୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୦୨୩ ବର୍ଷତମାମ କସରତ ହୋଇଛି। ବିଜେପି-କଂଗ୍ରେସ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆଞ୍ଚଳିକ ଦଳଗୁଡ଼ିକର ଭୂମିକା ଜାତୀୟ ଦଳମାନଙ୍କ ପାଇଁ ଚିନ୍ତାଜନକ ହୋଇପଡ଼ିଛି। ଗୈରିକ ଦଳ ବିରୋଧରେ ଗୋଟିଏ ପଟେ ୨୮ଟି ରାଜନୈତିକ ଦଳକୁ ନେଇ ଇନ୍‌ଡିଆ ମେଣ୍ଟ ରଣହୁଙ୍କାର ଦେଇଛି। ଅନ୍ୟପଟେ ମୋଦୀ କାର୍ଡ, ହିନ୍ଦୁତ୍ବ ଓ ବିକାଶର ଫେଣ୍ଟାଫେଣ୍ଟି ଫର୍ମୁଲା ଆଧାରରେ ଇନ୍‌ଡିଆ ମେଣ୍ଟ ବିରୋଧରେ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜେପି‌। ଇନ୍‌ଡିଆ ମେଣ୍ଟ ଜନ୍ମ ହେବାର ଅଳ୍ପ କେଇ ମୁହୂର୍ତ ପରେ ବିଜେପି ୩୮ ଦଳକୁ ନେଇ ଏନଡି଼ଏ ବୈଠକ ଡାକିବା ଏ ବର୍ଷର ଗୋଟିଏ ରୋଚକ ଘଟଣା ଥିଲା। ଏଇଠୁ ହିଁ ‌ରାଜନୀତିର ମୋଡ଼ ବଦଳିଥିଲା।
ପ୍ରସ୍ତୁତି: ପତିତପାବନ, ଦୋଳଗୋବିନ୍ଦ ଓ ରୁଦ୍ର

Advertisment

୨୦୨୩ ବର୍ଷ ଶେଷ‌ ବେଳକୁ ଭାରତର ରାଜନୈତିକ ଚିତ୍ର ହେଲା- ହିିନ୍ଦୀ ହାର୍ଟ‌ଲାଣ୍ଡ୍‌ର ୩ ରାଜ୍ୟରେ ବିପୁଳ ବିଜୟ ସହ ବିଜେପି ୧୨ଟି ରାଜ୍ୟରେ କ୍ଷମତାରେ ରହିଛି। ଦଳ ଦକ୍ଷିଣରେ ମୂଳପୋଛ ହୋଇଯାଇଛି। ଅନ୍ୟପଟେ କଂଗ୍ରେସ ସଙ୍କୁଚିତ ହୋଇଛି ଓ ଏବେ ଦଳ ହାତରେ ମାତ୍ର ତିନିଟି ରାଜ୍ୟ। ଏହା ସତ୍ତ୍ବେ କଂଗ୍ରେସ ନେତୃତ୍ବାଧୀନ ଇନ୍‌ଡିଆ ମେଣ୍ଟ ମୋଦୀ ବାହିନୀ ପାଇଁ ଏକ ବିଶାଳ ଆହ୍ବାନ ଆଣିଛି। କାରଣ ମମତା ବାନାର୍ଜୀଙ୍କ ଟିଏମ୍‌ସି, ଅରବିନ୍ଦ କେଜ୍ରିଵାଲଙ୍କ ଆପ୍‌, ନୀତୀଶ କୁମାରଙ୍କ ଜେଡିୟୁ, ଲାଲୁ ଓ ତେଜସ୍ବୀ ଯାଦବଙ୍କ ଆର୍‌ଜେଡି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, ଉଦ୍ଧବ ଠାକ୍‌ରେଙ୍କ ଶିବସେନା(ୟୁବିଟି), ଶରଦ ପାଵାରଙ୍କ ଏନ୍‌ସିପି ଆଦି ଏନ୍‌ଡିଏ ବିରୋଧୀ ଶକ୍ତି ଭାବେ ଉଭା ହୋଇଛନ୍ତି। ଏପଟେ ନବୀନ ପଟ୍ଟନାୟକଙ୍କ ବିଜେଡି, ଜଗନମୋହନ ରେଡ୍ଡୀଙ୍କ ଵାଇଏସ୍‌ଆର୍‌ କଂଗ୍ରେସ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ପ୍ରମୁଖଙ୍କ ସମଦ୍ବରତ୍ବ ଅବଲମ୍ବନ ନିଷ୍ପତ୍ତି ଏନ୍‌ଡିଏ ଏବଂ ଇନ୍‌ଡିଆ ମେଣ୍ଟ ପାଇଁ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରିଛି।
ଏହା ସତ୍ତ୍ବେ ଜାତି ସମୀକରଣ, ଲୋକସଭା ଓ ବିଧାନସଭାରେ ସଂରକ୍ଷଣ ବିଲ୍‌ ଅନୁମୋଦନ କରାଇ ମହିଳା କାର୍ଡ ଖେଳି ମୋଦୀ ଭୋଟ ବ୍ୟାଙ୍କକୁ ନିଜ ଆଡ଼କୁ ଟାଣିବା ଲକ୍ଷ୍ୟରେ ଅଛନ୍ତି। ସେହିଭଳି ହିନ୍ଦୁତ୍ବ, ଉତ୍ତର-ଦକ୍ଷିଣ ବିଭାଜନ, ମୋଦୀ କାର୍ଡ, ରାମ ମନ୍ଦିର ପ୍ରସଙ୍ଗ ଏବଂ ମାଗଣା ଯୋଜନାର ପରୀକ୍ଷା ନିରୀକ୍ଷା ଭିତରେ ଏନ୍‌ଡିଏ ୨୦୨୪ ନିର୍ବାଚନ ଆଡ଼କୁ ଧୀରେଧୀରେ ବଢ଼ୁଛି। ହଁ, ଏକଥା ସତ ଯେ, କଂଗ୍ରେସ ନେତୃତ୍ବାଧୀନ ଇନ୍‌ଡିଆ ମେଣ୍ଟ ଏଯାଏଁ ମଜଭୂତ ହୋଇନି। ମାତ୍ର ମୋଦୀ ବିରୋଧୀ ଭୋଟ ବ୍ୟାଙ୍କ୍‌, ଜାତିଆଣ ରାଜନୀତି, ଇଡି, ସିବିଆଇ, ଆୟକର ନାଲି ଆଖି ସେମାନଙ୍କୁ ଏକାଠି କରୁଛି।

ବିଜେପିମୁକ୍ତ ଦକ୍ଷିଣ ଭାରତ

ଦକ୍ଷିଣ ଭାରତ ଏବେ ସମ୍ପୂର୍ଣ୍ଣ ବିଜେପିମୁକ୍ତ ହୋଇଛି। କର୍ଣ୍ଣାଟକ ଓ ତେଲେଙ୍ଗାନା ନିର୍ବାଚନ ଫଳ କଂଗ୍ରେସରେ ନୂଆ ଶକ୍ତି ସଞ୍ଚାର କରିଛି। କର୍ଣ୍ଣାଟକରେ ୧୩୫ ଆସନରେ ଜିତିବା କଂଗ୍ରେସ ପାଇଁ ୧୯୮୯ ମସିହାରୁ ସବୁଠୁ ବଡ଼ ବିଜୟ ଥିଲା। ନିକଟରେ ତେଲେଙ୍ଗାନାରେ ଐତିହାସିକ ବିଜୟ ସହ କଂଗ୍ରେସ ଦକ୍ଷିଣ ଭାରତକୁ ବିଜେପି ମୁକ୍ତ କରିଦେଇଛି। ଦକ୍ଷିଣ ଭାରତରେ ଏବେ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ନାହାନ୍ତି। ଦକ୍ଷିଣ ଭାରତର ସମସ୍ତ ୫ ରାଜ୍ୟ ଯଥା କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଏବେ ବିଜେପିମୁକ୍ତ। କେରଳ ବିଧାନସଭାରେ ଏବେ ବିଜେପିର କୌଣସି ବିଧାୟକ ନାହାନ୍ତି।

publive-image

‘ହାର୍ଟଲାଣ୍ଡ୍’ ଚିନ୍ତା

ଦକ୍ଷିଣ ଭାରତରେ ସ୍ଥିତି ମଜଭୁତ କରିବାରେ ସମର୍ଥ ହୋଇଥିବା କଂଗ୍ରେସ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ନିଜ ସ୍ଥିତି ସୁରକ୍ଷିତ ରଖିବା। ଉତ୍ତର ଏବଂ କେନ୍ଦ୍ର ଭାରତରୁ ମୂଳପୋଛ ହେବାକୁ ବସିଥିବା କଂଗ୍ରେସକୁ ଆଞ୍ଚଳିକ ଦଳମାନଙ୍କର ସହଯୋଗ ନ ମିଳିବା ମଧ୍ୟ ଆଉ ଏକ ଅଡ଼ୁଆ। ଏପଟେ ଇଣ୍ଡିଆ ମେଣ୍ଟରେ ଅନିଶ୍ଚିତତା ଚିନ୍ତାଜନକ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଦଳ ପରାସ୍ତ ହେବା ଏନ୍‌ଡିଏ ମେଣ୍ଟରେ କଂଗ୍ରେସର ପ୍ରଭାବକୁ ମଧ୍ୟ ଗୌଣ କରିଛି। କଂଗ୍ରେସ ପାଇଁ ଆସାମ, ଗୋଆ, ଗୁଜରାଟ, ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ନିଜ ସ୍ଥିତି ସୁଧାରିବା ଏବେ ସବୁଠୁ ବଡ଼ ଆହ୍ବାନ।

କର ବା ମର ଲଢ଼େଇ

୨୦୨୩ରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ଯିବା ଓ ଫେରିପାଇବା। ‘ମୋଦି ସାଙ୍ଗିଆ’ ମାନହାନି ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଁ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ସୁପ୍ରିମ୍‌କୋର୍ଟ ତଳ କୋର୍ଟ ରାୟକୁ ସ୍ଥଗିତ ରଖିବା ପରେ, ୱାୟନାଡ୍ ସାଂସଦ ପଦ ଫେରିପାଇଥିଲେ ରାହୁଲ। ୪ ମାସ ପରେ ସେ ସଂସଦକୁ ଫେରିଥିଲେ। ୨୦୨୩ରେ ବର୍ଷ ତମାମ ରାହୁଲଙ୍କ ସରକାର ବିରୋଧୀ ଲଢ଼େଇ ବିରୋଧୀ ‘ଇନ୍‌ଡିଆ’ ମେଣ୍ଟରେ ଶକ୍ତି ସଞ୍ଚାର କରିଛି। ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ଏବର୍ଷ ଜାନୁଆରି ୩୦ ପର୍ଯ୍ୟନ୍ତ ଚାଲିଥିଲା। ସଦ୍ୟସମାପ୍ତ ୫ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏବେ ଉଭୟ କଂଗ୍ରେସ ଓ ରାହୁଲଙ୍କ ପାଇଁ ‘କର ବା ମର’ ଲଢ଼େଇ ପରିସ୍ଥିତି ସୃଷ୍ଟି ହୋଇଛି।

publive-image

ଡିପ୍‌ଫେକ୍ କଣ୍ଟା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯେତିକି ଉନ୍ନତ ହେଉଛି ତାହାକୁ ନେଇ ସେତିକି ସମସ୍ୟା ସୃଷ୍ଟି ହେଉଛି। ଡିପ୍‌ଫେକ୍ ଭିଡିଓ ଏବେ ମହିଳା ଓ ଚର୍ଚ୍ଚିତ ଲୋକମା‌ନଙ୍କ ପାଇଁ କଣ୍ଟା ଭାବେ ଉଭା ହେଲାଣି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଜୋଲ, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍‌ ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା, ଶିଳ୍ପପତି ରତନ ଟାଟା, ଏନ୍ ଆର୍‌ ନାରାୟଣମୂର୍ତ୍ତି, ଜିରୋଧାର ସିଇଓ ନୀତୀନ କାମାଥ ଡିପ୍‌ଫେକ୍ ଭିଡିଓର ଶିକାର ହୋଇଛନ୍ତି। ଡିପ୍‌ଫେକ୍ ହେଉଛି ଏକ ନକଲି ଭିଡିଓ ଯାହା ସମ୍ପୂର୍ଣ୍ଣ ଅସଲି ଭଳି ମନେ ହେଉଛି।

publive-image

...ବନାମ ବିଜେପି

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ବର୍ଷ ଶେଷରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ। ସଦାଚାର କମିଟିର ରିପୋର୍ଟ ଲୋକସଭାରେ ଉପସ୍ଥାପନ ହେବା ପରେ ତାଙ୍କୁ ବହିଷ୍କାର କରାଯାଇଥିଲା। ସଦସ୍ୟତା ହରାଇବା ପରେ ମହୁଆ ବିରୋଧୀ ଦଳ ସାଂସଦଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ସଂସଦୀୟ ଲଗ୍ଇନ୍ ପାସ୍‌ୱାର୍ଡ ସେୟାର କରିବା ମହୁଆଙ୍କ ପାଇଁ ରାଜନୈତିକ ବିପର୍ଯ୍ୟୟ ଆଣିଥିବା ବେଳେ ଏବେ ସେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଚନ୍ଦ୍ରଯାନ ଓ ସୂର୍ଯ୍ୟ ଅଭିଯାନ...

ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁରେ ଧୀର ଅବତରଣ କରି ଅକଳ୍ପନୀୟ ଗୌରବ ଆଣିଥିଲା। ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି। ଏଥିସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ଭାରତ ବିଶ୍ବର ପ୍ରଥମ ରାଷ୍ଟ୍ର। ଅନ୍ୟପକ୍ଷରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଯାତ୍ରା ପାଇଁ ଉଦ୍ଦିଷ୍ଟ ଗଗନଯାନର ପ୍ରଥମ ଟେଷ୍ଟ ଭେଇକିଲ ଡେଭଲପମେଣ୍ଟ ଫ୍ଲାଇଟ୍ (ଟିଭି-ଡି୧)ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଏହା ସହିତ ଅନ୍ତରୀକ୍ଷରେ ଭାରତ ପୁଣି ଇତିହାସ ରଚିଛି।

ଭାରତରେ ଜି୨୦ ଚମକ

ଜି୨୦ ସମ୍ମିଳନୀର ସଫଳ ଆୟୋଜନ ଭାରତର ବୈଶ୍ବିକ ପତିଆରାକୁ ଏକ ନୂଆସ୍ତରକୁ ନେଇଛି। ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ଭାଗ ହୋଇଯାଇଥିବା ବିଶ୍ବ ନେତାଙ୍କୁ ମନାଇ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଆଗତ କରିବାରେ ଭାରତ ସଫଳ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଏହା ଭାରତର ସଫଳ କୂଟନୈତିକ ଅଭିଯାନକୁ ସାବ୍ୟସ୍ତ କଲା। ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆମ ଟିମ୍‌ର କଠିନ ପରିଶ୍ରମ ଫଳରେ ନୂଆଦିଲ୍ଲୀ ଜି୨୦ ନେତାଙ୍କ ଶିଖର ସମ୍ମିଳନୀର ଘୋଷଣାନାମାକୁ ନେଇ ସହମତି ପ୍ରକାଶ ପାଇଛି।

publive-image

ଧାରା ୩୭୦କୁ କବର

ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ ମୋଦୀ ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଉଚ୍ଛେଦ କରିଥିଲେ। ଡିସେମ୍ବର ୧୧ରେ ସୁପ୍ରିମ୍‌କୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ବୈଧ ଦର୍ଶାଇବା ପରେ କଶ୍ମୀରରେ ଏକ ନୂଆଯୁଗର ଅୟମାରମ୍ଭ ହୋଇଛି। ଅନ୍ତର୍ଜାତୀୟସ୍ତରରେ କଶ୍ମୀରକୁ ନେଇ ଭାରତର ସ୍ଥିତି ଦୃଢ଼ ହୋଇଛି।

ଏଯାଏଁ ଥମିନି ମଣିପୁର ନିଆଁ

ମଣିପୁରରେ ଜାତିଆଣ ହିଂସାର ଉଗ୍ର ରୂପ ଚଳିତ ବର୍ଷର ଅନ୍ୟତମ କଳଙ୍କିତ ଅଧ୍ୟାୟ ଥିଲା। ଏବେ ବି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ରାଜ୍ୟରେ ଜାରି ରହିଥିବା ଆଇନଶୃଙ୍ଖଳା ସ୍ଥିତି ପାଇଁ ମଣିପୁର ସରକାର ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ହିଂସାରେ ପ୍ରାୟ ୨ ଶହ ଲୋକଙ୍କ ଜୀବନ ଯାଇଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଅଶାନ୍ତ ଅଞ୍ଚଳରେ ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ସମାନ ସ୍ଥିତାବସ୍ଥା ଜାରି ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।