍ରେ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମୃତ୍ୟୁ ପରେ ସଂଗଠନ ନେତୃତ୍ବ ବିହୀନ ହୋଇଯାଇଛି। ଏଭଳି ସ୍ଥିତିରେ ପ୍ରେସ୍ ବିଜ୍ଞପ୍ତି ଏବଂ ଅଡିଓ ଜାରି କରି ଅସ୍ଥାୟୀ ଭାବେ ଅସ୍ତ୍ର ଛାଡ଼ିବା ପାଇଁ ସଂଗଠନ ଆକୁଳ ନିବେଦନ କରିଛି।
ଶାନ୍ତି ବାର୍ତ୍ତା ଲାଗି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, ରାଜ୍ୟପାଳ ଏବଂ ମାଓ ପ୍ରଭାବିତ ରାଜ୍ୟର ସରକାରଙ୍କୁ ଅନୁରୋଧ କରିଛି। ସଂଗଠନ କହିଛି, ୨୦୨୫ ମାର୍ଚ୍ଚରୁ ଶାନ୍ତି ବାର୍ତ୍ତା ଲାଗି ପ୍ରଚେଷ୍ଟା ଜାରି ରହିଛି। କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ମେ ୧୦ରେ ପ୍ରେସ୍ ବିଜ୍ଞପ୍ତି ଜାରି କରି ଦୁଇପକ୍ଷ ଅସ୍ତ୍ର ବିରତି କରିବା ଲାଗି ନିବେଦନ କରିଥିଲେ। ଏକ ମାସ ପାଇଁ ଅସ୍ତ୍ର ଛାଡ଼ି ଶାନ୍ତିବାର୍ତ୍ତା ମାଧ୍ୟମରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କୌଣସି ଉତ୍ତର ରଖିନଥିଲେ।
ଅପରପକ୍ଷରେ ଜାନୁଆରୀ ୨୦୨୫ରୁ ନକ୍ସଲ ବିରୋଧୀ ଅଭିଯାନକୁ ତୀବ୍ରତର କରିଛନ୍ତି ସୁରକ୍ଷାବାହିନୀ। କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସଫଳ ହେବାକୁ ଯାଉଛି। କାରଣ ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ୍ ଯୋଗୁଁ ସଂଗଠନ ବହୁ ଟପ୍ କ୍ୟାଡର୍ଙ୍କୁ ହରାଇ ସାରିଛି। ବର୍ଷକ ମଧ୍ୟରେ ୪ କେନ୍ଦ୍ରୀୟ କମିଟି ସଚିବ ନିହତ ହୋଇଛନ୍ତି। ତେଣୁ ମାଓ କେନ୍ଦ୍ରୀୟ କମିଟି ଶାନ୍ତିବାର୍ତ୍ତା ପାଇଁ ପୁନର୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି। ସଂଗଠନର ମୁଖପାତ୍ର ଅଭୟ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିବା ସହ ଇ-ମେଲ୍, ଫେସ୍ବୁକ୍ ଏବଂ ସୋସିଆଲ୍ ମିଡିଆରେ ସରକାର ନିଜ ନିଷ୍ପତ୍ତି ଜଣାଇ ପାରିବେ ବୋଲି କହିଛନ୍ତି।