ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍ସିଇଆର୍ଟି) ପକ୍ଷରୁ କୁହାଯାଇଛି ଯେ, କୌଣସି ବିଷୟ ଉପରେ ଜ୍ଞାନ ଓ ବୋଧକୁ ଭିତ୍ତି କରି ସ୍କୁଲ ସ୍ତରର ପାଠ୍ୟ ପୁସ୍ତକ ପ୍ରଣୟନ କରାଯାଇଥାଏ। ଏଥିରେ ଯେଉଁମାନେ ପରାମର୍ଶ ଓ ସହଯୋଗ ପ୍ରଦାନ କରିଥାନ୍ତି, ସେମାନଙ୍କର ନାମ ତାଲିକା ପ୍ରକାଶ କରାଯାଇଥାଏ। ତେଣୁ ସେ ନାମକୁ କଟାଯାଇ ପାରିବନି। ଏନ୍ସିଇଆର୍ଟିର ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ସୁହାସ ପାଲସିକର ଓ ଯୋଗେନ୍ଦ୍ର ଯାଦବ ନିଜର ନାମ କାଟି ଦେବା ପାଇଁ ଅନୁରୋଧ କରିଥିବାରୁ ଏନ୍ସିଇଆର୍ଟି ପକ୍ଷରୁ ଏଭଳି ଜବାବ ରଖାଯାଇଛି।
ଏନ୍ସିଇଆର୍ଟି ପକ୍ଷରୁ ପାଠ୍ୟପୁସ୍ତକ ଡେଭ୍ଲପ୍ମେଣ୍ଟ କମିଟି (ଟିଡିସି) ଗଠନ କରାଯାଇଥାଏ ଏବଂ ସମୟକ୍ରମେ ଏଥିରେ ନୂଆ ବିଦ୍ବାନମାନଙ୍କ ନାମ ସଂଯୋଜିତ ହୋଇଥାଏ। ପାଠ୍ୟ ପୁସ୍ତକ ପ୍ରଣୟନରେ ଯେଉଁମାନଙ୍କର ଭୂମିକା ଥାଏ, ସେମାନଙ୍କର ନାମ ତାଲିକା ପ୍ରକାଶ ପାଇଥାଏ ବୋଲି ଏନ୍ସିଇଆର୍ଟି ପକ୍ଷରୁ କୁହାଯାଇଛି। ତେବେ ପାଠ୍ୟପୁସ୍ତକର ରାସନାଲାଇଜେନ ବା ସଂକ୍ଷିପ୍ତୀକରଣ ନାମରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଂଶ କାଟି ଦିଆଯାଉଥିବାରୁ ଦୁଇ ରାଜନୀତି ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ ଓ ସୁହାସ ପାଲସିକର ପୁସ୍ତକରୁ ଉପଦେଷ୍ଟା ଭାବେ ରଖାଯାଇଥିବା ସେମାନଙ୍କ ନାମ କାଟିଦେବା ପାଇଁ ଅନୁରୋଧ କରିବା ପରେ ଏନ୍ସିଇଆର୍ଟି ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛି।
ଏନ୍ସିଇଆର୍ଟି କହିଛି ଯେ, ୨୦୦୫-୦୮ ମଧ୍ୟରେ ଯାଦବ ଓ ପାଲସିକର ପାଠ୍ୟପୁସ୍ତକ ବିକାଶ କମିଟି (ଟିଡିସି)ର ମୁଖ୍ୟ ଉପଦେଷ୍ଟା ଥିଲେ। ଏମାନେ ହେଉଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଏବଂ ପାଠ୍ୟପୁସ୍ତକ ବିକାଶ ସରିବା ପର୍ଯ୍ୟନ୍ତ ଉପଦେଷ୍ଟା ରହିଥିଲେ। ଏନ୍ସିଇଆର୍ଟି ଦ୍ବାରା ପାଠ୍ୟପୁସ୍ତକ ପ୍ରକାଶ କରାଯାଇଥିବାରୁ ଏନ୍ସିଇଆର୍ଟି ହାତରେ ହିଁ ସ୍ବତ୍ବାଧିକାର ରହିଛି, ଯେ କି ଟିଡିସିଠାରୁ ସ୍ବତନ୍ତ୍ର। ପ୍ୟାନେଲର ସମସ୍ତ ସଦସ୍ୟ ଲିଖିତ ଅଣ୍ଡରଟେକିଂ ଦ୍ବାରା ସମୂହ ସ୍ବୀକୃତି ଦେଇଛନ୍ତି।
ଏନ୍ସିଇଆର୍ଟି ପୁଣି କହିଛି ଯେ, ଟିଡିସି ସଦସ୍ୟଙ୍କ କାମ ହେଲା, ପାଠ୍ୟପୁସ୍ତକ ପ୍ରଣୟନ କିପରି ହେବ ସେ ବାବଦରେ ପରାମର୍ଶ ଦେବା କିମ୍ବା ସେଥିପାଇଁ ଲେଖା ପ୍ରଦାନ କରିବା। ଏହା ଛଡ଼ା ଆଉ କିଛି ନୁହେଁ। ତେଣୁ ସେମାନଙ୍କ ନାମ କାଟିବାର ପ୍ରଶ୍ନ ଉଠୁନି। ପାଠ୍ୟ ପୁସ୍ତକ ହେଉଛି ସମସ୍ତ ଉପଦେଷ୍ଟା ବା କଣ୍ଟେଣ୍ଟ ଲେଖକଙ୍କ ସମୂହ ପ୍ରଚେଷ୍ଟାର ଫଳ, ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ରଚନା ନୁହେଁ ବୋଲି ଏନ୍ସିଇଆର୍ଟି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/75-1.jpg)