ବିହାରରେ ପୁଣି ଏନ୍‌ଡିଏ

ଅଳ୍ପକେ ଅଟକିଗଲା ତେଜସ୍ୱୀଙ୍କ ବିଜୟ ରଥ
ଆର୍‌ଜେଡି ସବୁଠୁ ବଡ଼ ଦଳ, ବିଜେପି ଦ୍ୱିତୀୟ
ନୀତୀଶଙ୍କ ଜେଡିୟୁର ନୈରାଶ୍ୟଜନକ ପ୍ରଦର୍ଶନ
ଆର୍‌ଜେଡିକୁ ‌ବୁଡ଼ାଇଲା କଂଗ୍ରେସ, ଜେଡିୟୁକୁ ଚିରାଗ

ନୂଆଦିଲ୍ଲୀ/ପାଟନା : କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ବିହାର ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ରହିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏ ହିଁ ଆଗରେ ରହିଲା। ଏ ଯାଏ ସବୁ ଆସନରେ ସରକାରୀ ଭାବେ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ଏନ୍‌ଡିଏ ୧୨୪ଟି ଆସନରେ ବିଜୟୀ ହୋଇ ଏକକ ସଂଖ୍ୟ ଗରିଷ୍ଠତା ହାସଲ କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିହାରବାସୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ବିକାଶ ପାଇଁ ଏହି ବିଜୟ ନିର୍ଣ୍ଣାୟକ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ଟକ୍କର ଦେଇଛନ୍ତି ଆର୍‌ଜେଡିର ଯୁବ ନେତା ତେଜସ୍ବୀ ଯାଦବ। ତେଜସ୍ବୀଙ୍କ ଆର୍‌ଜେଡି ୭୬ଟି ଆସନ ସହିତ ସର୍ବବୃହତ୍‌ ଦଳଭାବେ ଉଭା ହୋଇଛି। କିନ୍ତୁ ଆର୍‌ଜେଡି ନେତୃତ୍ବାଧୀନ ମହାମେଣ୍ଟ ଏନ୍‌ଡିଏ ଠାରୁ ଅଳ୍ପକେ ପଛରେ ପଡ଼ିଯାଇଛି।

ସର୍ବଶେଷ ସୂଚନା ଅନୁଯାୟୀ ୨୪୩ ସଭ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଦରକାର ଥିବା ବେଳେ ନୀତୀଶଙ୍କ ନେତୃତ୍ବାଧୀନ ‌ଜେଡିୟୁ-ବିଜେପି ମେଣ୍ଟ ବା ଏନ୍‌ଡିଏ ୧୨୪ଟି ଆସନରେ ଆଗୁଅ‌ା ରହିଛି। ସେହିଭଳି ଏହି ମେଣ୍ଟକୁ ଟକ୍କର ଦେଉଥିବା ତେଜସ୍ବୀଙ୍କ ମହାମେଣ୍ଟ ୧୧୧ଟି ଆସନରେ ଆଗୁଆ ରହିଛି। ତେବେ ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ ଏଥର ନୀତୀଶଙ୍କ ଜେଡିୟୁ ଆସନ ସଂଖ୍ୟା କମିଥିବା ବେଳେ ‌ବିଜେପି ଆସନ ସଂଖ୍ୟା ବଢ଼ିଛି। ୭୬ଟି ଆସନ ସହିତ ଆରଜେଡି ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛି ବିଜେପି (୭୩), ଜେଡିୟୁ (୪୩) ଏବଂ କଂଗ୍ରେସ(୧୯)। ଅନ୍ୟପକ୍ଷରେ ବିଜେପି ମେଣ୍ଟକୁ ୧୨୪ଟି ଆସନ ମିଳିଥିବାରୁ ସରକାର ଗଠନ ପାଇଁ ଦାବି ଜଣାଇବାକୁ ପ୍ରସ୍ତୁତ ହେଉଛି ଜେଡିୟୁ। ଏହାର ନେତା ନୀତୀଶ କୁମାର ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଉଭୟ ବିଜେପି ଏବଂ ଜେଡିୟୁ ଘୋଷଣା କରିଛନ୍ତି।

ବିହାରରେ କଡ଼ା ଟକ୍କର ହୋଇଥି‌େଲ ମଧ୍ୟ ଏଥର ନିର୍ବାଚନରେ ଏମିତି କିଛି ଘଟଣା ଘଟିଯାଇଛି, ଯାହାକି ବିହାର ରାଜନୀତି‌େର ସ୍ମରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭଳି ଅଭିଜ୍ଞ ନେତାଙ୍କ ଯୋଡ଼ିକୁ ୩୧ ବର୍ଷୀୟ ତେଜସ୍ବୀଙ୍କ ଭଳି କନିଷ୍ଠ ନେତା ଯେଉଁଭଳି ଏକାକୀ ଟକ୍କର ଦେଲେ ତାହାକୁ ମୋଦୀ ହୁଅନ୍ତୁ କି ନୀତୀଶ ଭୁଲି ପାରିବେ ନାହିଁ। ମହାମେଣ୍ଟ ଜିତିବ ବୋଲି ଆରଜେଡି ନେତାମାନେ ଆଶା ବାନ୍ଧିଥିଲେ ମଧ୍ୟ ସେମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି କଂଗ୍ରେସ। କଂଗ୍ରେସ ଏହାର ପୂର୍ବ ସ୍ଥିତିକୁ ତ ବଜାୟ ରଖିପାରିଲା ନାହିଁ, ଏହାର ଆସନ ସଂଖ୍ୟା ଆହୁରି କମିଗଲା।

ଅନ୍ୟପକ୍ଷରେ ମହାମେଣ୍ଟର ଅଂଶୀଦାର ଥିବ‌ା‌ ବାମ ଦଳଗୁଡ଼ିକ ପୂର୍ବ ଦୁଇଟି ନିର୍ବାଚନ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ ୨୯ଟି ଆସନରେ ଲଢ଼ିଥିଲେ ମଧ୍ୟ ୧୬ଟି ଆସନରେ ବିଜୟୀ ହେବାକୁ ଯାଉଛନ୍ତି। ଏହା କିଛି ପରିମାଣରେ ମହାମେଣ୍ଟକୁ ଆଶ୍ବସ୍ତ କରିଛି। କିନ୍ତୁ କଂଗ୍ରେସର ଦୟନୀତି ସ୍ଥିତି ମହାମେଣ୍ଟର ବିଜୟ ଆଶାକୁ ବିଗାଡ଼ି ଦେଇଛି।

ସେହିଭଳି ବିଜେପି-ଜେଡିୟୁ ମେଣ୍ଟ ଚିତ୍ର ମଧ୍ୟ ଏଥର ବଦଳିଯାଇଛି। ଗତ ନିର୍ବାଚନରେ ୭୧ଟି ଆସନ ହାସଲ କରିଥିବା ନୀତୀଶଙ୍କ ଜେଡିୟୁ ଏଥର ୪୩ଟି ଆସନ ପାଇବାକୁ ଯାଉଛି। ପୂର୍ବଥର ୫୩ଟି ଆସନ ହାସଲ କରିଥିବା ବିଜେପିକୁ ଏଥର ୭୩ଟି ଆସନ ମିଳିଛି। ଏନ୍‌ଡିଏରେ ସାମିଲ ନ ହେଲେ ମଧ୍ୟ ବିଜେପିକୁ ନିଜର ସହଯୋଗୀ କୁହାଯାଉଥିବା ଚିରାଗ ପାଶ୍ବାନଙ୍କ ଏଲ୍‌ଜେପିକୁ ଗୋଟିଏ ଆସନ ମିଳିଛି। ଗତ ଥର ତାଙ୍କର ଦଳ ଦୁଇଟି ଆସନରେ ବିଜୟୀ ହୋଇଥିଲା। ଏବେ ଏ କଥା କୁହାଯାଉଛି ଯେ ପାଶ୍ବାନ ନିଜେ ତ ବୁଡ଼ିଲେ, ନୀତୀଶଙ୍କୁ ବି ବୁଡ଼ାଇଦେଲେ। କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଥିବା ଏଲଜେପି ବିହାର ବିଧାନସଭା ନିର୍ବାଚନରେ ନୀତୀଶଙ୍କ ପାର୍ଟି ବିରୋଧରେ ପ୍ରାର୍ଥୀ ଦେଇଥିଲା, ଯାହାକି ନୀତୀଶଙ୍କ ଘୋର କ୍ଷତି ଘଟାଇଛି। ଅଭିଯୋଗ ହେଉଛି ଯେ ଚିରାଗ ପାଶ୍ବାନଙ୍କ ପଛ‌େର ବିଜେପି ନେତାମାନଙ୍କର ହାତ ରହିଥିଲା। ନୀତୀଶଙ୍କୁ ଦୁର୍ବଳ କରିବା ଲାଗି ସେମାନେ ଚିରାଗଙ୍କୁ ବ୍ୟବହାର କରିଥିଲେ। କାରଣ ନିର୍ବାଚନ ପ୍ରଚାର ବେଳେ ପାଶ୍ବାନ କେବଳ ନୀତୀଶଙ୍କ ବିରୋଧରେ ହିଁ ପ୍ରଚାର କରିଥିଲେ। ଏପରିକି ତାଙ୍କୁ ଜେଲ୍‌ ପଠାଇବାକୁ କହିଥିଲେ। ଯାହାକୁ ନେଇ ଅସହାୟ ହୋଇପଡ଼ିଥିଲେ ନୀତୀଶ। ଶେଷରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶରଣ ପଶିଥିଲେ। ଆଉ ‌ଶେଷରେ ମୋଦୀଙ୍କ ଘନଘନ ପ୍ରଚାର ହିଁ ନୀତୀଶଙ୍କୁ ଅଳ୍ପକେ ବଞ୍ଚାଇଦେଲା ବୋଲି କୁହାଯାଉଛି।

ଏହି ନିର୍ବାଚନରେ ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଆୱେସିଙ୍କ ଏଏମ୍‌ଆଇଏମ୍‌ର ୫ଟି ଆସନରେ ବିଜୟ। କୁହାଯାଉଛି ଯେ ଏହି ଦଳ ସୀମାଞ୍ଚଳରେ ୧୯ଟି ଆସନରେ ପ୍ରାର୍ଥୀ ଦେଇ ମୁସଲିମ ଭୋଟ୍ ବିଭାଜନ କରିଥିବାରୁ ବିଜେପି-ଜେଡିୟୁକୁ ଫାଇଦା ହୋଇଛି।

ସମ୍ବନ୍ଧିତ ଖବର