ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଆସିଥିବା ଡ୍ରଗ୍ସ ଆଙ୍ଗେଲକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୋଟିଏ ପରେ ଗୋଟିଏ ନୂଆ ଖୁଲାସା କରୁଛି। ଏନସିବି ଅନୁସନ୍ଧାନରେ ବର୍ତ୍ତମାନ ଟାର୍ଗେଟରେ ରହିଛନ୍ତି ବଲିଉଡର ବଡ଼ ବଡ଼ ସେଲିବ୍ରିଟି। ପୂର୍ବରୁ ଅଭିନେତ୍ରୀ ଦୀପିକା, ସାରା, ଶ୍ରଦ୍ଧା ଓ ରାକୁଲଙ୍କୁ ଜେରା କରିସାରିଥିବା ଏନସିବିର ନଜର ଏବେ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କ ଉପ‌ରେ ରହିଛି। ଶନିବାର ଦିନ ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ଚଳଚ୍ଚିତ୍ର ନିର୍ମାତା କ୍ଷୀତିଜ୍ ରବି ପ୍ରସାଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଏନସିବି ଗିରଫ କରିଥିଲା, ​​ଯାହା ପରେ ଗତକାଲି ଏକ ସ୍ବତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଅକ୍ଟୋବର ୩ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେଇଥିବା ଜଣା ପଡ଼ିଛି।

Advertisment

ତେବେ ଏ ମଧ୍ୟରେ କ୍ଷୀତିଜ୍ ଙ୍କ ଓକିଲ ଏକ ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। କ୍ଷୀତିଜ୍ ଙ୍କ ଓକିଲ ସତିଶ ମାନସିନ୍ଦେଙ୍କ କହିବା ମୁତାବକ, ଡ୍ରଗ୍ସ ବ୍ୟବହାର ଏବଂ କାରବାରରେ କରଣ ଜୋହରଙ୍କ ସଂପୃକ୍ତି ଥିବା କଥା କହିବା ପାଇଁ ଏନସିବି ଟିମ୍ କ୍ଷୀତିଜ୍ ଙ୍କ ଉପରେ ଚାପ ପକାଉଛନ୍ତି। ଏ ମଧ୍ୟରେ ୨୦୧୯ର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ବଲିଉଡ କଳାକାର କରଣଙ୍କ ଘରେ ପାର୍ଟି କରୁଥିବା ଦେଖାଯ‌ାଉଛି। ତେବେ ଭିଡିଓରେ ନଜର ଆସୁଥିବା ସବୁ କଳାକାର ଡ୍ରଗ୍ସ ନେଉଥିବା କଥା ଲୋକେ ଦାବି କରୁଥିବା ବେଳେ ତଦନ୍ତ ପରେ କଳାକାରମାନେ ଡ୍ରଗ୍ସ ନେଇ ନଥିବା ସ୍ପଷ୍ଟ କରିଛି ଏନସିବି।