ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ବରେ ମେଣ୍ଟ ସରକାର ଗଠନକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଆଜି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଏନ୍ସିପି-କଂଗ୍ରେସ-ଶିବସେନାର ପ୍ରତିନିଧି ଦଳ ଅପରାହ୍ନ ୪ଟା ୩୦ରେ ଭେଟିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୌଣସି କାରଣରୁ ଏହା ଅଚାନକ ବାତିଲ ହୋଇଯାଇଛି। ରାଜଭବନ ସୂତ୍ରରୁ ମଧ୍ୟ ଏହି ବୈଠକ ବାତିଲ ହୋଇଥିବା ସଂପର୍କରେ ସୂଚନା ଦିଆଯାଇଛି। ରାଜ୍ୟର କୃଷି ସଙ୍କଟ ଏବଂ କୃଷକଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ସହିତ ଆଲୋଚନା କରିବାକୁ ତିନି ଦଳ ମିଳିତ ଭାବେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ତିନି ଦଳ ସରକାର ଗଠନ ପାଇଁ ମଧ୍ୟ ଦାବି ଉପସ୍ଥାପନ କରିବାକୁ ଯୋଜନା କରିଥିଲେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ସରକାର ଗଠନ ପାଇଁ ଆହୁରି କିଛି ଦିନ ଲାଗିଯିବ ବୋଲି ଗତକାଲି ଏନ୍ସିପି ସୁପ୍ରିମୋ ଶରଦ ପାୱାର ବୟାନ ଦେଇଥିବା ବେଳେ ଅନ୍ୟପକ୍ଷରେ ଶିବସେନା ତୁରନ୍ତ ସରକାର ଗଠନ ହେବା ଚାହୁଛି। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆସନ୍ତାକାଲି (ରବିବାର) ସରକାର ଗଠନ ସଂକ୍ରାନ୍ତ ଘୋଷଣା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଆମେ ପରିସ୍ଥିତି ଉପରେ ସତର୍କ ନଜର ରଖିଛୁ ଏବଂ ଠିକ୍ ସମୟରେ ଦଳ ତା’ର ରଣନୀତି ଘୋଷଣା କରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp