ଦେପ୍‌ସାଙ୍ଗରୁ ନିର୍ମାଣ ବନ୍ଦ ସହ ଚୀନ୍‌ ସେନା ହଟିଯିବାକୁ ଭାରତର ଦାବି

ନୂଆଦିଲ୍ଲୀ: ପୂର୍ବ ଲଦାଖର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଦେପସାଙ୍ଗ-ଦୌଲତ ବେଗ୍‌ ଓଲ୍‌ଡି(ଡିବିଓ) ଇଲାକାରେ ଉଭୟ ଭାରତ ଓ ଚୀନ୍‌ ହଜାର ହଜାର ସଂଖ୍ୟାରେ ସୈନିକ ଓ ବିପୁଳ ପରିମାଣର ଗୁଳିଗୋଳା ଠୁଳ କରି ରଖିଛନ୍ତି। ତେବେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଶନିବାର ଅନୁଷ୍ଠିତ ଦ୍ବିପାକ୍ଷିକ ଡିଭିଜନାଲ କମାଣ୍ଡରସ୍ତରୀୟ ଆଲୋଚନା ବେଳେ ଭାରତ ଚୀନ୍‌କୁ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛି। କାରଣ ସଂପୃକ୍ତ ଇଲାକାରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ କେନ୍ଦ୍ର କରି ବର୍ଷ ବର୍ଷ ଧରି ଜାରି ରହିଥିବା ପ୍ରତିଦ୍ବନ୍ଦ୍ବୀ ଅନୁଭୂତି ସାଂଘାତିକ ଫରକ ଆଣୁଥିବା ଯୋଗୁଁ ଦେପସାଙ୍ଗ ସମତଳଭୂମିରେ ଶାନ୍ତି ଫେରାଇ ଆଣିବା ଲାଗି ଏପରି ସୈନ୍ୟ ପ୍ରତ୍ୟାହାର ଜରୁରୀ ବୋଲି ଭାରତ କହିଛି।

ଶନିବାର ପୂର୍ବାହ୍ଣ ୧୧ରୁ ସନ୍ଧ୍ୟା ସାଢ଼େ ୭ଟା ଯାଏ ଚୀନ୍‌ ଅଧିକୃତ ଅକ୍ଷୟ ଚୀନ୍‌ର ତିଏନ୍‌ଵିଏନ୍‌ଦିଏନ୍‌ ଘାଟିରେ ଅନୁଷ୍ଠିତ ଏହି ଡିଭିଜନାଲ କମାଣ୍ଡର ସ୍ତରୀୟ ଆଲୋଚନାରେ ଭାରତର ୩ ଇନ୍‌ଫାଣ୍ଟ୍ରି ଡିଭିଜନ୍‌ କମାଣ୍ଡର ମେଜର ଜେନେରାଲ ଅଭିଜିତ୍‌ ବାପତ ଏବଂ ତାଙ୍କ ଚୀନୀ ପ୍ରତିପକ୍ଷ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ୧୬,୦୦୦ ଫୁଟ ଉଚ୍ଚରେ ତଥା ସମ୍ବେଦନଶୀଳ କାରାକୋରମ ଗିରିପଥରୁ ମାତ୍ର ୩୫ କିମି ଦୂରରେ ଅବସ୍ଥିତ ଏହି ମାଳଭୂମିରେ ୨୦୧୩ ମସିହା ଏପ୍ରିଲ-ମେ’ ମାସରେ ଉଭୟ ସେନା ମଧ୍ୟରେ ଶେଷ ଥର ପାଇଁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ସେହି ସମୟରେ ଚୀନୀ ସେନା ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ୧୯ କିମି ପଶି ଆସି ରାକି ନାଲା ଠାରେ ଅସ୍ଥାୟୀ ଶିବିର କରିଥିଲେ। ତେବେ ୨୧ ଦିନର ବ୍ୟସ୍ତ କୂଟନୈତିକ କଥାବାର୍ତ୍ତା ପରେ ସମସ୍ୟାର ସମାଧାନ ହୋଇଥିଲା। ସମ୍ପ୍ରତି ସଂପୃକ୍ତ ଦେପସାଙ୍ଗ ଇଲାକାରେ ଚୀନୀ ସେନାଙ୍କ ସ୍ଥାୟୀ ଉପସ୍ଥିତି ହିଁ ଭାରତୀୟ ଯବାନଙ୍କୁ ଡିବିଓ ସ୍ଥିତ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଓ ବିମାନ ପଟ୍ଟି ସମେତ ଉତ୍ତରରେ କାରାକୋରମ୍‌ ଗିରିପଥ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଭାରତ ଆଶଙ୍କା କରୁଛି।

ସମ୍ବନ୍ଧିତ ଖବର