ଏନ୍‌ସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା‌, ପ୍ରଫୁଲ୍ଲ

ନୂଆଦିଲ୍ଲୀ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଏବଂ ଏନସିପି ଉପସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ଆଜି ଦଳର କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି। ଦଳକୁ ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏହି ଘୋଷଣା କରିଛନ୍ତି। ଏନ୍‌ସିପିକୁ ୧୯୯୯ ମସିହାରେ ଶରଦ ପାୱାର ଓ ପିଏ ସାଙ୍ଗମା ଗଢ଼ିଥିଲେ। ବାରାମତୀ ସାଂସଦ ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର, ହରିୟାଣା, ପଂଜାବ ମହିଳା ଯୁବ ଏବଂ ଲୋକସଭା ସମନ୍ବୟ ଦାୟିତ୍ବ ମିଳିଥିବାବେଳେ ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୋଆ ଦାୟିତ୍ବ ମିଳିଛି। ଏନ୍‌ସିପିର ପ୍ରମୁଖ ନେତା ଅଜିତ ପାୱାରଙ୍କ ଉପସ୍ଥିତିରେ ଆଜି ଏହି ଘୋଷଣା କରାଯାଇଛି। ଏନ୍‌ସିପି ଜାତୀୟ ସାଧାରଣ ସଚିବ ସୁନିଲ ତତକରେଙ୍କୁ ଓଡ଼ିଶା, ପଶ୍ଚିମବଙ୍ଗ, କୃଷି ଏବଂ ସଂଖ୍ୟାଲଘୁ ବିଭାଗ ଦାୟିତ୍ବ ମିଳିଛି। ଶରଦ ପାୱାର ମଧ୍ୟ ନନ୍ଦ ଶାସ୍ତ୍ରୀଙ୍କୁ ଦିଲ୍ଲୀ ଏନ୍‌ସିପି ମୁଖ୍ୟ ଘୋଷଣା କରିଛନ୍ତି। ସୁପ୍ରିୟା ସୁଲେ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ‘ମୋତେ ଏବଂ ପ୍ରଫୁଲ୍ଲଭାଇ ପ‌ଟେଲଙ୍କୁ ଆଜି ଏନ୍‌ସିପି ବାର୍ଷିକୋତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ନିର୍ବାଚିତ କରାଯାଇଛି। ଏଥିପାଇଁ ମୁଁ ଦଳ ପ୍ରତି ଅତି ଗଭୀର ଭାବେ କୃତଜ୍ଞ। ଦଳ ଦ୍ବାରା‌ ମୋ ଉପରେ ଯେଉଁ ବିଶ୍ବାସ ରଖାଯାଇଛି ତାହା ମୁଁ ପୂରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ମତେ ମିଳିଥିବା ଏହି ଦାୟିତ୍ବ ପାଇଁ ସମ୍ମାନନୀୟ ପାୱାର ସାହେବ, ଅଫିସ କାର୍ଯ୍ୟକର୍ତ୍ତା, ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ।

ଉଲ୍ଲେଖଯୋଗ୍ୟ, ଶରଦ ପାୱାର ଗତମାସରେ ଦଳର ସଭାପତି ପଦରୁ ଇସ୍ତଫା ଦେବାପାଇଁ ଘୋଷଣା କରିଥିଲେ। କିନ୍ତୁ ପାୱାରଙ୍କ ନିଷ୍ପତ୍ତିକୁ ଦଳର ଅନ୍ୟ ନେତାମାନେ ବିରୋଧ କରିବାପରେ ପାୱାର ତାଙ୍କ ଇସ୍ତଫାପତ୍ର ଫେରାଇ ନେଇଥିଲେ। ପାୱାରଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବାପାଇଁ ଏକ କମିଟି ଗଠନ ହୋଇଥିଲା ଏବଂ ଏହି କମିଟି ପାୱାରଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଥିଲା। ଆଜି ଶରଦ ପାୱାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ପରେ ପାୱାରଙ୍କ ପୁତୁରା ଅଜିତ ପାୱାର ସୁପ୍ରିୟା ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର