ନୂଆଦିଲ୍ଲୀ: କେନ୍ଦ୍ରର ଏନ୍ଡିଏ ସରକାର ଏବେ ‘ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ’ (ଏନ୍ଡିଏ)ରୁ ‘ନୋ ଡାଟା ଆଭେଲେବୁଲ’ (ଏନ୍ଡିଏ)ରେ ବଦଳି ଯାଇଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର୍। ପ୍ରବାସୀ ଶ୍ରମିକ, ତାଲା ବନ୍ଦ ଜନିତ ମୃତ୍ୟୁ, କୃଷକ ଆତ୍ମହତ୍ୟା ଏବଂ ଅର୍ଥନୀତି ଉପରେ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନହେବା ଘଟଣାରେ ଆଜି (ମଙ୍ଗଳବାର) ସରକାରଙ୍କର ସମାଲୋଚନା କରିବାକୁ ଯାଇ ଏପରି କହିଛନ୍ତି ଥିରୁବନନ୍ତପୁରମ୍ର ଲୋକସଭା ସାଂସଦ ଶଶି ଥରୁର୍।
ନିଜ ଟ୍ଵିଟର ହାଣ୍ଡେଲରେ ସାଂସଦ ଥରୁର ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସକୁ ‘ନୋ ଡାଟା ଆଭେଲେବୁଲ୍’ (କୌଣସି ଡାଟା ଉପଲବ୍ଧ ନାହିଁ) ବୋଲି କହିବା ସହ ବିଜେପି ନେତୃତ୍ୱାଧୀନ ସରକାର ଏନଡିଏକୁ ଏକ ନୂତନ ଅର୍ଥ ଦେଇଛି ବୋଲି କଟାକ୍ଷ କରିଛନ୍ତି।
No #data on migrant workers, no data on farmer suicides, wrong data on fiscal stimulus, dubious data on #Covid deaths, cloudy data on GDP growth — this Government gives a whole new meaning to the term #NDA! pic.twitter.com/SDl0z4Hima
— Shashi Tharoor (@ShashiTharoor) September 22, 2020
ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ଉପରେ କୌଣସି ତଥ୍ୟ ନାହିଁ, କୃଷକ ଆତ୍ମହତ୍ୟା ବିଷୟରେ କୌଣସି ତଥ୍ୟ ନାହିଁ, ଦେଶର ଆର୍ଥିକ ସ୍ଥିତି ସଂପର୍କରେ ଭୁଲ ତଥ୍ୟ, କୋଭିଡ୍ ମୃତ୍ୟୁ ଉପରେ ସନ୍ଦେହଜନକ ତଥ୍ୟ, ଜିଡିପି ଅଭିବୃଦ୍ଧି ଉପରେ ମେଘୁଆ ତଥ୍ୟ ଏହି ସରକାର ଏନଡିଏ ଶବ୍ଦକୁ ସମ୍ପୂର୍ଣ୍ଣ ନୂଆ ଅର୍ଥ ଦେଇଛି- ବୋଲି ଟ୍ଵିଟ୍ କରିଛନ୍ତି ଥିରୁବନନ୍ତପୁରମ୍ ସାଂସଦ।
ଉଲ୍ଲେଖଯୋଗ୍ୟ, ସାରା ଦେଶରେ ହୋଇଥିବା କୃଷକ ଆତ୍ମହତ୍ୟା ସଂପର୍କରେ ସରକାରଙ୍କ ନକଟରେ ବିଶ୍ୱସ୍ତ ତଥ୍ୟ ନାହିଁ ବୋଲି କେନ୍ଦ୍ର ସରକାର ସଂସଦରେ କହିବାର ଦିନକ ପରେ ଏପରି ଟ୍ଵିଟ୍ କରି ସରକାରଙ୍କୁ ସମାଲୋଚନା କରିଛନ୍ତି ଥରୁର। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ସଂସଦରେ କହଥିଲେ ଯେ କୃଷକ ଆତ୍ମହତ୍ୟା ବିଷୟରେ ସରକାର ଜାତୀୟ ତଥ୍ୟ ପ୍ରକାଶ କରିବା ସ୍ଥିତିରେ ନାହାନ୍ତି। କାରଣ ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କୃଷକ ଆତ୍ମହତ୍ୟାର ବିବରଣୀ ବାଣ୍ଟିବାରେ ବିଫଳ ହୋଇଛନ୍ତି।