ନୂଆଦିଲ୍ଲୀ: ଦେଶରେ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅଧୀନରେ ମାମଲା ସଂଖ୍ୟା ୨୦୨୧ ତୁଳନାରେ ୨୦୨୨ରେ ୨୩ ପ୍ରତିଶତ ବୃଦ୍ଧି ପାଇଛଇ। ଏନସିଆରବି (ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ) ପକ୍ଷରୁ ଗତ ରବିବାର ପ୍ରକାଶିତ ତଥ୍ୟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦେଶ ବିରୋଧରେ ମୋଟ ଅପରାଧ ସଂଖ୍ୟା ୨୦୨୧ରେ ୫୧୬୪ ଥିଲା। କିନ୍ତୁ ୨୦୨୨ ମସିହାରେ ଏହି ଅପରାଧ ସଂଖ୍ୟା ୫୬୧୦ରେ ପହଞ୍ଚିଛି। ୨୦୨୧ରେ ୟୁଏପିଏ ଅଧୀନରେ ମାମଲା ସଂଖ୍ୟା ୮୧୪ ଥିଲାବେଳେ ୨୦୨୨ରେ ଏହି ସଂଖ୍ୟା ୧୦୦୫ରେ ପହଞ୍ଚିଛି।

Advertisment

ଦେଶ ବିରୋ‌ଧରେ ଅପରାଧ ମାମଲାକୁ ଏନ୍‌ସିଆର୍‌ବି ବିଭିନ୍ନ ବିଭାଗରେ ବିଭକ୍ତ କରିଛି। ସେଗୁଡ଼ିକ ହେଲା ୟୁଏପିଏ, ଦେଶଦ୍ରୋହ ବା ଆଇପିସିର ଧାରା ୧୨୧ରୁ ୧୨୪, ସର୍ବସାଧାରଣ ସଂପତ୍ତି ନଷ୍ଟ ନିବାରଣ ଆଇନ ଏବଂ ଅଫିସିଆଲ ସିକ୍ରେଟ୍‌ସ ଆକ୍ଟ ଆଦି। ସର୍ବସାଧାରଣ ସଂପତ୍ତି ନଷ୍ଟ ମାମଲା ସଂଖ୍ୟା ୨୦୨୧ରେ ୪୦୮୯ ଥିଲା। କିନ୍ତୁ ୨୦୨୨ରେ ଏହି ସଂଖ୍ୟା ୪୪୦୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶଦ୍ରୋହ ମାମଲା ବା ଆଇପିସିର ଧାରା ୧୨୧ରେ ରୁଜୁ ମାମଲା ସଂଖ୍ୟାରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ଘଟିଛି। ୨୦୨୧ରେ ଏହି ଧାରାରେ ମାମଲା ସଂଖ୍ୟା ୭୬ ଥିବାବେଳେ ୨୦୨୨ରେ ଏହା ୨୦କୁ କମିଛି।
ଦେଶର ବିଭିନ୍ନ ରାଜ୍ୟରେ ୟୁଏପିଏ ମାମଲା ବୃଦ୍ଧି ଘଟିଛି। ଜମ୍ମୁ କାଶ୍ମୀରରେ ୟୁଏପିଏ ମାମଲାରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ରେ ସେଠାରେ ଉକ୍ତ ମାମଲା ସଂଖ୍ୟା ୨୮୯ ଥିଲା। ୨୦୨୨ରେ ଏହା ୩୭୧ରେ ପହଞ୍ଚିଛି। ସେହିଭଳି ପଞ୍ଜାବରେ ୨୦୨୧ରେ ଏହି ମାମଲା ୧୪ ଥିଲା ଏବଂ ୨୦୨୨ରେ ୨୫କୁ ବୃଦ୍ଧି ପାଇଛି। ହରିୟାଣାରେ ଏହି ମାମଲା ରୁ ୧୧କୁ ବଢ଼ିଛି। ଆସାମରେ ମଧ୍ୟ ଉକ୍ତ ମାମଲାରେ ୪୦ ପ୍ରତିଶତ ବୃଦ୍ଧି ଘଟି ୧୩୩ ଛୁଇଁଛି। ଉତ୍ତର ପ୍ରଦେଶରେ ୟୁଏପିଏ ମାମଲା ୨୦୨୧ରେ ୮୩ଟି ଥିବାବେଳେ ୨୦୨୨ରେ ୧୦୧ରେ ପହଞ୍ଚିଛି।