ଏନ୍‌ସିଆର୍‌ବି ରିପୋର୍ଟ: ଦିନକୁ ୮୦ ହତ୍ୟା, ୭୭ ଦୁଷ୍କର୍ମ

୨୦୨୦ରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ କମିଛି

ନୂଆଦିଲ୍ଲୀ : କ‌ରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ ମଧ୍ୟରେ ଦେଶରେ ୨୦୨୦ରେ ଚୋରି, ଡକାୟତି , ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କମିଛି। କିନ୍ତୁ ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା କରିବା ସର୍ବାଧିକ ବଢ଼ିଯାଇଛି। ମୁଖ୍ୟତଃ କୋଭିଡ୍‌ ନିୟମାବଳୀ ଉଲ୍ଲଂଘନକୁ ନେଇ ସରକାରୀ ନିର୍ଦ୍ଦେଶର ମାତ୍ରାଧିକ ଅବଜ୍ଞା କରାଯାଇଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ରେ ଦେଶରେ ମୋଟ୍‌ ୬୬,୦୧,୨୮୫ ଧର୍ତ୍ତବ୍ୟ ଅପରାଧ ମାମଲା ରହିଛି। ଆଇପିସି ଅଧୀନରେ ୪୨,୫୪,୩୫୬ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ଏସଏଲ୍‌ଏଲ୍ (ସ୍ବତନ୍ତ୍ର ସ୍ଥାନୀୟ ଆଇନ) ଅଧୀନରେ ୨୩,୪୬, ୯୨୯ ଅପରାଧ ମାମଲା ରୁଜୁ ହୋଇଛି। ୨୦୧୯ ତୁଳନାରେ ୨୦୨୦ରେ ଏହି ଅପରାଧ ମାମଲା ରୁଜୁ ହେବା ୨୮ ପ୍ରତିଶତ ବଢ଼ିଛି। ୨୦୧୯ରେ ପ୍ରତି ୧ ଲକ୍ଷରେ ୩୮୫.୫ ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ପ୍ରତି ୧ ଲକ୍ଷରେ ୪୮୭.୮ ମାମଲା ରୁଜୁ ହୋଇଛି। ୨୦୨୦ରେ ଆଇପିସି ଅଧୀନ‌ରେ ମାମଲା ରୁଜୁ ହେବା ୩୧.୯ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏସଏଲ୍‌ଏଲ୍‌ ଅଧୀନରେ ମାମଲା ରୁଜୁ ହେବା ୨୧.୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ରେ ହୋଇଥିବା ମୋଟ୍‌ ଧର୍ତ୍ତବ୍ୟ ଅପରାଧରୁ ୬୪.୪ ପ୍ରତିଶତ ଆଇପିସି ମାମଲା ଥିବାବେଳେ ୩୫.୬ ପ୍ରତିଶତ ଏସ୍‌ଏଲ୍‌ଏଲ୍‌ ମାମଲା। ୨୦୧୯ରେ ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା ଯୋଗୁଁ ୨୯,୪୬୯ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ଏହା ୬,୧୨,୧୭୯କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ୨୦୨୦ରେ ଦେଶରେ ପ୍ରତିଦିନ ହାରହାରି ୮୦ ହତ୍ୟା ମାମଲା ରୁଜୁ ହୋଇଛି। ମୋଟ ୨୯,୧୯୩ ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
୨୦୨୦ରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ କମିଛି।

ସରକାରୀ ନିର୍ଦ୍ଦେଶର ସର୍ବାଧିକ ଅବମାନନା କରାଯାଇଛି
ରାଜସ୍ଥାନରେ ସର୍ବାଧିକ ଦୁଷ୍କର୍ମ ମାମଲା
ମଧ୍ୟପ୍ରଦେଶରେ ଶିଶୁଙ୍କ ବିରୋଧରେ ସର୍ବାଧିକ ଅପରାଧ
ହତ୍ୟା ମାମଲାରେ ଉତ୍ତରପ୍ରଦେଶ ଆଗରେ

ଦେଶରେ ପ୍ରତିଦିନ ହାରାହାରି ୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ବର୍ଷକ ଭିତରେ ଦେଶରେ ମୋଟ୍‌ ୨୮,୦୪୬ ମାମଲା ରୁଜୁ ହୋଇଛି। ‌ ମହିଳାଙ୍କ ବିରୋଧରେ ମୋଟ୍‌ ୩,୭୧,୫୦୩ ଅପରାଧିକ ମାମଲା ରହିଛି। ୨୦୧୯ରେ ଏହି ମାମଲା ୪,୦୫,୩୨୬ ଥିଲା। ୨୦୨୦ରେ ମହିଳାଙ୍କ ବିରୋଧରେ ହୋଇଥିବା ମୋଟ୍‌ ଅପରାଧରୁ ୨୮,୦୪୬ ହେଉଛି ଦୁଷ୍କର୍ମ ମାମଲା। ମୋଟ୍‌ ୨୮,୧୫୩ ପୀଡ଼ିତାଙ୍କ ମଧ୍ୟରୁ ୨୫,୪୯୮ ଜଣ ବୟସ୍କ ଏବଂ ୨,୬୫୫ ଜଣଙ୍କ ବୟସ ୧୮ ବର୍ଷ ତଳେ। ୨୦୨୦ରେ ରାଜସ୍ଥାନରେ ସର୍ବାଧିକ ୫,୩୧୦ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୨,୭୬୯, ମଧ୍ୟପ୍ରଦେଶରେ ୨,୩୩୯, ମହାରାଷ୍ଟ୍ରରେ ୨,୦୬୧ ଏବଂ ଆସାମ‌ରେ ୧୬୫୭ ମାମଲା ରହିଛି। ମହିଳାଙ୍କ ବିରୋଧରେ ଥିବା ମୋଟ୍‌ ଅପରାଧ ମଧ୍ୟରୁ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ବାରା ସର୍ବାଧିକ ନିର୍ଯାତିତ ମାମଲା ୧,୧୧,୫୪୯ ଥିବାବେଳେ ୬୨,୩୦୦ ଅପହରଣ ମାମଲା ରହିଛି। ଦେଶରେ ୧୦୫ ଏସିଡ୍‌ ଆକ୍ରମଣ ମାମଲା ରୁଜୁ ହୋଇଛି। ଦେଶରେ ମଧ୍ୟ ଗତବର୍ଷ ୬,୯୬୬ ଯୌତୁକ ମୃତ୍ୟୁ ମାମଲା ରୁଜୁ ହୋଇଛି। ୨୦୨୦ରେ ଦେଶରେ ୮୪,୮୦୫ ଅପହରଣ ମାମଲା ରୁଜୁ ହୋଇଛି। ୨୦୧୯ ତୁଳନାରେ ୨୦୨୦ରେ ଅପହରଣ ମାମଲା ୧୯.୩ ପ୍ରତିଶତ କମିଛି। ୨୦୨୦ରେ ଶିଶୁଙ୍କ ବିରୋଧରେ ୧,୨୮,୫୩୧ ଅପରାଧିକ ମାମଲା ରହିଛି। ତେବେ ମଧ୍ୟପ୍ରଦେଶରେ ନାବାଳିକା ଦୁଷ୍କର୍ମ ଏବଂ ଶିଶୁଙ୍କ ବିରୋଧରେ ଅପରାଧିକ ମାମଲା ସର୍ବାଧିକ ରହିଛି। ମଧ୍ୟପ୍ରଦେଶରେ ୩,୨୫୯ ନାବାଳିକା ଦୁଷ୍କର୍ମ ମାମଲା ଥିବାବେଳେ ମହାରାଷ୍ଟ୍ରରେ ୨,୭୮୫, ଉତ୍ତରପ୍ରଦେଶରେ ୨,୬୩୦ ମାମଲା ରହିଛି।

ଏନ୍‌ସିଆରବି ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ହତ୍ୟା ମାମଲା ରୁଜୁ ହୋଇଛି। ୨୦୧୯ ତୁଳନାରେ ୨୦୨୦ରେ ହତ୍ୟା ମାମଲା ୧ ପ୍ରତିଶତ ବଢ଼ିଛି। ୨୦୧୯ରେ ୨୮,୯୧୫ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ଏହା ୨୯,୧୯୩। ୨୦୧୯ରେ ଦୈନିକ ହାରାହାରି ହତ୍ୟା ମାମଲା ୭୯ ଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୩,୭୭୯ ହତ୍ୟା ମାମଲା ଥିବାବେଳେ ବିହାରରେ ୩,୧୫୦, ମହାରାଷ୍ଟ୍ରରେ ୨,୧୬୩, ମଧ୍ୟପ୍ରଦେଶରେ ୨,୧୦୧, ପଶ୍ଚିମବଙ୍ଗରେ ୧୯୪୮ ହତ୍ୟା ମାମଲା ରହିଛି। ୨୦୨୦ ରେ ଦିଲ୍ଲୀରେ ୪୭୨ ହତ୍ୟା ମାମଲା ରହିଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨,୯୧୩ ଅପହରଣ ମାମଲା ରହିଛି। ପଶ୍ଚିମବଙ୍ଗରେ ୯,୩୦୯, ମହାରାଷ୍ଟ୍ରରେ ୮,୧୦୩, ବିହାରରେ ୭,୮୮୯, ମଧ୍ୟପ୍ରଦେଶରେ ୭,୩୨୦ ଅପହରଣ ମାମଲା ରହିଛି।

ସମ୍ବନ୍ଧିତ ଖବର