ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ସାମରିକ ଆକ୍ରମଣ ‘ଅପରେସନ୍‌ ସିନ୍ଦୂର’ ସମୟରେ ଭାରତୀୟ ସେନା ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ କରିଥିବାରୁ ଏହାକୁ ପ୍ରଶଂସା କରି ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଯେକୌଣସି ଆତଙ୍କବାଦୀ ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେଶ ଦେବ ବୋଲି ମଧ୍ୟ ଏହି ସଂକଳ୍ପରେ ଉଲ୍ଲେଖ କରାଯାଇଛି। ସେହିପରି ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାର ଘୋଷଣା କରିଥିବା ଜାତିଗତ ଜନଗଣନା ନିଷ୍ପତ୍ତି ଉପରେ ଦ୍ୱିତୀୟ ସଂକଳ୍ପ ପାରିତ ହୋଇଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସାଇନି ଜାତିଗତ ଗଣନା ଉପରେ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ। ଜାତିଗତ ଗଣନା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment

ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, ଶାସକ ଏନ୍‌ଡିଏ ଜାତିଗତ ରାଜନୀତିରେ ବିଶ୍ୱାସ କରେ ନାହିଁ। କିନ୍ତୁ ଜାତି ଗଣନା ବିଭିନ୍ନ କ୍ଷେତ୍ରରେ ପଛରେ ପଡ଼ିଥିବା ଲୋକଙ୍କ ବିକାଶ କରିବାରେ ସାହାଯ୍ୟ କରିବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ‘ଅପରେସନ୍‌ ସିନ୍ଦୂର’ର ଅଭୂତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇ ସଂକଳ୍ପ ଆଗତ କରିଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏହି ସଂକଳ୍ପକୁ ସମର୍ଥନ କରି ସଶସ୍ତ୍ର ବାହିନୀ ଏବଂ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ତଥା ରାଷ୍ଟ୍ର-ପ୍ରଥମ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଭାରତର ସାର୍ବଭୌମତ୍ୱ ଏବଂ ଜାତୀୟ ନିରାପତ୍ତା ପ୍ରତି ଏନ୍‌ଡିଏ ସରକାରଙ୍କ ପ୍ରତିବଦ୍ଧତା, ପ୍ରତିରକ୍ଷା ବାହିନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ ଐତିହାସିକ ସଂସ୍କାର - ‘ୱାନ୍ ରୢାଙ୍କ ୱାନ୍‌ ପେନସନ’, ସ୍ୱଦେଶୀକରଣ, ସୀମାରେ ଭିତ୍ତିଭୂମି ବିକାଶ ଏବଂ ଆଧୁନିକୀକରଣ  ସଂପର୍କରେ ମଧ୍ୟ ଏହି ସଂକଳ୍ପରେ ଉଲ୍ଲେଖ କରାଯାଇଛି।  

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଠକରେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ଉପରେ ଏକ ପୁସ୍ତିକା ପ୍ରଦାନ କରିଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ‘ବସ୍ତରର ବିକାଶ ମଡେଲ ଏବଂ ସର୍ବୋତ୍ତମ ଅଭ୍ୟାସ’ ଉପରେ ଉପସ୍ଥାପନା କରିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ୟୁନିଫର୍ମ ସିଭିଲ୍‌ କୋଡ୍ (ୟୁସିସି) ଉପରେ ଏକ ଉପସ୍ଥାପନା କରିଥିଲେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାମପନ୍ଥୀ ଉଗ୍ରବାଦ ବିଷୟରେ କହିଥିଲେ। ଅଶୋକା ହୋଟେଲରେ ଅନୁଷ୍ଠିତ ଏହି ବୈଠକରେ ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପ୍ରାୟ ୨୦ଟି ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ।

ସାର୍ବଜନୀନ ବୟାନରେ ସଂଯମ ରକ୍ଷାକର: ମୋଦୀ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ଅନୁଷ୍ଠିତ ଏନ୍‌ଡିଏ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନଙ୍କୁ ସେମାନଙ୍କ ସାର୍ବଜନୀନ ବୟାନରେ ସଂଯମ ରଖିବାକୁ ପରାମର୍ଶ ଦେଇଛନ୍ତି। ସୁଶାସନ ଓ ଜନକଲ୍ୟାଣ ଉପରେ ଫୋକସ୍‌ କରୁଥିବା ଏହି ବୈଠକରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଦଳୀୟ ନେତାଙ୍କ ଅନାବଶ୍ୟକ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ବୈଠକରେ ଉଦ୍‌ବେଗ ପ୍ରକାଶ କରିବା ସହ ଅନାବଶ୍ୟକ ଓ ବିବାଦୀୟ ମନ୍ତବ୍ୟ ନ ଦେବାକୁ ଅନୁରୋଧ କରିଛନ୍ତି। ଶୃଙ୍ଖଳିତ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଯେକୌଣସି ସ୍ଥାନରେ ଯାହା ମନକୁ ଆସୁଛି ତାହା କହିବାଠାରୁ ଦୂରେଇ ରହିବାକୁ ହେବ।’ ସୂଚନାଯୋଗ୍ୟ, ନିକଟରେ ମଧ୍ୟପ୍ରଦେଶ ଓ ହରିୟାଣାର ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ପରାମର୍ଶ ଦେଇଥିବା କୁହାଯାଉଛି। ‘ଅପରେସନ୍ ସିନ୍ଦୂର’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ନାହିଁ। ସେ କହିଛନ୍ତି, ପାକିସ୍ତାନର ଅନୁରୋଧ ପରେ ହିଁ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନିଆଯାଇଛି। 

ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହ ‘ଅପରେସନ୍‌ ସିନ୍ଦୂର’ ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବା କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ଦଳ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଥିଲା। ସେହିପରି ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ସଶସ୍ତ୍ର ବାହିନୀ ମୁଣ୍ଡ ନୁଆଁଇବା ଉଚିତ ବୋଲି କହି ରାଜନୈତିକ ବିବାଦ ସୃଷ୍ଟି କରିଥିଲେ। ବରିଷ୍ଠ ବିଜେପି ନେତା ମୁଖ୍‌ତାର ଅବାସ୍‌ ନକଭି ଶାହଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖି ତାଙ୍କୁ ‘ମୂର୍ଖ’ ବୋଲି କହିଥିଲେ। ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସ୍ଥାନୀୟ ଅଶୋକ ହୋଟେ‌ଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ବିଜେପିର ଗୁଡ୍‌ ଗଭର୍ଣ୍ଣାସ ବିଭାଗ ପକ୍ଷରୁ ଆୟୋଜିତ ‌ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ରାଜ୍ୟ ଦ୍ବାରା ସୁଶାସନ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କିତ ଆଲୋଚନାରେ ସାମିଲ ହୋଇଥିଲେ। ବୈଠକରେ ରାଜ୍ୟମାନଙ୍କୁ ଜୁନ୍‌ ୫ ତାରିଖ ବିଶ୍ବ ପରିବେଶ ଦିବସ ଉପଲକ୍ଷେ କିଛି ନୂଆ କାର୍ଯ୍ୟକ୍ରମ ଆୟୋଜନ, ଜୁନ୍‌ ୯ରେ ଏନ୍‌ଡିଏ  ସରକାରଙ୍କର ୧୧ବର୍ଷ ପୂର୍ତ୍ତିକୁ ବ୍ୟାପକ ରୂପେ ପାଳନ ଏବଂ ଜୁନ୍‌ ୨୧ରେ ଆର୍ନ୍ତଜାତିକ ଯୋଗ ଦିବସ ପାଳନ ସଂପର୍କିତ ରୂପରେଖ ପ୍ରସ୍ତୁତ କରିବା ପାଇଁ  ମୁଖ୍ୟମନ୍ତ୍ରୀମାନଙ୍କୁ କୁହାଯାଇଥିଲା। ଏଥିସହିତ ଜୁନ୍‌ ୨୫ ଓ ୨୬ରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସେହି ସମୟରେ କିଭଳି ଗଣତନ୍ତ୍ରର ଗଳା ଦବାଇ ଦେବା ପାଇଁ ପ୍ରୟାସ କରାଯାଇଥିଲା, ତାହାକୁ ଜନତାଙ୍କ ନିକଟରେ ଉଜାଗର କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ହାସଲ କରିବା ଲକ୍ଷ୍ୟକୁ ଆଜିର ବୈଠକରେ ଦୋହରା ଯାଇଥିଲା। 

ବୈଠକ ଅବସରରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆଜି ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମକୁ ଶୁଣିଥିଲେ। ସୂଚନାଯୋଗ୍ୟ, ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ନିତି ଆୟୋଗର ୧୦ମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ‌ମୋଦୀଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ସାକ୍ଷାତ ଆଲୋଚନାରେ ଆସନ୍ତା ମାସ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି ହେଉଥିବାରୁ ଓଡ଼ିଶା ଆସିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ରାଜ୍ୟର ବିକାଶକୁ ନେଇ ମଧ୍ୟ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେପିର ରାଷ୍ଟ୍ରୀୟ ସଭାପତି ତଥା  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଦଳୀୟ ବ୍ୟାପାର ତଥା ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗରେ ସେ ଶ୍ରୀ ନଡ୍ଡାଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପ‌କ୍ଷରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦିଲ୍ଲୀରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀକୁ କେତେକ ଅନିବାର୍ଯ୍ୟ କାରଣବଶତଃ ବାତିଲ କରି ଦିଆଯାଇଥିବା ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।