ମୁମ୍ବାଇ : ଗତ ଶନିବାରଦିନ ହୋଇଥିବା ଘଟଣାକ୍ରମ ପରେ ଶିବସେନା,ଏନସିପି ଓ କଂଗ୍ରେସ ନିଜ ନିଜର ବିଧାୟକଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଛନ୍ତି । ବିଧାୟକମାନଙ୍କୁ କେଉଁଠାରେ ସୁରକ୍ଷିତ ରଖାଯିବ, ତାହାକୁ ନେଇ ଏହି ତିନି ଦଳ ଚିନ୍ତିତ ହୋଇପଡିଛନ୍ତି । ପୂର୍ବରୁ ଏନସିପି ନିଜ ବିଧାୟକମାନଙ୍କୁ ରେନେସାଁ ହୋଟେଲରେ, ଶିବସେନା ନିଜ ବିଧାୟକମାନଙ୍କୁ ଦ ଲଲିତ୍‌ ହୋଟେଲରେ ଓ କଂଗ୍ରେସ ନିଜ ବିଧାୟକମାନଙ୍କୁ ଜେଡବ୍ଲୁ ମାରିୟଟ ହୋଟେଲରେ ରଖିଥିଲେ । କିନ୍ତୁ ଏଠାରେ ମଧ୍ୟ ବିଧାୟକମାନଙ୍କୁ ସୁରକ୍ଷାକୁ ନେଇ ସନ୍ତୁଷ୍ଟ ହୋଇପାରୁନାହାନ୍ତି ଏସବୁ ଦଳ । ଆଜି କଂଗ୍ରେସ ନେତା ଅଶୋକ ଚଭନ ଅଭିଯୋଗ କରିଥିଲେ ଯେ ଏସବୁ ହୋଟେଲରେ ବିଜେପିର ଲୋକମାନେ ରୁମ ବୁକ କରିଛନ୍ତି । ବିଧାୟକମାନଙ୍କୁ ଯୋଗାଯୋଗ କରିବାକୁ ଏପରି କରାଯାଉଛିବୋଲି ସେ କହିଥିଲେ । ଏହା ଜଣାପଡିବା ପରେ ଏନସିପି ନିଜର ବିଧାୟକମାନଙ୍କୁ ରେନେସାଁରୁ ହେୟାଟ ହୋଟେଲ ଓ ଶିବସେନା ନିଜର ବିଧାୟକମାନଙ୍କୁ ଲଲିତରୁ ଲେମନ ଟ୍ରି ହୋଟେଲକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ ଯେ ଶନିବାରଦିନ ଏକ ଅପ୍ରତ୍ୟାର୍ଶିତ ଘଟଣାକ୍ରମେ ସକାଳ ୫ଟା ୪୫ ମନିଟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଶପଥ ଗ୍ରହଣ କରିଥିଲେ । ଏହା ସହିତ ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ଏହା ବିରୋଧରେ ଏନସିପି, ଶିବସେନା ଓ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା କାଲି ସାଢେ ୧୧ଟାରେ ଏହାର ଶୁଣାଣି ହେବ ।

Advertisment