ମାର୍ଚ୍ଚରୁ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯିବ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚମାସରୁ ଦେଶରେ ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କରୋନା ଚୀକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଦେଶରେ ଏବେ ଚାଲିଥିବା ୧ମ ପର୍ଯ୍ୟାୟ କରୋନା ଟୀକାକରଣର ୨ୟ ଦଫା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଏହା ପରେ ଦେଶରେ ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଟିକା ଦିଆଯିବ ।

ସୂଚନାଯୋଗ୍ୟ ଯେ ଭାରତରେ ଜାନୁଆରି ୧୬ରୁ ପ୍ରଥମ ପର୍ଯ୍ୟାୟ କରୋନୀ ଟୀକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ କରୋନା ଟିକା ଦିଆଯାଉଛି ।

ଅନ୍ୟଏକ ପ୍ରଶ୍ନର ଉତ୍ତର ଦେଇ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ ବିଶ୍ବର ୨୨ଟି ଦେଶ ଭାରତୀୟ କରୋନା ଟିକା ପାଇଁ ଅନୁରୋଧ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୫ଟି ଦେଶକୁ ଟିକା ଯୋଗାଇଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତରେ ଏବେ ଦୁଇଟି କରୋନା ଟିକା ଦିଆଯାଉଛି । ଗୋଟିଏ ହେଉଛି ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦିତ କୋଭିସିଲଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକା । ଆସନ୍ତା କାଲି, ଅର୍ଥାତ ଫେବ୍ରୁଆରି ୬ ତାରିଖରୁ ଓଡ଼ିଶା ସମେତ କେତେକ ରାଜ୍ୟରେ ସମ୍ମୁଖ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ ।

ସମ୍ବନ୍ଧିତ ଖବର