ନୂଆଦିଲ୍ଲୀ: ମଙ୍ଗଳବାର ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ୨୦୨୩ ବିଶ୍ୱ ଯକ୍ଷ୍ମା ରିପୋର୍ଟରୁ ଜଣାପଡିଛି ଯେ, ୨୦୨୨ରେ ଭାରତରେ ବିଶ୍ୱର ସର୍ବାଧିକ ଯକ୍ଷ୍ମା (ଟିବି) ରୋଗୀ ଥିଲେ, ଯାହା କି ବିଶ୍ୱର ମୋଟ ଯକ୍ଷ୍ମା ରୋଗୀଙ୍କ ୨୭ ପ୍ରତିଶତ। ରିପୋର୍ଟ ଅନୁଯାୟୀ ୨୦୨୨ରେ ବିଶ୍ୱର ୮୭ ପ୍ରତିଶତ ଯକ୍ଷ୍ମା ରୋଗୀ ୩୦ଟି ଅଧିକ ଯକ୍ଷ୍ମାପ୍ରବଣ ଦେଶରେ ରହିଛନ୍ତି। ସେଗୁଡ଼ିକ ଭିତରେ ଇଣ୍ଡୋନେସିଆ (୧୦ ପ୍ରତିଶତ), ଚୀନ୍ (୭.୧ ପ୍ରତିଶତ), ଫିଲିପିନ୍ସ (୭.୦ ପ୍ରତିଶତ), ପାକିସ୍ତାନ (୫.୭ ପ୍ରତିଶତ), ନାଇଜେରିଆ (୪.୫ ପ୍ରତିଶତ), ବାଂଲାଦେଶ (୩.୬ ପ୍ରତିଶତ) ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (୩.୦ ପ୍ରତିଶତ) ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତରେ ୨.୮ ନିୟୁତ (୨୮.୨ ଲକ୍ଷ) ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ମୃତ୍ୟୁ ହାର ୧୨ ପ୍ରତିଶତ ରହିଛି। ମୋଟ ୩,୪୨,୦୦୦ ମୃତକଙ୍କ ମଧ୍ୟରୁ ଏଚ୍ଆଇଭି-ବିହୀନ ଟିବି ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୩,୩୧,୦୦୦ ଥିଲାବେଳେ ଏଚ୍ଆଇଭି-ଯୁକ୍ତ ଟିବି ରୋଗୀଙ୍କ ମୃତ୍ୟୁସଂଖ୍ୟା ୧୧,୦୦୦ ଥିଲା।
ରିପୋର୍ଟରେ ଦର୍ଶାଯାଇଛି ଯେ ମଲ୍ଟିଡ୍ରଗ୍-ପ୍ରତିରୋଧୀ ଯକ୍ଷ୍ମା (ଏମ୍ଡିଆର୍-ଟିବି) ଏକ ଜନସ୍ୱାସ୍ଥ୍ୟ ସଙ୍କଟ ହୋଇ ରହିଛି। ୨୦୨୨ରେ ଭାରତରେ ଏଭଳି ୧.୧ ଲକ୍ଷ ମାମଲା ରେକର୍ଡ କରାଯାଇଛି। କୋଭିଡ୍ ପରେ ୨୦୨୨ରେ ଯକ୍ଷ୍ମା ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସାରେ ବିଶ୍ୱବ୍ୟାପୀ ଉନ୍ନତି ଘଟିଛି। ୧୯୨ଟି ଦେଶ ଏବଂ ଅଞ୍ଚଳର ତଥ୍ୟକୁ ଆଧାର କରି ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ରେ ୭.୫ ନିୟୁତ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ, ଯାହା କି ୧୯୯୫ରେ ଡବ୍ଲ୍ୟୁଏଚ୍ଓ ବିଶ୍ୱବ୍ୟାପୀ ଯକ୍ଷ୍ମା ନିରୀକ୍ଷଣ ଆରମ୍ଭ କରିବା ପରଠାରୁ ରେକର୍ଡ କରାଯାଇଥିବା ସର୍ବୋଚ୍ଚ ସଂଖ୍ୟା। ୨୦୨୦ରୁ ୨୦୨୨ ମଧ୍ୟରେ ଯକ୍ଷ୍ମା ସଂକ୍ରମଣ ହାର ୩.୯ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଗତ ଦୁଇ ଦଶନ୍ଧିର ଅଧିକାଂଶ ସମୟ ଧରି ବାର୍ଷିକ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଥିଲା।