ମୁମ୍ବାଇ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବି (ନା‌ର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ) ଶୁକ୍ରବାର ଦିନ ଚାର୍ଜସିଟ୍‌ ଦାଖଲ କରିଛି। ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ ଖାନ୍‌ଙ୍କୁ କ୍ଲିନଚିଟ୍‌ ମିଳିଛି। ଆରୟନ ଏବଂ ଅନ୍ୟ ୫ ଜଣଙ୍କ ବି‌ରୋଧରେ ଏହି ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ସେମାନଙ୍କୁ ମାମଲାରୁ ଦୋଷମୁକ୍ତ କରାଯାଇଛି ବୋଲି ଏନ୍‌ସିବି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏସ୍‌ଆଇଟି ତଦନ୍ତ ଆଧାରରେ ଏନ୍‌ସିବି ପକ୍ଷରୁ ଶୁକ୍ରବାର ଦିନ ଏହି ମାମଲାରେ ୬ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଛି। ଚାର୍ଜସିଟ୍‌ରେ ୧୪ ଅଭିଯୁକ୍ତଙ୍କ ନାମ ରହିଛି। ଆରୟନ୍‌ ଏବଂ ଅନ୍ୟ ୫ ଜଣଙ୍କ ନାମ ଏଥିରେ ନାହିଁ। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆରୟନଙ୍କ ସମେତ ମୋଟ୍‌ ୨୦ ଜଣ ଗିରଫ ହୋଇଥିଲେ ଏବଂ ଏହାକୁ ନେଇ ବଡ଼ ଧରଣର ତମ୍ବିତୋଫାନ ହୋଇଥିଲା।

Advertisment

ଏକ ବୟାନରେ ଏନ୍‌ସିବି କହିଛି , ଅକ୍ଟୋବର ୨, ୨୦୨୧ରେ ମୁମ୍ବାଇ ଜୋନ୍‌ ମୁଖ୍ୟ ସମୀର ୱାଙ୍ଖଡେଙ୍କ ନେତୃତ୍ବାଧୀନ ଏନ୍‌ସିବି ଟିମ୍‌ ଗୋଆ ଅଭିମୁଖେ ଯାଉଥିବା ଏକ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ହୋଇଥିବା ସୂଚନା ପାଇ ଚଢ଼ଉ କରିଥିଲେ। ଏହି ସମୟରେ ଆରୟନଙ୍କ ସମେତ ୨୦ ଜଣ ଗିରଫ ହୋଇଥିଲେ। କିନ୍ତୁ ଆରୟନ୍‌ ଏବଂ ଅନ୍ୟ ଜଣଙ୍କ ନିକଟରେ ଡ୍ରଗ୍ସ ନଥିଲା। ଏନ୍‌ସିବିର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ତଦନ୍ତ ଆଧାରରେ ଆରୟନଙ୍କୁ ଏହି ମାମଲାରେ କ୍ଲିନଚିଟ୍‌ ମିଳିଛି। ଆରୟନଙ୍କୁ କ୍ଲିନଚିଟ୍‌ ମିଳିବାପରେ ତାଙ୍କ ଆଇନଜୀବୀ ମୁକୁଲ ରୋହତଗି କହିଛନ୍ତି, ଶେଷରେ ସତ୍ୟୟ ଜୟ ହୋଇଛି। ଆଜି ମୁଁ , ମୋ ମହକିଲ ଏବଂ ଶାହରୁଖ ଖାନ୍‌ ଆଶ୍ବସ୍ତ ହୋଇଛୁ ବୋଲି ସେ କହିଛନ୍ତି।

ପ୍ରଥମେ ଏହି ମାମଲାର ତଦନ୍ତ ଏନ୍‌ସିବି ମୁମ୍ବାଇ ଦ୍ବାରା ହୋଇଥିଲା। କିନ୍ତୁ ପରେ ଏନ୍‌ସିବି ମୁଖ୍ୟାଳୟ ନୂଆଦିଲ୍ଲୀର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ଏହି ମାମଲା ହସ୍ତାନ୍ତର କରାଗଲା। ୨୦୨୧ ନଭେମ୍ବର ୬ରେ ଡିଡିଜି ସଂଜୟ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ଏସ୍‌ଆଇଟି କ୍ରୁଜ୍‌ ଡ୍ରଗ୍ସ ମାମଲାର ତଦନ୍ତ କରି ଆରୟନଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିଛନ୍ତି।

publive-image NDTV.com

ବେପରୁଆ ତଦନ୍ତ ପାଇଁ ୱାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ମୁମ୍ବାଇ : ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବ୍ୟାପକ ଅନିୟମିତତା ହୋଇଥିବା ଏନ୍‌ସିବିର ଏସ୍‌ଆଇଟି ତଦନ୍ତରୁ ଜଣାପଡ଼ିଛି। ଆରୟନ ଖାନ୍ ଡ୍ରଗ୍ସ ନେଇଛନ୍ତି କି ନା’ ତାହା ଜାଣିବାପାଇଁ ଏନ୍‌ସିବି ଟିମ୍‌ ଦ୍ବାରା କୌଣସି ମେଡିକାଲ୍‌ ପରୀକ୍ଷା ହୋଇନଥିଲା ବୋଲି ଏସ୍‌ଆଇଟି କହିଛି। ଏନ୍‌ସିବି ଟିମ୍‌ ଦ୍ବାରା ଚଢ଼ଉ ସମୟର କୌଣସି ଭିଡିଓଗ୍ରାଫି ମଧ୍ୟ ହୋଇନାହିଁ। ମାମଲାରେ ଅତ୍ୟନ୍ତ ବେପରୁଆ ତଦନ୍ତ ପାଇଁ ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ନକଲି ଜାତି ସାର୍ଟିଫିକେଟ୍‌ ମାମଲାରେ ସମୀର ୱାଙ୍ଖଡେଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ସାରିଛନ୍ତି। ସମୀର ୱାଙ୍ଖଡେ ଏନ୍‌ସିବି ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ। ଅକ୍ଟୋବର ୨୦୨୧ରେ ସେ କର୍ଡେଲା କ୍ରୁଜ୍‌ ଜାହାଜରେ ଚଢ଼ଉ କରି ଆରୟନ ଖାନ୍‌ ଏବଂ ଅନ୍ୟମାନଙ୍କୁ ଗିରଫ କରିଥିଲେ। ତେବେ ସମୀର ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାପରେ ଏହି ମାମଲା ମୁମ୍ବାଇ ଜୋନ୍‌ରୁ ଏନ୍‌ସିବି କେନ୍ଦ୍ରୀୟ ଜୋନ୍‌କୁ ସ୍ଥାନାନ୍ତର କରାଯାଇଥିଲା।