ଓଡ଼ିଶା ସମେତ ୫ ରାଜ୍ୟର ସରକାରୀ ସ୍କୁଲରେ ଶିକ୍ଷାଦାନ ମାନର ତଦାରଖ ସହ ପରିଚାଳନା କରିବ ଏନ୍‌ସିଇଆରଟି

ନୂଆଦିଲ୍ଲୀ: ଦେଶର ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ମାନ ଓ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏଣିକି ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ, ନ୍ୟାସନାଲ କାଉନସିଲ ଫର୍‌ ଏଡୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି) ସରକାରୀ ସ୍କୁଲଗୁଡ଼ିକୁ ନିଜର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି। ଦେଶର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସରକାରୀ ସ୍କୁଲମାନଙ୍କରେ ଶିକ୍ଷାଦାନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ଏଣିକି ପରିଚାଳନା ସହ ନିୟନ୍ତ୍ରଣ କରିବ ଏନ୍‌ସିଇଆରଟି।

ତେବେ, ପ୍ରଥମ ପର୍ଯ୍ୟାୟରେ ଏନ୍‌ସିଇଆରଟିର ଆଞ୍ଚଳିକ ପ୍ରତିଷ୍ଠାନ ଥିବା ଦେଶର ୫ଟି ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏନ୍‌ସିଇଆରଟି ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନା ଅଧୀନରେ ଓଡ଼ିଶା ମଧ୍ୟ ସାମିଲ ଅଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ ଏନ୍‌ସିଇଆରଟି। ଉଲ୍ଲେଖଯୋଗ୍ୟ ଓଡ଼ିଶାର ଭୁବନେଶ୍ୱର, ମଧ୍ୟପ୍ରଦେଶର ଭୋପାଳ, କର୍ଣ୍ଣାଟକର ମହୀଶୂର, ମେଘାଳୟର ସିଲଂ ଓ ରାଜସ୍ଥାନର ଆଜ୍‌ମେର ଠାରେ ଏନ୍‌ସିଇଆରଟିର ଆଞ୍ଚଳିକ ପ୍ରତିଷ୍ଠାନ ରହିଛି।

News Nation

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଏନ୍‌ସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ଶତପଥୀ କହିଛନ୍ତି ଯେ ଏହି କାର୍ଯ୍ୟ ସଂପାଦନ ପାଇଁ ଆଞ୍ଚଳିକ ପ୍ରତିଷ୍ଠାନ ଅଧୀନରେ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି ବିଶେଷଜ୍ଞ କମିଟିରେ ବିଭିନ୍ନ କ୍ଷେତ୍ରର ଶିକ୍ଷା ବିଶାରଦମାନଙ୍କୁ ସାମିଲ କରାଯିବ। ସେମାନେ ନିୟମିତ ବ୍ୟବଧାନରେ ସରକାରୀ ପରିଚାଳନାଧୀନ ସ୍କୁଲଗୁଡ଼ିକୁ ଗସ୍ତ କରିବା ସହ ସେଠାରେ ପ୍ରଦାନ କରା ଯାଉଥିବା ଶିକ୍ଷାଦାନ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏଥିସହ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଶିକ୍ଷା ପ୍ରଦାନରେ ରହି ଯାଉଥିବା ତ୍ରୁଟି ବିଚ୍ୟୁତିକୁ ସଜାଡ଼ିବେ। ଏଥିସହ ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିବା ସହ ଶିକ୍ଷକମାନଙ୍କୁ ବିଇଡି ଓ ଏମ୍‌ଇଡି ପାଠ୍ୟକ୍ରମ ପଢ଼ାଇବ ଏନ୍‌ସିଇଆରଟିର ଆଞ୍ଚଳିକ ପ୍ରତିଷ୍ଠାନ।

ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ଏହି ଯୋଜନା ସଫଳ ହେବାପରେ ପରବର୍ତ୍ତୀ ସମୟରେ ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଏନ୍‌ସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ଶତପଥୀ।

ସମ୍ବନ୍ଧିତ ଖବର