ଅନାସ୍ଥାକୁ ଭୟ କରୁଛି ଏନ୍‌ଡିଏ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଟିଡିପି ଓ ଓ୍ଵାଇଏସ୍‌ଆର୍‌ସି ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଜାଣିଶୁଣି ଭୟଭୀତ ଏନ୍‌ଡିଏ ସରକାର ଏଡାଇଦେବାକୁ ଚେଷ୍ଟା କରୁଛନ୍ତି। ବିରୋଧୀଙ୍କୁ ଭୁତେଇ ଗୃହରେ ଅଚଳାବାସ୍ଥା ଜାରି କରିବା ସହ ମୁଲତବୀ ଘୋଷଣା କରି ଅନାସ୍ଥା ପ୍ରସ୍ତାବ ନୋଟିସ୍‌ରେ ଆଲୋଚନା କରାଇ ନଦେବା ବିଜେପି ପାଇଁ ରାଜନୈତିକ ଆତ୍ମହତ୍ୟା ସଦୃଶ ହେବ ବୋଲି ଟିଡିପି ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ ଏଭଳି ଷଡ଼୍‍ଯନ୍ତ୍ର ଦେଶବାସୀ ବୁଝିବା ଆଉ ବାକି ନାହିଁ। ଏହାର ଫଳାଫଳ ଖୋଦ୍‌ କେନ୍ଦ୍ର ସରକାର ମଧ୍ୟ ଜାଣିପାରିବେ ବୋଲି ଟିଡିପି କହିଛି।

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ଏନ୍‌ଡିଏ ସରକାର ଏହାର ପ୍ରଥମ ପାଳିରେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରି ପରାଜିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମାତ୍ର ଗୋଟିଏ ଭୋଟ ପାଇଁ ଅନାସ୍ଥାର ଶିକାର ହୋଇଥିଲେ। ତେଣୁ ଏନ୍‌ଡିଏ ସରକାରର ଏହି ଦ୍ୱିତୀୟ ପାଳିରେ ଯଦି ସେଭଳି ପରିସ୍ଥିତି ଉପୁଜେ ତେବେ ବିଜେପିର ୨୫ବର୍ଷ ଶାସନ ସ୍ୱପ୍ନ ଧୂଳିସାତ୍‌ ହୋଇଯିବ। ସୁତରାଂ କୌଣସିମତେ ଏହି ଅଧିବେଶନକୁ ଏଡ଼ାଇଯିବା ବିଜେପି ପାଇଁ ଶୁଭଙ୍କର ବୋଲି ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି।

ଆଜି ଉଭୟ ଗୃହ ପୁଣି ମୁଲତବୀ ହେବା ପରେ କିଭଳି ଗୃହକାର୍ଯ୍ୟ ଠିକ୍‌ରେ ଚାଲିବ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ଟିଡିପି ନେତା ଓ୍ଵାଇ ଏସ୍‌ ଚୌଧୁରୀ କହିଛନ୍ତି। ବାଚସ୍ପତି ଚିରାଚରିତ ଭାବେ ସବୁଦିନ ଗୃହକୁ ମୁଲତବୀ ନକରି ସର୍ବଦଳୀୟ ବୈଠକ ଡାକି ଅନାସ୍ଥା ନୋଟିସ୍‌ ଉପରେ ମଧ୍ୟ ଆଲୋଚନା କରିପାରନ୍ତେ। ମାତ୍ର ସେ ସେଭଳି କିଛି ପଦକ୍ଷେପ ନେଉନାହାନ୍ତି। ସେପଟେ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଏଆଇଏଡିଏମ୍‌କେ ଓ ଟିଆର୍‌ଏସ୍‌ ଗୃହରେ ଏଭଳି ଅପ୍ରୀତିକର ପରିସ୍ଥିତି ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କୌଣସି ବି ପରିସ୍ଥିତିରେ ୫୦ଜଣ ସାଂସଦଙ୍କ ସମର୍ଥନ ସହ ଏହି ନୋଟିସ୍‌ ଉପରେ ଆଲୋଚନା ପାଇଁ ବାଚସ୍ପତି ସୁଯୋଗ ଦେଲେ ଚର୍ଚ୍ଚା ପାଇଁ ସବୁ ବିରୋଧୀ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଆଲୋଚନା ପାଇଁ ଅନୁମତି ଦେବାର ୧୦ଦିନ ମଧ୍ୟରେ ଭୋଟ ଗ୍ରହଣ କରିବାର ମଧ୍ୟ ନିୟମ ରହିଛି।

ଜାରି ରହିଛି ଅଚଳାବସ୍ଥା
ନୂଆଦିଲ୍ଲୀ: ଆଜି ବି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚାଲିପାରିନାହିଁ। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ୨୩ଟି କାର୍ଯ୍ୟ ଦିବସ ଥିବା ବେଳେ ଏଯାବତ୍‌ ଲଗାତାର ୧୪ ଦିନ ହେଲା ଗୃହରେ ବିଶୃଙ୍ଖଳା ଜାରି ରହିଛି। ପିଏନ୍‌ବି ଠକେଇ, କାବେରୀ ଜଳ ବିବାଦ ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଦାବିରେ ଉଭୟ ଗୃହରେ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିକ୍ଷୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ମୁଖ୍ୟତଃ କଂଗ୍ରେସ, ଟିଡିପି, ଓ୍ଵାଇଏସ୍‌ଆର୍‌ସି, ଟିଆର୍‌ଏସ୍‌ ଓ ଏଆଇଏଡିଏମ୍‌କେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସ୍ଳୋଗାନ୍‌ ଦେଉଛନ୍ତି। ଅପରପକ୍ଷେ, ବଜେଟ ଅଧିବେଶନର ଏହି ପର୍ଯ୍ୟାୟରେ ଅତି ଗୁରୁତ୍ୱପୂର୍ଣ୍ଣ ତିନି ତଲାକ୍‌, ଓବିସି କମିସନ ଆଦି ବିଲ୍‌ ଗୃହୀତ ହେବାର ଯୋଜନା ରହିଛି। ଏତଦ୍‌ବ୍ୟତୀତ ଟିଡିପି ଏବଂ ଓ୍ଵାଇଏସ୍‌ଆର୍‌ସି ନୋଟିସ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ବାକି ରହିଛି।

ଆଜି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାର କେଇ ମିନିଟ ଭିତରେ ବିରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ପ୍ରଦର୍ଶନ କରିବାରୁ ସଭାପତି ଭେଙ୍କିୟା ନାଇଡୁ ସାରା ଦିନ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟସଭାରେ ଗ୍ରାଚ୍ୟୁଟି ବିଲ୍‌କୁ ସରକାର ଗୃହୀତ କରିଥିଲେ। ସେହିଭଳି ଲୋକସଭାରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ଚିରାଚରିତ ଢଙ୍ଗରେ ବିରୋଧ ପ୍ରଦର୍ଶନ ଓ ନାରାବାଜି କରିଥିଲେ। ବାରମ୍ବାର ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ପ୍ରଦର୍ଶନକାରୀ ସାଂସଦମାନେ ଚୁପ୍‌ ନରହିବାରୁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ଅପରାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର