ବିପୁଳ ଏଲ୍‌ଏସ୍‌ଡି ଜବତ କଲା ଏନ୍‌ସିବି

ନୂଆଦିଲ୍ଲୀ, ୬/୬: ବିପୁଳ ପରିମାଣର ଏଲ୍‌ଏସ୍‌ଡି (ନିଶାଦ୍ରବ୍ୟ) ଜବତ ସହ ନିଶା ନିୟନ୍ତ୍ରଣ ବ୍ୟୁରୋ (ଏନ୍‌ସିବି) ଦାବି କରିଛି ଯେ ସେମାନେ ସବୁଠୁ ବଡ଼ ନିଶା ସାମ୍ରାଜ୍ୟର ପର୍ଦାଫାସ କରିଛନ୍ତି। ସାରା ଭାରତରେ ସେମାନଙ୍କର ନେଟ୍‌ୱାର୍କ ବିଛାଇ ହୋଇ ରହିଥିଲା। ଅଭିଯୁକ୍ତମାନେ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଏହି କଳାଧନ୍ଦା କରି ଆସୁଥିଲେ।
ଏନ୍‌ସିବିର କହିବା ଅନୁସାରେ ସେମାନେ ଜବତ କରିଥିବା ଏଲ୍‌ଏସ୍‌ଡିର ପରିମାଣ ଆଜି ଯାଏ ଜବତ ହୋଇଥିବା ନିଶାଦ୍ରବ୍ୟ ଭିତରେ ସବୁଠାରୁ ଅଧିକ। ଏଲ୍‌ଏସ୍‌ଡି ବା ଲିସର୍ଜିକ ଏସିଡ ଡାଇଇଥାଇଲାମାଇନ ହେଉଛି ଏକ ସଂଶ୍ଳେଷିତ ରାସାୟନିକ-ଭିତ୍ତିକ ଡ୍ରଗ୍ ।

କ୍ରିପ୍ଟୋକରେନ୍ସିରେ ଚାଲିଥିବା ବ୍ୟବସାୟ
ଜଣେ ଛାତ୍ରୀ ସହ ୬ ଗିରଫ

ଏନ୍‌ସିବିର କହିବା ଅନୁସାରେ ଏହି ମାମଲାରେ ସେମାନେ ଗିରଫ କରିଥିବା ୬ ଅଭିଯୁକ୍ତଙ୍କ ମଧ୍ୟରେ ନଏଡ଼ାର ଜଣେ ଛାତ୍ରୀ ଏବଂ ଜୟପୁରର ଜଣେ ମାଷ୍ଟରମାଇଣ୍ଡ ଅଛନ୍ତି। ଏନ୍‌ସିବି ସେମାନଙ୍କଠାରୁ ବହୁକୋଟି ଟଙ୍କା ମୂଲ୍ୟର ୧୫,୦୦୦ ବ୍ଲଟ୍ ଏଲ୍‌ଏସ୍‌ଡି ଜବତ କରିଛି। ଏଲ୍‌ଏସ୍‌ଡିର ବାଣିଜ୍ୟିକ ପରିମାଣ ହେଉଛି ୬ ବ୍ଲଟ୍। ଅର୍ଥାତ୍ ଜବତ ଏଲ୍‌ଏସ୍‌ଡିର ପରିମାଣ ହେଉଛି ଏହି ସୀମାଠାରୁ ୨,୫୦୦ ଗୁଣ ଅଧିକ। ଏଥି ସହ ୨.୨୩୨ କେଜି ଗଞ୍ଜେଇ ଓ ୪.୫୫ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୨୦ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଦିଆଯାଇଛି।

ଏନ୍‌ସିବିର ଉପମହାନିର୍ଦ୍ଦେଶକ (ଡିଡିଜି) ଜ୍ଞାନେଶ୍ବର ସିଂହ କହିଛନ୍ତି, ସମସ୍ତ ଅଭିଯୁକ୍ତ ଡାର୍କନେଟ୍‌ରେ ସକ୍ରିୟ ଥିଲେ, ଯେଉଁଠି ସେମାନେ ବେଆଇନ ନିଶାଦ୍ରବ୍ୟ ବିକ୍ରି କାରବାର କରୁଥିଲେ। ସେମାନଙ୍କ ସାମ୍ରାଜ୍ୟକୁ ବିଚ୍ଛିନ୍ନ କରିବା ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି।

ସିଂହ ପୁଣି କହିଛନ୍ତି ଯେ, ଜବତ ହୋଇଥିବା ଏଲ୍‌ଏସ୍‌ଡିର ମୂଳ ଉତ୍ସ ହେଉଛି ପୋଲାଣ୍ଡ ଓ ନେଦରଲାଣ୍ଡ। ୟୁରୋପରୁ ଏଲ୍‌ଏସ୍‌ଡି ସଂଗ୍ରହ କରି ଜାହାଜ ଯୋଗେ ଭାରତ ପଠାଯାଇଥାଏ। ଭାରତରେ ପହଞ୍ଚିଲା ପରେ ଗିରଫ ଅଭିଯୁକ୍ତମାନେ ଏହାକୁ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଏବଂ ସାରା ଭାରତରେ ବିତରଣ କରିଥାନ୍ତି। ଗତ ତିନିମାସ ହେ‌ଲା ଏନ୍‌ସିବି ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଲାଗିଥିଲା। ତଥ୍ୟ ସଂଗ୍ରହ ପାଇଁ ଅଧିକାରୀମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସକ୍ରିୟ ରହିଥିଲେ। ଡାର୍କନେଟ୍‌ରେ ସକ୍ରିୟ ଥିବା ଏହାର କ୍ରେତା-ବିକ୍ରେତା କେହି ପରସ୍ପରକୁ ନିଜର ପରିଚୟ ଜଣାଇ ନ ଥାନ୍ତି।

କ୍ରେତାମାନେ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଅର୍ଥ ପଇଠ କରନ୍ତି ଏବଂ ସେମାନଙ୍କ ପାଖକୁ କୋରିୟର ମାଧ୍ୟମରେ ମାଲ୍ ପହଞ୍ଚେ। ବେନାମୀ ଭାବେ କାରବାର କରୁଥିବାରୁ ଧରାପଡ଼ିବାର ଭୟ ସେମାନଙ୍କର ନ ଥାଏ। ଡାର୍କନେଟ୍ ଚାଟ୍ ଜରିଆରେ ଉଭୟ କ୍ରେତା-ବିକ୍ରେତା ପରସ୍ପର ସହ ବାର୍ତ୍ତାଳାପ କରିଥାନ୍ତି। କ୍ରେତା-ବିକ୍ରେତା ମିଥ୍ୟା ଠିକଣା ଜରିଆରେ ଡେଲିଭରି କରନ୍ତି ଏବଂ ସେଥିରେ ଯେଉଁ ଫୋନ୍ ନମ୍ବର ଦିଆଯାଇଥାଏ, ତାହାକୁ ବି ଠାବ କରିବା ସମ୍ଭବ ନୁହେଁ। ସୋସିଆଲ ମିଡ଼ିଆରେ ଦୀର୍ଘଦିନ ମନିଟରିଂ କରିବା ପରେ ଉତ୍ତରପ୍ରଦେଶ ନଏଡ଼ାର ଏକ ଘରୋଇ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବାଣିଜ୍ୟିକ ପରିମାଣ ଏଲ୍‌ଏସ୍‌ଡି ସହ ଏନ୍‌ସିବି ଗିରଫ କରିବାରେ ସଫଳ ହେଲା। ତା’ପରେ ଦିଲ୍ଲୀର ଆଉ ଜଣେ ଲୋକ ଧରାପଡ଼ିଲା। ଶେଷକୁ ମୋଟ ୬ ଜଣ ‌ଅଭିଯୁକ୍ତଙ୍କୁ ଏନ୍‌ସିବି ଅଧିକାରୀମାନେ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର