ଏନ୍‌ସିଆର୍‌ବି ରିପୋର୍ଟ: ରାଜ୍ୟରେ ଦିନକୁ ୧୫ ଆତ୍ମହତ୍ୟା

ପାରିବାରିକ ସମସ୍ୟା ଓ ପ୍ରେମ ମୁଖ୍ୟ କାରଣ, ବଜ୍ରପାତ, ସାପ କାମୁଡ଼ା ମୃତ୍ୟୁ‌ରେ ଓଡ଼ିଶା ଦେଶରେ ଦ୍ବିତୀୟ

ନୂଆଦିଲ୍ଲୀ : ଓଡ଼ିଶାରେ ପ୍ରତି ଦିନ ୧୫ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୨୧ ପାଇଁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏଭଳି ଉଦ୍‌ବେଗଜନକ ତଥ୍ୟ ମିଳିଛି। କେବଳ ଗତବର୍ଷ ରାଜ୍ୟରେ ୫୬୫୧ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪୪୧୨ ଥିବା ବେଳେ ୧୨୩୯ ମହିଳା ଆତ୍ମହତ୍ୟା କରିଥିଲେ। ଏହାପଛରେ ପାରିବାରିକ ସମସ୍ୟା ପ୍ରମୁଖ କାରଣ ରହିଛି। ଏହି ସମସ୍ୟା ଯୋଗୁଁ ସର୍ବାଧିକ ୪୦୩୩ ଜଣ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ ୧୩୪ ବିବାହ ଜନିତ ଓ ୧୩୨ ଜଣ ପ୍ରେମ ବ୍ୟାପରକୁ ନେଇ ଆତ୍ମହତ୍ୟା କରିଥିଲେ। ତେବେ ଚିନ୍ତାଜନକ ବିଷୟ ହେଲା ଯେ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ଅଛନ୍ତି ୮୩୪ ଛାତ୍ରଛାତ୍ରୀ। ଏଥିରେ ଛାତ୍ରଙ୍କ ସଂଖ୍ୟା ୬୯୭ ଓ ଛାତ୍ରୀଙ୍କ ସଂଖ୍ୟା ଥିଲା ୧୩୭। କରୋନା ଲକ୍ ଡାଉନ୍ ପରେ ମାନସିକ ଅବସାଦଗ୍ରସ୍ତ ହୋଇ ଲୋକମାନେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା କୁହାଯାଉଛି। ୨୦୨୦ ତୁଳନାରେ ଓଡ଼ିଶାରେ ଆତ୍ମହତ୍ୟା ହାର ୧.୯ ପ୍ରତିଶତ ବୃଦ୍ଧି ପାଇଛି।

Patrika

ଏହି ରିପୋର୍ଟ ଅନୁସାରେ ଗତବର୍ଷ ୩୭୭ ଜଣ ଗୃହିଣୀ, ୬୧୮ ଜଣ ବେକାର, ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୨୭୫୩ ଜଣ ଫାଶି ଲଗାଇ ଆତ୍ମହତ୍ୟା କରିଥିବା‌ ବେଳେ ୨୩୨୨ ଜଣ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ହେଲେ ଗତ ବର୍ଷ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ସେହିଭଳି ପ୍ରାକୃତିକ ବିଭୀଷିକା ଓ ଅନ୍ୟାନ୍ୟ କାରଣରୁ ଓଡ଼ିଶାରେ ଗତ ବର୍ଷ ୧୯ ହଜାର ୬୬୫ ଲୋକଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ବଜ୍ରପାତରେ ମଧ୍ୟପ୍ରଦେଶ ପରେ ଦ୍ବିତୀୟ ସର୍ବାଧିକ ମୃତ୍ୟୁ ଓଡ଼ିଶାରେ ହୋଇଛି। ମଧ୍ୟପ୍ରଦେଶରେ ୪୯୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଥିଲା ୨୮୭। ବଜ୍ରପାତ ଭଳି ସାପ କାମୁଡ଼ା ମୃତ୍ୟୁରେ ମଧ୍ୟ ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସାପ କାମୁଡ଼ାରେ ଗତବର୍ଷ ୧୦୧୯ ଜଣଙ୍କ ମୃତ୍ୟୁ ହୋଇଛି। ପାଣିରେ ବୁଡ଼ିଯାଇ ୧୫୫୧ ଜଣ ଓ ଡଙ୍ଗାବୁଡ଼ି କାରଣରୁ ୭୯ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଆଘାତରେ ୯୭ ଜଣ; ଯାନବାହାନରୁ ଖସିପଡ଼ି ୧୪୩୪ ଜଣ ଓ ଉଚ୍ଚ ସ୍ଥାନରୁ ଖସିପଡ଼ି ୩୧୯ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ବଢ଼ିବା ସହିତ ତତ୍‌ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ଗତବର୍ଷ ରାଜ୍ୟରେ ୧୦୯୮୩ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ ତୁଳନାରେ ଏହା ୧୧.୯ ପ୍ରତିଶତ ଅଧିକ। ସେହିଭଳି ୨୦୨୧ରେ ରେଳ ଦୁର୍ଘଟଣାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ୬୬୧ ଜଣଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ଜୀବନ ଯାଇଛି। ପଶୁ ଆକ୍ରମଣରୁ ୧୨୮ ଓ ବିଷ ପିଇ ୧୦୮୪ ଜଣ ପ୍ରାଣ ହରାଇଛନ୍ତି। ଆକସ୍ମିକ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ୨୦୨୧ରେ ଓଡ଼ିଶାରେ ୧୨୪୮ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୨୪୮ ଜଣଙ୍କ ମୃତ୍ୟୁ ହୋଇଛି।

Kashmir Reader

ଓଡ଼ିଶା‌ରେ ତିନି ବର୍ଷ ହେଲା ମହିଳା ବିରୋଧୀ ହିଂସା ବୃଦ୍ଧିପାଉଛି। ୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ ମହିଳା ବିରୋଧୀ ହିଂସା ଘଟିଛି। ୨୦୨୦ରେ ଏହା ୨୫ ହଜାର ୪୮୯ ଓ ୨୦୧୯ ରେ ୨୩ ହଜାର ୧୮୩ ଥିଲା। ସାରା ଭାରତରେ ୨୦୨୧ରେ ମହିଳା ବିରୋଧୀ ହିଂସା ୪,୨୮,୨୭୮ ଘଟିଥିବା ବେଳେ ସର୍ବାଧିକ ୫୬ ହଜାର ୮୩ ଅପରାଧ ଉତ୍ତରପ୍ରଦେଶରେ ସଂଘଟିତ ହୋଇଛି। ମହାରାଷ୍ଟ୍ରରେ ୩୯,୫୨୬, ରାଜସ୍ଥାନରେ ୪୦,୭୩୮ ଓ ପଶ୍ଚିମବଙ୍ଗରେ ୩୫,୮୮୪ ଏଭଳି ହିଂସା ହୋଇଛି। ମହିଳା ଅପରାଧ ହାର ଦୃଷ୍ଟିରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଆସାମରେ ଅପରାଧ ହାର ସର୍ବାଧିକ ୧୬୮.୩ ଓ ଦିଲ୍ଲୀରେ ୧୪୭.୬ ଥିବା ବେଳେ ଓଡିଶାର ହାର ହେଲା ୧୩୭.୮। ଭାରତରେ ଗତ ବର୍ଷ ମୋଟ ୪ ଲକ୍ଷ ୨୮ ହଜାର ୨୭୮ ମହିଳା ବିରୋଧୀ ହିଂସା ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି।

ଓଡ଼ିଶାରେ ମହିଳା ଅପରାଧ ଚାର୍ଜସିଟ୍‌ ହାର ୮୦.୧ ପ୍ରତିଶତ ରହିଛି। ମୋଟ ମାମଲା ମଧ୍ୟରୁ ୨୦୨୧ରେ ୨୩୧୩ଟିର ଫଇସଲା ହୋଇଛି। ଏହା ମୋଟ ବିଚାରାଧୀନ ମାମଲାର ୧.୪ ପ୍ରତିଶତ। ଆଇପିସିର ବିଭିନ୍ନ ଧାରାରେ ୨୭ ହଜାର ୭୯୨ ଟି ମାମଲା ( ଦୁଷ୍କର୍ମ, ଏସିଡ୍‌ ଆକ୍ରମଣ ଓ ହତ୍ୟା ଆଦି ମାମଲା) ରୁଜୁ ହୋଇଥିବା ବେଳେ ଏସ୍‌ଏଲ୍‌ଏଲ୍‌ ( ସ୍ବତନ୍ତ୍ର ଓ ସ୍ଥାନୀୟ ଆଇନ) ଅଧୀନରେ ୩ ହଜାର ୫୬୦ ମାମଲା ରୁଜୁ ହୋଇଛି। ୨୦୨୧ରେ ୫୧୭୫ ଅପହରଣ, ୧୪୫୬ ଦୁଷ୍କର୍ମ, ୨୯୩ ଯୌତୁକ ମୃତ୍ୟୁ, ୪୬୫ ଯୌତୁକ ନିର୍ଯାତନା, ୯୪୩୧ ନିର୍ଯାତନା, ୧୫୨୦ ଯୌନ ନିର୍ଯାତନା, ୩୩୫୭ ବିବସ୍ତ୍ର କରିବା ଆଦି ମାମଲା ରୁଜୁ ହୋଇଛି। ଗତ ବର୍ଷ ଓଡିଶାରେ ମହିଳାଙ୍କ ବିରୋଧରେ ୫୬୫ଟି ସାଇବର ଅପରାଧ ଓ ସୂଚନା ପ୍ରଯୁକ୍ତି ସମ୍ବନ୍ଧିତ ଅପରାଧ ମାମଲା ମଧ୍ୟ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର