୨ କୂଟନୀତିଜ୍ଞ ବହିଷ୍କାର ପରେ ପାକିସ୍ତାନ କ୍ଷୁବ୍ଧ, ଭାରତୀୟ କୂଟନୀତିଜ୍ଞଙ୍କୁ ନିର୍ଯାତନା

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଦୂତାବାସର ୨ ଜଣ ଅଧିକାରୀଙ୍କୁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ବହିଷ୍କାର କରିବାପରେ ପାକିସ୍ତାନ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଛି। ଆଇଏସ୍‌ଆଇର ୨ ଜଣ ପ୍ରତିନିଧ ଭାରତରେ ରହି ଗୁପ୍ତଚର ଭାବେ କାମ କରୁଥିବା ଜଣାପଡ଼ିବା ପରେ ଭାରତ ସେମାନଙ୍କୁ ତୁରନ୍ତ ହଟାଇ ଦେଇଥିଲା। ତେବେ ଭାରତର ଏଭଳି ନିଷ୍ପତ୍ତିରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇଯାଇଛି। ପାକିସ୍ତାନରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଯାତନା ଦେବା ଆରମ୍ଭ କରିଛି। ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ଗୌରବ ଆଲୁୱାଲିଆଙ୍କୁ ଆଇଏସ୍‌ଆଇ ପ୍ରତିନିଧିଙ୍କ ଦ୍ବାରା ନିର୍ଯାତନା ଦିଆଯାଉଛି।

ଅନାବଶ୍ୟକ ଭାବେ ପାକିସ୍ତାନ ଆଇଏସ୍‌ଆଇ କର୍ମଚାରୀମାନେ ତାଙ୍କ ପିଛା କରୁଛନ୍ତି। ତେବେ ଭାରତ ପାକିସ୍ତାନର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରିଛି। ପାକିସ୍ତାନର ଏଭଳି କାର୍ଯ୍ୟ ଦ୍ବାରା ଏହା କୂଟନୀତିଜ୍ଞଙ୍କ ପାଇଁ ଥିବା ୧୯୯୨ ଆଚରଣ ବିଧିକୁ ଉଲ୍ଲଂଘନ କରିଛି ବୋଲି ଭାରତ କହିଛି। ଭାରତୀୟ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଜଣେ ବାଇକ୍‌ ଆରୋହୀ ଆଲୁୱାଲିଆରଙ୍କ କାର୍‌କୁ ଅନୁକରଣ କରିଥିଲେ। କାର୍‌ ଏବଂ ବାଇକ୍‌ରେ ଅନେକ ଗୁଇନ୍ଦା ଅଧିକାରୀଙ୍କୁ ମଧ୍ୟ ଆହ୍ଲୁୱାଲିଆଙ୍କ ଘର ବାହ‌ାରେ ମୁତୟନ କରାଯାଇଛି। ଭାରତ ପାକିସ୍ତାନର ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରିଛି।

ସମ୍ବନ୍ଧିତ ଖବର