ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଓଡ଼ିଶା ଭବନରେ ଅବସ୍ଥାନ କରିବେ ଏନ୍‌ଡିଏ ରା‌ଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବ୍ୟବସ୍ଥା ଅନୁଧ୍ୟାନ କଲେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡି

ନୂଆଦିଲ୍ଲୀ : ଏନ୍‌ଡିଏ ରା‌ଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନପତ୍ର ଦାଖଲ ପାଇଁ ଆଜି ରାତିରେ ଦିଲ୍ଲୀରେ ପହଞ୍ଚିବା ସମ୍ଭାବନା ରହିଛି। ଭୁବନେଶ୍ବରରୁ ବିମାନ ‌ଯୋଗେ ଦିଲ୍ଲୀରେ ପହଂଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଆସିବେ। ଓଡ଼ିଶା ଭବନରେ ସେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ତଥା ଦୁଇ ଦିନ ଓଡ଼ିଶା ଭବନରେ ରହିବେ। ନାମାଙ୍କନପତ୍ର ଦାଖଲ କରି ସାରିବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥି ପୂର୍ବରୁ ଆଜି ଓଡ଼ିଶା ଭବନରେ ଶ୍ରୀମତୀ ମୁର୍ମୁ ରହିବା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ଓ କିଛି ବରିଷ୍ଠ ଅଧିକାରୀ ଓଡ଼ିଶା ଭବନରେ ଆସି ପହଞ୍ଚିଛନ୍ତି। ଓଡ଼ିଶା ଭବନରେ ରହିବା ପାଇଁ କି ଭଳି ବ୍ୟବସ୍ଥା ରହିଛି ସେ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡି ଓଡ଼ି‌‌ଶା ଭବନ ଅଧିକାରୀମାନଙ୍କ ଆଲୋଚନା କରିଛନ୍ତି।

ଏହା ସହ ଶ୍ରୀ ରେଡ୍ଡି ଓଡ଼ିଶା ଭବନରେ ଥିବା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସୁଟ୍‌ ପରିଦର୍ଶନ କରି ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଶ୍ରୀମତୀ ମୁର୍ମୁ ଓଡ଼ିଶା ଭବନର ମୁଖ୍ୟମନ୍ତ୍ରୀ ସୁଟ୍‌ରେ ରହିବା ବ୍ୟବସ୍ଥା ପାଇଁ ଓଡ଼ିଶା ଭବନର ଅଧିକାରୀଙ୍କୁ ସେ କହିଥିବା ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀଙ୍କ ପରିଦର୍ଶନ ପରେ ଭବନର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଭବନର ସ୍ବାଗତ କକ୍ଷ ସମେତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସୁଟ୍‌ର ସୁରକ୍ଷା ଯାଂଚ କରାଯାଇଛି। ଭବନର ଆଖପାଖରେ ଦିଲ୍ଲୀ ପୋଲିସର ଜବାନମାନଙ୍କୁ ମୁତୟନ କରାଯାଇଛି। ରହଣି ସମୟରେ ତାଙ୍କ ବୈଠକ ପାଇଁ ଭବନରେ ଥିବା ସମ୍ମିଳନୀ କକ୍ଷକୁ ମଧ୍ୟ ରିଜର୍ଭ ରଖାଯାଇଛି। ଶ୍ରୀମତୀ ମୁର୍ମୁ କେବେ ନାମାଙ୍କନପତ୍ର ଦାଖଲ କରିବେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସେ ଚଳିତ ମାସ ୨୪ରେ ନାମାଙ୍କନପତ୍ର ଦାଖଲ କରିବାର ସମ୍ଭାବନା ଥିବା କୁହାଯାଉଛି। ଓଡ଼ିଶା ଭବନରେ ତାଙ୍କ ଅବସ୍ଥାନ କାଳରେ କେନ୍ଦ୍ର ମନ୍ତ୍ରୀ ତଥା ଅନେକ ନେତା ‌ତାଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି। ଆଜି ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର