ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କୁ ଉଠାଇନେଲା ଏନସିବି

ମୁମ୍ବାଇ : ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ ଅଫିସକୁ ଆଣି ପଚରାଉଚୁରା କରାଯାଉଛି । ଏହାସହିତ ଏନସିବି ଟିମ ରିଆଙ୍କ ପୁରୁଣା ସ୍ମାର୍ଟଫୋନ ଓ ସୌଭିକଙ୍କ ଲାପଟପକୁ ଜବତ କରିଛି ।

Image Courtesy of India Today

ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସୌଭିକ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଥିଲା । ଏବେ ବି ଏହି ଚଢଉ ଜାରି ରହିଛି ।

ଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଏନଡିପିଏସ ଆଇନ ଅନୁସାରେ ଏହି ଚଢଉ କରାଯାଇଛି । ଏହା କେବଳ ମାତ୍ର ଏକ ପ୍ରକ୍ରିୟାକୁ ପାଳନ କରାଯାଉଛି । କିନ୍ତୁ ସେ ଏହି ଚଢଉ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏହି ଚଢଉ ବେଳେ କେତେକ ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା କୁହାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲାର ତଦନ୍ତ କରି ଜାଣିବାକୁ ପାଇଛି ଯେ ସୁଶାନ୍ତଙ୍କ ପ୍ରେମିକା ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କର ଗିରଫ ହୋଇଥିବା ଡ୍ରଗ୍ସ ଡିଲ୍ରଙ୍କ ସହ ସଂପର୍କ ରହିଛି   ।  ଦୁଇଦିନ ତଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀମାନେ ଡ୍ରଗ୍ସ ଡିଲର୍ ଜାଇଡ ଭିଲାଟ୍ରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବିଦେଶୀ ମୁଦ୍ରା ମଧ୍ୟ ଜବତ କରିଛନ୍ତି, ଯାହାକି ଡ୍ରଗ୍ସ କାରବାରର ଆୟ ବୋଲି ଦାବି ହେଉଛି । ଗିରଫ ପରେ ଭିଲାଟ୍ରା ଏନସିବିକୁ କହିଥିଲେ ଯେ ସେ ବାନ୍ଦ୍ରାଠାରେ ଏକ ଫୁଡ୍ ପଏଣ୍ଟ କରିଥିଲେ, ଯାହାକି ଲକ୍ଡାଉନ୍ ପରଠାରୁ ତାଙ୍କୁ କୌଣସି ପ୍ରକାରର ଆର୍ଥିକ ଲାଭ ଦେଇ ନଥିଲା। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଶେଷରେ ଅନ୍ୟ କିଛି ଉପାୟ ନପାଇ ଡ୍ରଗ୍ସ, ବିଶେଷକରି ଗୁଣ୍ଡ (କ୍ୟୁରେଟେଡ୍ ଗଞ୍ଜେଇ) ବିକ୍ରୟ ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ସେ ବହୁ ପରିମାଣର ଟଙ୍କା ରୋଜଗାର କରୁଥିଲେ।

ସମ୍ବନ୍ଧିତ ଖବର

Comments are closed.