ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କ ସଂପର୍କରେ କିଛି ଅଜଣା କଥା

ଦିନେ ବିଧାୟକ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ନ ଥିଲେ ଓମ୍‌ ବିର୍ଲା

ନୂଆଦିଲ୍ଲୀ: ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ରୂପେ ବିଜେପି ପକ୍ଷରୁ ଓମ୍‌ ବିର୍ଲାଙ୍କ ନାମ ଘୋଷଣା କରାଯିବା ପରେ ଏବେ ତାଙ୍କ ସଂପର୍କରେ ଜାଣିବା ପାଇଁ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। ଆଜିର ପ୍ରଚାର ସର୍ବସ୍ୱ ରାଜନୀତିରେ ଓମ୍‌ ବିର୍ଲା ଚର୍ଚ୍ଚିତ ରାଜନେତା ନୁହନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଓମ୍‌ ବିର୍ଲା ରାଜସ୍ଥାନର କୋଟା- ବୁନ୍ଦି ଲୋକସଭା କ୍ଷେତ୍ରରୁ ବିଜେପି ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ ରାଜସ୍ଥାନ ବିଧାନସଭାକୁ ତିନିତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ।

ନଭେମ୍ବର ୨୩, ୧୯୬୨ରେ ଜନ୍ମ ଗ୍ରହଣ କରିଥିବା ଓମ୍‌ ବିର୍ଲା ଛାତ୍ର ଜୀବନରୁ ରାଜନୀତିରେ ବେଶ୍‌ ସକ୍ରିୟ ରହିଥିଲେ। ଏପରିକି ନିଜର ଦକ୍ଷତା ବଳରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମଧ୍ୟ ହୋଇଥିଲେ। ଏହି ସମୟରେ ୨୦୦୩ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ରାଜସ୍ଥାନର ସମ୍ମାନଜନକ କୋଟା ବିଧାନସଭା କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବା ପାଇଁ ମନୋନୀତ କରିଥିଲା। ହେଲେ, ଏଥିପାଇଁ ଆଗ୍ରହୀ ନଥିବା ଓମ୍‌ ବିର୍ଲା ଦଳର ଏହି ପ୍ରସ୍ତାବରେ ରାଜି ନ ଥିଲେ। ପରବର୍ତ୍ତୀ ସମୟରେ ଦଳର ବରିଷ୍ଠ ନେତାଙ୍କ ଚାପରେ ସେ ଏହି ଆସନରୁ ନିର୍ବାଚନ ଲଢ଼ିବା ସହ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କଂଗ୍ରେସର ବରିଷ୍ଠ ନେତା ଶାନ୍ତିଲାଲ ଧରୀଓ୍ଵାଲଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହ ଆଉ ପଛକୁ ଫେରି ଚାହିଁ ନଥିଲେ। ଓମ୍‌ ବିର୍ଲାଙ୍କ ରାଜନୈତିକ କ୍ୟାରିୟରରେ ତାଙ୍କର ଏକମାତ୍ର ପାଥେୟ ଥିଲା ତାଙ୍କର ନିର୍ମଳ ଓ ନିଷ୍କଳଙ୍କ ଭାବମୂର୍ତ୍ତି। ଫଳ ସ୍ୱରୂପ ୨୦୦୮ ଓ ୨୦୧୩ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ବିପୁଳ ଭୋଟ ପାଇ ନିର୍ବାଚିତ ହେବା ସହ ‘ହାଟ୍ରିକ୍‌’ ବିଜୟ ହାସଲ କରିବାରେ ସମର୍ଥ ହୋଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସେ କୋଟା- ବୁନ୍ଦି ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଇଁ ଏହି ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨ ଲକ୍ଷ ୭୯ ହଜାର ଭୋଟରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଓମ୍‌ ବିର୍ଲା ୧୯୯୧ ମାର୍ଚ୍ଚରେ ଡାକ୍ତର ଅମିତା ବିର୍ଲାଙ୍କୁ ବିବାହ କରିଥିଲେ। ଆକାଂକ୍ଷା ଓ ଅଞ୍ଜଳି ନାମରେ ତାଙ୍କର ଦୁଇ ଝିଅ ଅଛନ୍ତି। ଜଣେ ପୂର୍ଣ୍ଣକାଳୀନ ରାଜନେତା ଥିବା ଓମ୍‌ ବିର୍ଲା ସମାଜସେବା କ୍ଷେତ୍ରରେ ମଧ୍ୟ ବିଶେଷ ରୁଚି ରଖନ୍ତି। ‘ପରିଧାନ’ ଯୋଜନା ନାମରେ ସେ ନିଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସେ ସମାଜର ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପରିବାରଗୁଡ଼ିକୁ ମାଗଣାରେ ବସ୍ତ୍ର ଓ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ, ଔଷଧ କିଣିବା ପାଇଁ ସାମର୍ଥ୍ୟ ନଥିବା ରୋଗୀମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଥାଆନ୍ତି। ଅନାହାର ଓ ଅର୍ଦ୍ଧାହାରରେ ଥିବା ଲେକଙ୍କୁ ନିୟମିତ ଖାଦ୍ୟ ଯୋଗାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥାନ୍ତି ଓମ୍‌ ବିର୍ଲା।

ସମ୍ବନ୍ଧିତ ଖବର