ଏନ୍‌ସିଆର୍‌ବି ରିପୋର୍ଟ: ୨୦୨୦ରେ ୫୧,୬୯୨ ଜଣଙ୍କ ଫିଙ୍ଗର ପ୍ରିଣ୍ଟ୍‌

ନୂଆଦିଲ୍ଲୀ : ଓଡ଼ିଶା ଫିଙ୍ଗର୍‌ ପ୍ରିଣ୍ଟ୍‌ ବ୍ୟୁରୋ‌ ରେକର୍ଡରେ ଡିସେମ୍ବର ୩୧,୨୦୨୦ ସୁଦ୍ଧା ୫୧,୬୯୨ ଦୋଷୀଙ୍କ ଦଶ ସଂଖ୍ୟା ବିଶିଷ୍ଟ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍ଲିପ୍‌ସ (ଟେନ୍‌ ଡିଜିଟ୍‌ ଫିଙ୍ଗର୍‌ ପ୍ରିଣ୍ଟ ସ୍ଲିପ୍‌ସ୍‌) ରହିଛି। ଡିସେମ୍ବର ୩୧,୨୦୧୯ ତୁଳନାରେ ଏହି ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଡିସେମ୍ବର ୩୧,୨୦୧୯ ସୁଦ୍ଧା ୫୧,୬୭୮ ଜଣଙ୍କ ଫିଙ୍ଗର୍‌ ପ୍ରିଣ୍ଟ୍‌ ରହିଥିଲା ଏନ୍‌ସିଆର୍‌ବି ଦ୍ବାରା ସଦ୍ୟ ପ୍ରକାଶିତ ଫିଙ୍ଗର୍‌ ପ୍ରିଣ୍ଟ୍‌ ଇଣ୍ଡିଆ-୨୦୨୦ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଓଡ଼ିଶା ସମେତ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଫିଙ୍ଗର୍‌ ପ୍ରିଣ୍ଟ୍‌ ବ୍ୟୁରୋମାନଙ୍କରେ ୨୩,୯୩,୫୫୪ ଦୋଷୀଙ୍କ ଫିଙ୍ଗର ପ୍ରିଣ୍ଟ୍‌ ରେକର୍ଡ ଥିବା ଉଲ୍ଲେଖ ରହିଛି। ଏହି ସଂଖ୍ୟା ପଂଜା‌ବରେ ସର୍ବାଧିକ ୩,୮୨,୨୫୭ ଥିବ‌ାବେଳେ, ଉତ୍ତର ପ୍ରଦେଶରେ ୩,୭୮,୦୪୧ ଏବଂ ମହାରାଷ୍ଟ୍ରରେ ୩,୩୧,୧୨୦ ରହିଛି। ଓଡ଼ିଶାର ୫ଟି ମାମଲାରେ ଫିଙ୍ଗର୍‌ ପ୍ରିଣ୍ଟ୍‌ ବିଶେଷଜ୍ଞମାନଙ୍କୁ ଅପରାଧ ସ୍ଥଳକୁ ପରିଦର୍ଶନ କରି ଘଟଣାର ‘ଚାନ୍‌ସ ପ୍ରିଣ୍ଟ’ ବିକଶିତ କରାଯାଇ ଥିବା ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର