ବିହାରରେ ପୁଣି ସରକାର ଗଢ଼ିବ ଏନ୍‌ଡିଏ, ସର୍ବାଧିକ ଆସନ ପାଇପାରେ ବିଜେପି: ‘ଏବିପି ସିଭୋଟର୍’ ଓପିନିୟନ୍ ପୋଲ୍‌

ନୂଆଦିଲ୍ଲୀ: ବିହାରରେ ‘ନ୍ୟାସ୍‌ନାଲ୍‌ ଡେମ‌ୋକ୍ରେଟିକ୍ ଆଲିଏନ୍‌ସ୍‌’ (ଏନ୍‌ଡିଏ) ପୁଣି କ୍ଷମତାକୁ ଫେରିବ ବୋଲି ବିଧାନସଭା ନିର୍ବାଚନ ପୂର୍ବରୁ ‘ଏବିପି ସିଭୋଟର୍’ କରିଥିବା ‘ଓପିନିୟନ୍ ପୋଲ୍‌’ରୁ ଆଶା କରାଯାଉଛି।

‘ଏବିପି ସିଭୋଟର୍’ ଓପିନିୟନ୍ ପୋଲ୍‌ ଅନୁସାରେ, ୨୪୩ ଆସନବିଶିଷ୍ଟ ବିଧାନସଭାରେ ‘ଏନ୍‌ଡିଏ’ ୧୩୫ ରୁ ୧୫୯ ଆସନ ଏବଂ ମହାଗଠବନ୍ଧନ ୭୭ ରୁ ୯୮ ଆସନ ପାଇବ ବୋଲି ଅନୁମାନ କରାଯାଉଛି। ଚିରାଗ ପାସୱାନଙ୍କ ନେତୃତ୍ବାଧୀନ ଲୋକ ଜନଶକ୍ତି ପାର୍ଟି ମାତ୍ର ୫ଟି ଆସନ ପାଇବ ବୋଲି ଏହି ଓପିନିୟନ୍ ପୋଲ୍‌ କହୁଛି। ଏହି ନିର୍ବାଚନରେ ‘ଏନ୍‌ଡିଏ’ ୪୩%, ମହାଗଠବନ୍ଧନ ୩୫%, ଏଲ୍‌ଜେପି ୪% ଏବଂ ଅନ୍ୟମାନେ ୧୮% ଭୋଟ୍‌ ପାଇପାରନ୍ତି ବୋଲି ଓପିନିୟନ୍ ପୋଲ୍‌ ସୂଚନା ଦେଇଛି।

Image Courtesy of Hindustan Times

ଏହି ଆକଳନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବିଜେପି ୭୩ ରୁ ୮୧ ଆସନ ପାଇଲା ବେଳେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଜେଡି(ୟୁ) ୫୯ରୁ ୬୭ଟି ଆସନ ପାଇବ। ସେହିଭଳି, ବିକାଶଶୀଳ ଇନ୍‌ସାନ୍‌ ପାର୍ଟି ୩ ରୁ ୭, ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ଶୂନ୍ୟରୁ ୪ଟି ଆସନ ହାସଲ କରିପାରନ୍ତି। ଅନ୍ୟ ପକ୍ଷରେ, ମହାଗଠବନ୍ଧନରେ ଆର୍‌ଜେଡି ୫୬ ରୁ ୬୪ ଆସନ ପାଇବା ବେଳେ କଂଗ୍ରେସ ୧୨ ରୁ ୨୦ ଆସନରେ ଜିଣିପାରେ ଏବଂ ବାମ ଦଳକୁ ମିଳିପାରେ ୯ ରୁ ୧୪ଟି ଆସନ।

ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ୩୦% ବ୍ୟକ୍ତିଙ୍କର ପ୍ରଥମ ପସନ୍ଦ ହୋଇଥିବା ବେଳେ ୨୦% ‌ବ୍ୟକ୍ତି ତେଜସ୍ବୀ ଯାଦବଙ୍କୁ ପ୍ରଥମ ପସନ୍ଦ ବୋଲି କହିଛନ୍ତି। ୧୪% ବ୍ୟକ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚିରାଗ ପାସୱାନଙ୍କୁ ଚାହୁଁଥିବା ବେଳେ ମାତ୍ର ୧୦% ବ୍ୟକ୍ତି ସୁଶୀଲ ମୋଦୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଇଚ୍ଛା କରନ୍ତି।

ସମ୍ବନ୍ଧିତ ଖବର