ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି । କେଉଁ ଦଳ ସରକାର ଗଠନ କରିବ ସେ ନେଇ ଏବେବି ଅଚଳାବସ୍ଥା ଜାରି ରହିଛି । କିନ୍ତୁ ବିଜେପିକୁ ସରକାର ବାହାରେ ରଖି କଂଗ୍ରେସ, ଏନସିପି ସହ ମିଶି ସରକାର ଗଠନ ଲାଗି ଶିବସେନା କରୁଥିବା ଉଦ୍ୟମକୁ ଧକ୍କା ଲାଗିଛି । ଆଜି ଏନସିପି ମୁଖ୍ୟ ଶରଦ ପାଓ୍ଵାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ କହିଛନ୍ତି ଯେ ତାଙ୍କ ଦଳ ବିରୋଧୀ ଦଳରେ ହିଁ ବସିବ । ଶିବସେନାକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ । କଂଗ୍ରେସ ମଧ୍ୟ ଶିବସେନାକୁ ସମର୍ଥନ କରିବ ନାହିଁ ବୋଲି ସୂଚନା ମିଳିଛି ।
ଏହା ପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀସ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଛନ୍ତି । ଅନ୍ୟପକ୍ଷରେ ଶିବସେନା ନେତା ସଂଜୟ ରାଉତ ମଧ୍ୟ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟିଛନ୍ତି ।
ଏହି ଅବସରରେ ସଂଜୟ କହିଛନ୍ତି ଯେ ରାଜ୍ୟରେ ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ସେ ସରକାର ଗଠନ କରିବାରେ କୌଣସି ଅସୁବିଧା ନାହିଁ । ଶିବସେନା କୌଣସି ଦଳର ସରକାର ଗଠନରେ ପ୍ରତିବନ୍ଧକ ସୃଷ୍ଟି କରୁନାହିଁ । ଶିବସେନା ଚାହୁଁଛି ଯଥାଶୀଘ୍ର ସରକାର ଗଠନ ହେଉ ।
ସମ୍ବନ୍ଧିତ ଖବର