ବିହାର ନିର୍ବାଚନ ଆସନ ବୁଝାମଣା ପାଇଁ ପାଟନାରେ ଏନଡିଏର ବୈଠକ, ଏଲଜେପି ଯୋଗ ଦେଲା ନାହିଁ

ପାଟନା : ବିହାର ନିର୍ବାଚନ ପୂର୍ବରୁ ଏନଡିଏ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମେଣ୍ଚର ବିଭିନ୍ନ ଦଳମାନଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ଜେଡିୟୁ ସହ ଆସନ ବୁଝାମଣା ଚୂଡ଼ାନ୍ତ କରିବାକୁ ଆଜି ବିଜେପି ସଭାପତି ଜେ.ପି.ନଡ୍ଡା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାରଙ୍କୁ ଭେଟିଛନ୍ତି । ନିତିଶଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ବିଜେପିର ବିହାର ପ୍ରଭାରୀ ଭୁପେନ୍ଦ୍ର ଯାଦବ ଓ ରାଜ୍ୟ ବିଜେପି ସଭାପତି ସଂଜୟ ଜୟସ୍ୱାଲ ଯୋଗ ଦେଇଥିଲେ । ଜେଡିୟୁ ତରଫରୁ ନିତିଶଙ୍କ ବ୍ୟତୀତ ରାଜୀବ ରଂଜନ ସିଂ ଉପସ୍ଥିତ ଥିଲେ ।

ତେବେ ଏନଡିଏର ଏହି ବୈଠକରେ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର କୌଣସି ନେତା ଉପସ୍ଥିତ ନଥିଲେ । ଏହା ଫଳରେ ଜେଡିୟୁ ସହ ଏଲଜେପିର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ଏଲଜେପି ନେତା ଚିରାଗ ପାଶ୍ୱାନ କହିଥିଲେ ଯେ ବିଜେପି ଯଦି ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଏହାର ନେତୃତ୍ବରେ ପରିବର୍ତ୍ତନ କରେ, ତାହା ସତ୍ତ୍ବେ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ବିଜେପିକୁ ସମର୍ଥନ କରିବ । କିନ୍ତୁ ବିଜେପି ପୂର୍ବରୁ ହିଁ ଏଲ୍ଜେପିର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି। ବିହାର ବିଧାନସଭା ନିର୍ବାଚନ ନୀତୀଶଙ୍କ ନେତୃତ୍ବରେ ହିଁ ଲଢ଼ାଯିବ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର