ଭୁବନେଶ୍ୱର : ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି)ର ନୂତନ ଅଷ୍ଟମ ଶ୍ରେଣୀ ସାମାଜିକ ପାଠ୍ୟପୁସ୍ତକରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହ ଅଧ୍ୟାୟ ଉଚ୍ଛେଦ ନେଇ ହେଉଥିବା ଅଭିଯୋଗକୁ ଆଜି ପରିଷଦ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଖଣ୍ଡନ କରାଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ଏନ୍ସିଇଆର୍ଟି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଥମ ଖଣ୍ଡ ‘ଏକ୍ସପ୍ଲାରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ’ରେ ଦି କଲୋନିଆଲ୍ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା ।

Advertisment

ଦ୍ୱିତୀୟ ଖଣ୍ଡରେ ଆଞ୍ଚଳିକ ଜନ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ ସ୍ଥାନିତ ହେବ । ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଓଡ଼ିଶାର ଅପାଇକବିଦ୍ରୋହ, ପଞ୍ଜାବର କୁକା ବିଦ୍ରୋହ, ଶିଖ୍ ବିଦ୍ରୋହ ଆଦି ଅନେକ ଆଞ୍ଚଳିକ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇ ଚଳିତ ବର୍ଷ ଅକ୍ଟୋବର ମାସରେ ଏହା ପ୍ରକାଶ କରାଯିବ । ଏନ୍ସିଇଆର୍ଟି ନିଜ ‘ଏକ୍ସ’ ପୋଷ୍ଟରେ ଆଜି ମଧ୍ୟ ଏଥିନେଇ ସ୍ପଷ୍ଟୀକରଣ ଦିଆଯାଇଛି । ଦ୍ୱିତୀୟ ଖଣ୍ଡରେ ଭାରତବର୍ଷର ପ୍ରମୁଖ ଆଞ୍ଚଳିକ ବିଦ୍ରୋହ ବିଶେଷତଃ ଓଡ଼ିଶାର ପାଇକ ବିଦ୍ରୋହ ବିସ୍ତୃତ ଭାବେ ସ୍ଥାନ ପାଇବ । ଏହା ଫଳରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଆମ ଦେଶର ଗୌରବମୟ ଇତିହାସ ସହ ଆଞ୍ଚଳିକ ବିବିଧତାର ବୈଶିଷ୍ଟ୍ୟ ବିଷୟରେ ଅବଗତ ହୋଇପାରିବେ । ତେଣୁ ପାଇକ ବିଦ୍ରୋହ ବାଦ୍ ପଡ଼ିଛି ବୋଲି ଉଠୁଥିବା ଚର୍ଚ୍ଚାକୁ ଆଦୌ ସତ୍ୟ କି ତଥ୍ୟ ଆଧାରିତ ଭାବେ ଗ୍ରହଣ ନ କରିବାକୁ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ।