ନିରୀକ୍ଷଣ ଉପଗ୍ରହ ଇଓଏସ୍‌-୦୧ର ସଫଳ ଉତ୍‌କ୍ଷେପଣ, ଏକକାଳୀନ ୯ ବିଦେଶୀ ଉପଗ୍ରହ ମଧ୍ୟ କକ୍ଷପଥରେ ସ୍ଥାନିତ

ଚେନ୍ନାଇ: ପାଖାପାଖି ଦୀର୍ଘ ବର୍ଷେ କାଳ ନିରବ ରହିବା ପରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଵନ ମହାକାଶ କେନ୍ଦ୍ର ଶନିବାର ଅପରାହ୍ନରେ ଚଳଚଞ୍ଚଳ ହୋଇ ଉଠିଥିଲା। ଏଠାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିଜର ପିଏସ୍‌ଏଲ୍‌ଭି-ସି୪୯ ଉତ୍‌କ୍ଷେପକ ଦ୍ବାରା ନିଜସ୍ବ ପୃଥିବୀ ନିରୀକ୍ଷଣ ଉପଗ୍ରହ ଇଓଏସ୍‌-୦୧ ସହିତ ଅନ୍ୟ ୯ଟି ବିଦେଶୀ ଉପଗ୍ରହକୁ ଏକକାଳୀନ ଉତ୍‌କ୍ଷେପଣ କରି ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତ କରିପାରିଛି। ମହାମାରୀ କୋଭିଡ୍‌-୧୯ ଯୋଗୁଁ ବିଭିନ୍ନ ଉତ୍‌କ୍ଷେପଣ ସୂଚୀରେ ପରିବର୍ତ୍ତନ ଆଣିଥିବା ଶ୍ରୀହରିକୋଟା କେନ୍ଦ୍ରର ଏହା ୭୬ତମ ଉତ୍‌କ୍ଷେପଣ ତଥା ପିଏସ୍‌ଏଲ୍‌ଭି-ସି୪୯ ରକେଟ୍‌ର ଏହା ୫୧ ତମ ଅଭିଯାନ ଥିଲା।

ସୂଚନାଯୋଗ୍ୟ, ଶନିବାର ଅପରାହ୍ଣ ୩ଟା ୨ ମିନିଟ୍‌ରେ ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିକୂଳ ପାଗ ପାଇଁ ଶେଷ ମୁହୂର୍ତ୍ତରେ ଏହାକୁ ୧୦ ମିନିଟ୍‌ ବିଳମ୍ବିତ କରାଯାଇଥିଲା। ତେବେ ୩ଟା ୧୨ ମିନିଟ୍‌ରେ ଭୂପୃଷ୍ଠ ଛାଡ଼ିବାର ୧୫ ମିନିଟ୍‌ ପରେ ଇଓଏସ୍‌-୦୧ ଉପଗ୍ରହ ପୂର୍ବ ନିର୍ଦ୍ଧାରିତ ଏକ ନିମ୍ନ କକ୍ଷପଥରେ ସ୍ଥାନିତ ହୋଇଥିଲା। ପରେ ପରେ ଅନ୍ୟ ବିଦେଶୀ କ୍ଷୁଦ୍ର ଉପଗ୍ରହଗୁଡ଼ିକ ମଧ୍ୟ ସେମାନଙ୍କ କକ୍ଷପଥରେ ପହଞ୍ଚିପାରିଥିଲେ। ସେଗୁଡ଼ିକ ମଧ୍ୟରେ ଲିଥୁଆନିଆର ଗୋଟିଏ, ଲକ୍ସେମ୍ବର୍ଗର ୪ଟି ଏବଂ ଆମେରିକାର ୪ ଟି ବୋଲି ଜଣାଯାଇଛି। ଆଜିର ସଫଳତାରେ ଇସ୍ରୋ ଅଧ୍ୟକ୍ଷ କେ ଶିବମ୍‌ ଖୁସି ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର