ଏନ୍‌ସିପି ସ୍ଥିତି ଜଟିଳ, ବହୁ ପୁରୁଖା ନେତା ଦଳ ଛାଡ଼ୁଛନ୍ତି

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କଲେଣି। କିନ୍ତୁ ମହାରାଷ୍ଟ୍ରରେ ଶରଦ ପାୱାର୍‌ଙ୍କ ‌ନେତୃତ୍ବାଧୀନ ଏନ୍‌ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ସ୍ଥିତି ଏବେ ଜଟିଳ ହୋଇପଡ଼ିଛି। ଦଳର ବହୁ ପୁରୁଖା ନେତା ଦଳ ଛାଡ଼ିଦେବାରୁ ପାୱାରଙ୍କ ଚିନ୍ତା ବଢ଼ିଯାଇଛି। ଲୋକସଭା ନିର୍ବାଚନ ପରେ ଆଜି ଏନ୍‌ସିପିକୁ ସବୁଠୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପିର ମୁମ୍ବାଇ ୟୁନିଟ୍‌ ମୁଖ୍ୟ ସଚିନ ଆହିର ଆଜି ଶିବସେନାରେ ଯୋଗ ଦେଇଛନ୍ତି। ୧୯୯୯ ମସିହାରୁ ଶରଦ ପାୱାରଙ୍କ ଦଳରେ ରହି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ଆହିର ଦଳ ଛାଡ଼ିଦେବା ପାୱାରଙ୍କୁ ଶକ୍ତ ଧକ୍କା ଦେଇଛି। ତାଙ୍କୁ ଶିବସେନାର ମୁମ୍ବାଇ ସଭାପତି କରାଯିବା ନେଇ ବିଚାରବିମର୍ଷ ଜାରି ରହିଛି। ଆଗକୁ ମଧ୍ୟ ଏନ୍‌ସିପିକୁ ପୁଣି ଏକ ବଡ଼ ଝଟ୍‌କା ଲାଗିପାରେ। ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଏନ୍‌ସିପିର ଓବିସି ନେତା ଛଗନ ଭୁଜବଳ, ପୁଅ ପଙ୍କଜ ଏବଂ ଅନ୍ୟଜଣେ ବିଧାୟକ ଶିବସେନା ସହ ଯୋଗସୂତ୍ର ରଖିଛନ୍ତି। ଖୁବ୍‌ଶୀଘ୍ର ସେମାନେ ଶିବସେନାରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ସେହିପରି ପୂର୍ବତନ ମନ୍ତ୍ରୀ ଜୟଦତ୍ତ କ୍ଷୀରସାଗର ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଏବଂ ଏବେ ଫଡ଼ନାବିସ ସରକାରରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ। ଅନ୍ୟ ୨ ଜଣ ପୂର୍ବତନ ମନ୍ତ୍ରୀ ଦିଲୀପ ସୋପାଲ ଏବଂ ଗଣେଶ ନାଏକ ମଧ୍ୟ ଶିବସେନା ନେତୃତ୍ବ ସହ ସଂପର୍କରେ ଥିବା କୁହାଯାଉଛି। ଅନ୍ୟଜଣେ ଏନ୍‌ସିପି ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି।

ସମ୍ବନ୍ଧିତ ଖବର