୨୦୧୯ ଶିକ୍ଷାବର୍ଷରୁ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ଅଧା କାଟି ଦିଆଯିବ

ନୂଆଦିଲ୍ଲୀ: ୨୦୧୯ ମସିହା ଶିକ୍ଷାବର୍ଷରୁ ଏନ୍‌ସିଇଆର୍‌ଟି ସ୍କୁଲ୍‌ ପାଠ୍ୟକ୍ରମକୁ ଅଧା କରି ଦିଆଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାେଓ୍ଵଦକର କହିଛନ୍ତି।

ରାଷ୍ଟ୍ରାୟତ ରାଜ୍ୟସଭା ଟିଭିକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ ଏବକାର ସ୍କୁଲ୍‌ ପାଠ୍ୟକ୍ରମ ଅଣସ୍ନାତକ କଳା ଏବଂ ବାଣିଜ୍ୟ ପାଠ୍ୟକ୍ରମ ଠାରୁ ମଧ୍ୟ ଅଧିକ ଥିବାରୁ ଏହାକୁ କମାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ପାଠ୍ୟକ୍ରମ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଲାଗୁ ହେବ।

ଅନୁଭୂତି ଦକ୍ଷତା ବିକାଶ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଖୁବ୍‌ ଶୀଘ୍ର କ୍ଲାସ୍‌ ପରୀକ୍ଷା ଏବଂ ସେଥିରେ ଫେଲ୍‌ ହେଲେ ପୁଣି ସେହି ଶ୍ରେଣୀରେ ରହିବା ଧାରା ଚାଲୁ କରାଯିବ। ଏ ବିଷୟରେ ଏକ ବିଲ୍‌ ପାର୍ଲାମେଣ୍ଟ୍‌ର ଆଗାମୀ ବଜେଟ୍‌ ଅଧିବେଶନରେ ଆଲୋଚନା ହେବ। ସେ କହିଛନ୍ତି: ପରୀକ୍ଷା ନ ରହିବା ଦ୍ୱାରା ପ୍ରତିଯୋଗିତା କିଂବା ଲକ୍ଷ୍ୟ ସ୍ଥିର କରିବା ଆଦି ସମ୍ଭବ ହେଉନାହିଁ। ସୁଫଳ ପାଇଁ ପ୍ରତିଯୋଗିତା ଅତ୍ୟାବଶ୍ୟକ।

ନିମ୍ନମାନର ଶିକ୍ଷକ ଯୋଗୁଁ ଶିକ୍ଷା ବିପର୍ଯ୍ୟସ୍ତ ହେଉଥିବାରୁ ଜାେଓ୍ଵଦକର୍‌ କ୍ଷୋଭ ପ୍ରକାଶ କରିଥିଲେ। ଆସନ୍ତା ମାସରେ ନୂତନ ଶିକ୍ଷା ନୀତି ପାଇଁ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର