ବିଚାରାଧୀନ କଏଦୀ: ଓଡ଼ିଶାରେ ଅଧାରୁ ଅଧିକ ଦଳିତ, ଆଦିବାସୀ

ଏନ୍‌ସିଆର୍‌ବି ଜେଲ୍‌ ପରିସଂଖ୍ୟାନ ରିପୋର୍ଟ-୨୦୨୧

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଜେଲ୍‌ରେ ଅଧାରୁ ଅଧିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ବିଚାରାଧୀନ କଏଦୀ ଅଛନ୍ତି। ଡିସେମ୍ବର ୩୧, ୨୦୨୧ ସୁଦ୍ଧା ରାଜ୍ୟର ବିଭିନ୍ନ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୧୮ ହଜାର ୧୬୪। ଏମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିର ୫୭୪୬, ଅନୁସୂଚିତ ଜନଜାତିର ୪୩୮୯, ପଛୁଆ ବର୍ଗର ୫୦୬୧ ଏବଂ ଅନ୍ୟାନ୍ୟ ବର୍ଗରୁ ୨୯୬୮ ରହିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗକୁ ହିସାବକୁ ନେଲେ ଏମାନଙ୍କ ସଂଖ୍ୟା ୧୦,୧୩୫। ଯାହାକି ମୋଟ ବିଚାରାଧୀନ କଏଦୀ ସଂଖ୍ୟାର ୫୬ ପ୍ରତିଶତ। ଶୁକ୍ରବାର ଦିନ ପ୍ରକାଶ ପାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଜେଲ୍‌ ପରିସଂଖ୍ୟାନ ରିପୋର୍ଟ-୨୦୨୧ରେ ଏହି ତଥ୍ୟ ଦିଆଯାଇଛି।

ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଓଡ଼ିଶାରେ ୨୦୨୦ ତୁଳନାରେ ୨୦୨୧ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟାରେ ୨୫୪୫ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ; ଜେଲ୍‌ମାନଙ୍କରେ ଦଣ୍ଡାଦେଶ ପରେ ସଜା କାଟୁଥିବା କଏଦୀମାନଙ୍କ ସଂଖ୍ୟା ମାତ୍ର ୨୬୨୦। ଡିସେମ୍ବର ୩୧, ୨୦୨୧ ସୁଦ୍ଧା ବିଚାରାଧୀନ କଏଦୀ ଓ ସଜା କାଟୁଥିବା କଏଦୀଙ୍କ ସହ ୧୯ ଜଣ ଅଟକ ବନ୍ଦୀଙ୍କୁ ହିସାବକୁ ନେଲେ ମୋଟ ୨୦୮୦୩ କଏଦୀ ରହିଛନ୍ତି। ଓଡ଼ିଶାରେ ଜେଲ୍‌ମାନଙ୍କ କ୍ଷମତା ୨୦,୯୮୭ ହୋଇଥିବା ବେଳେ ପୂର୍ଣ୍ଣ କ୍ଷମତାଠାରୁ ଏବେ ସାମାନ୍ୟ କମ୍‌ ରହୁଛନ୍ତି। ଅନ୍ୟପକ୍ଷରେ ଦେଶର ଜେଲମାନଙ୍କରେ କଏଦୀମାନଙ୍କର କ୍ଷମତା ୪,୨୫,୬୦୯ ହୋଇଥିବା ବେଳେ ଅଛନ୍ତି ୫,୫୪,୦୩୪। ଦେଶରେ ଧାର୍ଯ୍ୟ ସଂଖ୍ୟା ଠାରୁ ଜେଲ୍‌ମାନଙ୍କରେ ୧,୨୮,୪୨୫ ଅଧିକ କଏଦୀ ରହିଛନ୍ତି।

ଆଜୀବନ ଜେଲ୍‌ ଭୋଗୁଛନ୍ତି ୧୫୭୮
୬୯୯ ମାନସିକ ରୋଗୀ, ୭୩୯ ମହିଳା କଏଦୀ

International Adviser

ଓଡ଼ିଶାର ଜେଲ୍‌ମାନଙ୍କରେ ୧୮,୯୫୪ ଜଣ ପୁରୁଷ କଏଦୀ ରହିବା ବ୍ୟବସ୍ଥା ଥିବାବେଳେ ଅଛନ୍ତି ୨୦,୦୬୩। ସେହିଭଳି ୨୦୩୩ ମହିଳା କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ରହୁଛନ୍ତି ୭୩୯। ଜେଲ୍‌ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶାରେ ୯୨ଟି ଜେଲ୍‌ ମଧ୍ୟରୁ ୪ଟି କେନ୍ଦ୍ରୀୟ, ୯ଟି ଜିଲ୍ଲା ଜେଲ୍‌, ୭୩ ଟି ସବ୍ ଜେଲ, ୨ଟି ସ୍ବତନ୍ତ୍ର ‌ଜେଲ୍‌ ଓ ପୁରୁଷ ଏବଂ ମହିଳାଙ୍କ ପାଇଁ ଗୋଟିଏ ଲେଖାଏଁ ମୁକ୍ତାକାଶ ଜେଲ୍‌ ରହିଛି। ଜେଲ୍‌ମାନଙ୍କରେ ୪୭ ଜଣ ମହିଳା ସେମାନଙ୍କ ଶିଶୁମାନଙ୍କ ସହ ରହୁଛନ୍ତି। ଏହି ଶିଶୁମାନଙ୍କ ସଂଖ୍ୟା ୫୨।

ଓଡ଼ିଶାର ଦୁଇଟି ସ୍ବତନ୍ତ୍ର ଜେଲ୍‌ରେ କଏଦୀମାନଙ୍କର ରହିବା କ୍ଷମତା ୧୫୫୧ ରହିଥିବାବେଳେ ରହୁଛନ୍ତି ୧୫୯୭। ଏ ‌କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ। ଦ୍ବିତୀୟ ସ୍ଥାନରେ କେରଳ ରହିଛି। କେରଳର ସ୍ବତନ୍ତ୍ର ଜେଲ୍‌ମାନଙ୍କରେ ୧୩୨୮ କଏଦୀ ରହୁଛନ୍ତି। ଗତବର୍ଷ ଦଣ୍ଡାଦେଶ ଭୋଗୁଥିବା ୧୦୨ ଜଣ କଏଦୀଙ୍କୁ ଆଗୁଆ ଖଲାସ କରାଯାଇଥିବା ବେଳେ ୩୨୭ ଜଣ କଏଦୀ ଅବଧି ପୂରଣ ପରେ ଜେଲ୍‌ରୁ ଖଲାସ ହୋଇଥିଲେ। ୧୧୧୫ ଜଣ ଜାମିନରେ ଖଲାସ ହୋଇଥିଲେ ଏବଂ ୨୧୮ ଜଣଙ୍କୁ ପାରୋଲରେ ଖଲାସ କରାଯାଇଥିଲା।

ଓଡିଶାରେ ଜେଲ୍‌ମାନଙ୍କରେ ୧୫୭୮ ଜଣ ଆଜୀବନ ଜେଲ ଭୋଗୁଥିବା କଏଦୀ ରହିଛନ୍ତି। ଜେଲ୍‌ମାନଙ୍କରେ ୬୯୯ ମାନସିକ ରୋଗୀ କଏଦୀ ମଧ୍ୟ ରହିଛନ୍ତି। ଯାହାକି ଦେଶରେ ଦ୍ବିତୀୟ। ସାରାଦେଶରେ ମାନସିକ ରୋଗୀ କଏଦୀମାନଙ୍କ ସଂଖ୍ୟା ୯୧୮୦ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୧୭୯୨ ମାନସିକ କଏଦୀ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଜେଲ୍‌ରେ ୨୦୨୧ରେ ୬୦ ଜଣ କଏଦୀଙ୍କ ମୃତ୍ୟୁ ‌ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ସ୍ବାଭବିକ ମୃତ୍ୟୁ ହୋଇଥିବାବେଳେ ୮ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା।

Times of India

ରିପୋର୍ଟ ମୁତାବକ ୨୦୨୧ରେ ଓଡିଶାର ଜେଲମାନଙ୍କରୁ ୭ ଜଣ କଏଦୀ ଚମ୍ପଟ ମାରିଥିଲେ। ଗତବର୍ଷ ବିଭିନ୍ନ ଜେଲ୍‌ରୁ ଖଲାସ ହୋଇଥିବା ୧୫ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ଓ ୨ ଜଣଙ୍କୁ ଥଇଥାନ କରାଯାଇଛି। ଏହା ସହ ୧୦୫୪ ଜଣଙ୍କୁ ଆଇନ ସହାୟତା ପ୍ରଦାନ କରାଯାଇଥିଲା। ଜେଲ୍‌ ସଂସ୍କାର କାର୍ଯ୍ୟ ପାଇଁ ଓଡ଼ିଶାର ବିଭିନ୍ନ ଜେଲ‌ମାନଙ୍କରେ ୪୨ଟି ଏନ୍‌ଜିଓ କାର୍ଯ୍ୟକରୁଛନ୍ତି। ରାଜ୍ୟର ଜେଲ୍‌ମାନଙ୍କରେ ମଂଜୁରୀପ୍ରାପ୍ତ ୨୮୯୮ ପଦବି ମଧ୍ୟରୁ ୨୧୩୨ଟି ପଦ ପୂରଣ ହୋଇଛି ଓ ୭୬୬ ପଦ ଖାଲିପଡ଼ିଛି। ୨୦୨୧-୨୨ରେ ଓଡ଼ିଶାର ଜେଲ୍‌ମାନଙ୍କୁ ଆବଣ୍ଟିତ ୨୧୯.୪ କୋଟି ଟଙ୍କାରୁ ୧୯୫.୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର