ଏନ୍‌ସିଆରବି ରିପୋର୍ଟ: ହତ୍ୟା ଅପରାଧରେ ଉତ୍ତରପ୍ରଦେଶ ନମ୍ବର ୧

ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ିଛି, ଓଡ଼ିଶାରେ ଯୌତୁକ ଜନିତ ହତ୍ୟା ସର୍ବାଧିକ

ନୂଆଦିଲ୍ଲୀ: ଦୁଇ ବର୍ଷର ବିଳମ୍ବ ପରେ ଆଜି ୨୦୧୭ ବର୍ଷ ପାଇଁ ଏନ୍‌ସିଆର୍‌ବି (ନ୍ୟାସନାଲ କ୍ରାଇମ୍‌ ରେକର୍ଡ‌ସ୍‌ ବ୍ୟୁରୋ) ଦ୍ବାରା ଦେଶର ଅପରାଧ ତଥ୍ୟ ପ୍ରକାଶ ପାଇଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ୬ ପ୍ରତିଶତ ବଢ଼ିଛି ଏବଂ ହତ୍ୟା ୬ ପ୍ରତିଶତ କମିଛି। ରିପୋର୍ଟ ଅନୁଯାୟୀ ମହିଳାଙ୍କ ବିରୋଧରେ ଦେଶବ୍ୟାପୀ ୩,୫୯,୮୪୯ ଅପରାଧ ମାମଲା ରହିଛି। ଏହି ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି। ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ୫୬,୦୧୧ ଥିବାବେଳେ ଏହା ପଛକୁ ମହାରାଷ୍ଟ୍ରରେ ୩୧,୯୭୯ ମାମଲା ଏବଂ ପଶ୍ଚିମବଙ୍ଗରେ ୩୦,୦୦୨ଟି ମାମଲା ରହିଛି। ୨୦୧୬ ତୁଳନାରେ ୨୦୧୭‌ରେ ମହିଳାଙ୍କ ବିରୋଧରେ ଅପରାଧ ୬ ପ୍ରତିଶତ ବଢ଼ିଛି ଏବଂ ୨୦୧୫ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧ ୯ ପ୍ରତିଶତ ବୃଦ୍ଧି ପାଇଛି। ସ୍ବାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଦ୍ବାରା ଅତ୍ୟାଚାରର ଶିକାର ହେଉଥିବା ନେଇ ମହିଳାଙ୍କ ବିରୋଧରେ ଅଧିକ ଅପରାଧ ମାମଲା ଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ ମସିହାରେ ଦେଶରେ ସମୁଦାୟ ୧୧୨୩ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଛି। ଯୌତୁକ ଜନିତ ହତ୍ୟା ମାମଲା ଓଡ଼ିଶାରେ ସର୍ବାଧିକ ବୋଲି ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ରେ ଓଡ଼ିଶାରେ ସର୍ବାଧିକ ୨୯୧ଟି ଯୌତୁକ ଜନିତ ହତ୍ୟା ମାମଲା ଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗରେ ୨୭୪ ଯୌତୁକ ଜନିତ ହତ୍ୟା ମାମଲା ରହିଛି। ଦିଲ୍ଲୀରେ ୪ଟି ଯୌତୁକ ଜନିତ ହତ୍ୟା ମାମଲା ରହିଛି।

ଦେଶରେ ହତ୍ୟା ୬ ପ୍ରତିଶତ କମିଛି। ୨୦୧୬ରେ ଦେଶବ୍ୟାପୀ ୩୦, ୪୫୦ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୦୧୭ରେ ଏହା ୨୮,୬୫୩କୁ କମିଛି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ବିଭାଗ ତଥ୍ୟରୁ ଏହା ଜଣାପଡ଼ିଛି ‌ଯେ ହତ୍ୟାର ଦୁଇଟି ପ୍ରମୁଖ କାରଣ ହେଉଛି ବ୍ୟକ୍ତିଗତ ଶତ୍ରୁତା ଏବଂ ବିବାଦ। ବିବାଦ ପାଇଁ ଦେଶରେ ୭,୮୯୮ ହତ୍ୟା ମାମଲା ଥିବାବେଳେ ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ୪,୬୬୦ ହତ୍ୟା ମାମଲା ରହିଛି। ଉତ୍ତରପ୍ରଦେଶରେ ସବୁଠୁ ଅଧିକ ହତ୍ୟା ମାମଲା ରହିଛି। ଉତ୍ତରପ୍ରଦେଶ‌ରେ ୨୦୧୭ରେ ୪,୩୨୪ ହତ୍ୟା ମାମଲା ଥିବାବେଳେ ଏହା ପଛକୁ ବିହାରରେ ୨,୮୦୩ ଏବଂ ମହାରାଷ୍ଟ୍ରରେ ୨୧୦୩ ହତ୍ୟା ମାମଲା ରହିଛି। ତେବେ ୨୦୧୬ ରେ ଉତ୍ତରପ୍ରଦେଶରେ ୪,୮୮୯ ହତ୍ୟା ତୁଳନାରେ ୨୦୧୭ରେ କମିଛି। ଅନ୍ୟପକ୍ଷେ ବିହାରରେ ୨୦୧୬ରେ ୨,୫୮୧ ହତ୍ୟା ମାମଲା ତୁଳନାରେ ୨୦୧୭ରେ ହତ୍ୟା ମାମଲା ବଢ଼ିଛି। ବିବାଦ ପାଇଁ ଉ‌ତ୍ତରପ୍ରଦେଶରେ ୧୦୫୧ ଏବଂ ବିହାରରେ ୯୯୩ ହତ୍ୟା‌ ମାମଲା ପରେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ୮୨୪ ହତ୍ୟା ମାମଲା ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରେ ବିବାଦ ପାଇଁ ୧୪୪ ହତ୍ୟା ମାମଲା ରହିଛି। ‌ତେବେ ୨୦୧୬ ତୁଳନାରେ ୨୦୧୭ରେ ଦିଲ୍ଲୀରେ ହତ୍ୟା ମାମଲା କମିଛି। ୨୦୧୬ରେ ଦିଲ୍ଲୀରେ ୫୨୮ ହତ୍ୟା ମାମଲା ଥିବାବେଳେ ୨୦୧୭ରେ ଏହା ୪୮୭କୁ କମିଛି। ମଧ୍ୟପ୍ରଦେଶ ଏବଂ ମହାରା‌ଷ୍ଟ୍ରରେ ‘ଜଳ ବିବାଦ’ ପାଇଁ ୧୪ ହତ୍ୟା ମାମଲା ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ରେ ସମୁଦାୟ ୯୫,୮୯୩ ଅପହରଣ ମାମଲା ରୁଜୁ ହୋଇଛି। ୨୦୧୬ ତୁଳନାରେ ଏହା ୯.୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ରେ ସମୁଦାୟ ୮୮,୦୦୮ ଅପହରଣ ମାମଲା ରୁଜୁ ହୋଇଥିଲା। ସେହିପରି ୨୦୧୭ରେ ୬୩,୩୪୯ ଶିଶୁ (୨୦,୫୫୫ ପୁଅ, ୪୨,୬୯୧ ଝିଅ ଏବଂ ୧୦୩ କିନ୍ନର) ନିଖୋଜ ମାମଲା ଥିଲା।

ଅନ୍ୟପକ୍ଷେ ଏନ୍‌ସିଆର୍‌ବି ପ୍ରଥମ ଥର ପାଇଁ ମିଥ୍ୟା /ନକଲି ଖବର ଏବଂ ଗୁଜବ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଛି। ଏହି ଶ୍ରେଣୀରେ ମଧ୍ୟପ୍ରଦେଶରେ ସବୁଠୁ ଅଧିକ (୧୩୮), ଉତ୍ତରପ୍ରଦେଶରେ (୩୨) ଏବଂ କେରଳରେ (୧୮) ଟି ମାମଲା ଥିବା ଜଣାପଡ଼ିଛି। ଦେଶରେ ୫୮,୮୮୦ ଦଙ୍ଗା ମାମଲା ରହିଛି। ଏଥି ମଧ୍ୟରୁ ବିହାରରେ ସର୍ବାଧିକ ୧୧,୬୯୮ ଦଙ୍ଗା ମାମଲା ରହିଛି। ବିହାରକୁ ଭାରତର ଦଙ୍ଗା ରାଜଧାନୀ କୁହାଯାଉଛି। ଏହା ପଛକୁ ଉତ୍ତରପ୍ରଦେଶରେ ୮,୯୯୦ ଏବଂ ମହାରାଷ୍ଟ୍ରରେ ୭,୭୪୩ ଦଙ୍ଗା ମାମଲା ରହିଛି। ରିପୋର୍ଟ ଅନୁଯାୟୀ ଜାତିଆଣ ବିବାଦ ପାଇଁ ୮୦୫ ଦଙ୍ଗା ହୋଇଥିବାବେଳେ ରାଜନୈତିକ କାରଣ ପାଇଁ ୧୯୦୯ ଦଙ୍ଗା ହୋଇଛି। ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି ଯେ ମୁମ୍ବାଇ ଏବଂ କୋଲକାତା ତୁଳନାରେ ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି। ୨୦୧୭ରେ ଦିଲ୍ଳୀରେ ୧୧୬୮ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ଅନ୍ୟପକ୍ଷେ ମୁମ୍ବାଇରେ ୨୮୭ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର