ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏର ଶକ୍ତି ହ୍ରାସ ବିଜେପି ପାଇଁ ଉଦ୍‌ବେଗର କାରଣ ପାଲଟିଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଏବଂ ଆର୍ଥିକ ସହାୟତା ବାବଦରେ ଉପେକ୍ଷିତ ଦର୍ଶାଇ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଚଳିତବର୍ଷ ମାର୍ଚ୍ଚରେ ଏନ୍‌ଡିଏରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଥିବା ବେଳେ ବିଜେପି-ଜେଡିୟୁ ଆସନ ବୁଝାମଣାକୁ ବିରୋଧ କରି ଏବେ ଆର୍‌ଏଲ୍‌ଏସ୍‌ପି ଏନ୍‌ଡିଏ ଛାଡ଼ିଛି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ସହ ସିଧାସଳଖ ମୁକାବିଲାରେ କଂଗ୍ରେସ ୩ଟି ରାଜ୍ୟ ଦଖଲ କରି ୟୁପିଏର ଶକ୍ତି ବୃଦ୍ଧି ଘଟାଇଥିବା ବେଳେ ଏବେ ଆର୍‌ଏଲ୍‌ଏସ୍‌ପିକୁ ସାମିଲ କରିବାରେ ସକ୍ଷମ ହୋଇଛି। ବିଧାନସଭା ନିର୍ବାଚନରେ ପରାଜୟ ଯୋଗୁ ଏବେ ଏନ୍‌ଡିଏ ପାଇଁ ଆସନ ଭାଗବଣ୍ଟା କ୍ଷେତ୍ରରେ ପରାଜୟ ପାଇଁ ବିଜେପି ତା’ର ଏକଚାଟିଆ ନେତୃତ୍ବ ଜାହିର କରିପାରୁନାହିଁ। ବିଭିନ୍ନ ଉପନିର୍ବାଚନରେ ପରାଜୟ, ଇସ୍ତଫା ଏବଂ ଏନ୍‌ଡିଏ ଛାଡ଼ି କେତେକ ସହଯୋଗୀଙ୍କ ପଳାୟନ ସତ୍ତ୍ବେ ଲୋକସଭାରେ ଏନ୍‌ଡିଏର ୩୦୭ ସଦସ୍ୟ ରହିଛନ୍ତି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟରେ ଏନ୍‌ଡିଏ ମେଣ୍ଟକୁ କାଏମ୍‌ ରଖିବା ପାଇଁ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ କସରତ ଆରମ୍ଭ କରିଦେଇଛନ୍ତି।
ଟିଡିପି ଓ ଆର୍‌ଏଲ୍‌ଏସ୍‌ପିର ସମର୍ଥନ ପ୍ରତ୍ୟାହାର ପରେ ଏବେ ଏଲ୍‌ଜେପି ନିଜର ଅସନ୍ତୋଷ ଜାହିର କରିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନ ଗୁରୁବାର ବିହାରରେ ଆସନ ଭାଗବଣ୍ଟାକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିହାର ମେଣ୍ଟରେ ସବୁକିଛି ଠିକ୍‌ ଲାଗୁନଥିବା ସଂକେତ ପାଇବା ପରେ ପାଶ୍ବାନ ଶାହଙ୍କୁ ଭେଟିଥିବା ଜଣାପଡ଼ିଛି। ଲୋକସଭାରେ ଏଲ୍‌ଜେପିର ୬ ସଦସ୍ୟ ରହିଛନ୍ତି।
ପାଶ୍ବାନଙ୍କ ସହ ତାଙ୍କ ପୁଅ ଚିରାଗ ପାଶ୍ବାନ ମଧ୍ୟ ଶାହଙ୍କୁ ଭେଟିଥିଲେ। ଆଲୋଚନା ପରେ ତିନି ନେତା ଗଣମାଧ୍ୟମ ପ୍ରଶ୍ନର କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କୁହାଯାଉଛି ଯେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ସହଯୋଗୀ ଦଳଗୁଡ଼ିକ ସହିତ ଆସନ ଭାଗବଣ୍ଟା ବାବଦରେ ଉତ୍ତମ ବୁଝାମଣା କରିନାହିଁ। ସେହି କାରଣରୁ ଆର୍‌ଏଲ୍‌ଏସ୍‌ପି ଶେଷରେ ଏନ୍‌ଡିଏ ହାତ ଛାଡ଼ିଦେଇଛି। ଏଲ୍‌ଜେପି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ଥିବା ଜଣାପଡ଼ିଛି। ତେବେ ଶାହଙ୍କୁ ଭେଟିବା ପୂର୍ବରୁ ପାଶ୍ବାନ କହିଥିଲେ ଯେ ଏନ୍‌ଡିଏ ଓ ଏଲ୍‌ଜେପି ମଧ୍ୟରେ କୌଣସି ସମସ୍ୟା ନାହିଁ। ସବୁ ଦଳ ଏକାଠି ଅଛନ୍ତି। ତେବେ ଚିରାଗ ପାଶ୍ବାନ ଏଲ୍‌ଜେପି ସଂସଦୀୟ ବୋର୍ଡର ଅଧ୍ୟକ୍ଷ ହୋଇଥିବାରୁ ସେ ହିଁ ଏ ବାବଦରେ ଅଧିକ କିଛି କହିପାରିବେ ବୋଲି ସାମ୍ବାଦିକମାନଙ୍କୁ ପାଶ୍ବାନ କହିଛନ୍ତି।