ପୁଲଓ୍ଵାମା ହାମଲା ପରେ ବାଲକୋଟ ବ୍ୟତୀତ ଜଳପଥରେ ବି ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲଓ୍ଵାମାରେ ସିଆରପିଏଫ୍‌ ଯବାନ କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରି କଡ଼ା ଜବାବ ଦେଇଥିଲା। କେବଳ ଏତିକି ନୁହେଁ ଭାରତ ସମୁଦ୍ର ଭିତରେ ପାକିସ୍ତାନ ସହିତ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ କରିସାରିଥିଲା। ପୁଲଓ୍ଵମା ଆକ୍ରମଣ ପରେ ନୌସେନାଙ୍କୁ ଅଭ୍ୟାସରୁ ହଟାଇ ଦିଆଯାଇଥିଲା ଓ  ଅନେକ ସବମରିନ୍ସଙ୍କୁ ପାକିସ୍ତାନ ଜଳ ସୀମା ପାଖାପାଖି ନିୟୋଜିତ କରାଯାଇଥିଲା।

ସୂଚନାଯୋଗ୍ୟ, ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ସିଆରପିଏଫ୍‌ କନଭୟ ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ଲଗାତାର ଭାବେ ପାକିସ୍ତାନ ସେନା ଉପରେ ନଜର ରଖି ଆସିଥିଲା। କିନ୍ତୁ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନର ସବୁଠାରୁ ସକ୍ରିୟ ବୋଲି କୁହାଯାଉଥିବା ଅଗୋଷ୍ଟା କ୍ଲାସ ସବମରିନ୍ସ-ପିଏନ୍‌ଏସ୍‌ ସାଦ ଜଳ ପଥରୁ କେଉଁଆଡେ ଉଭେଇ ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିବାର କ୍ଷମତା ରଖୁଥିବା ଏହି ସବମରିନ୍ସ ଉଭେଇ ଯିବା ଘଟଣା ଭାରତୀୟ ନୌସେନାକୁ ଚିନ୍ତାରେ ପକାଇଥିଲା।

ପ୍ରକାଶିତ ଖବରରୁ ପ୍ରକାଶ, ପିଏନ୍‌ଏସ୍‌ ସାଦ କରାଚି ପାଖରୁ ଉଭେଇ ଯାଇଥିଲା। ଏବଂ ଏହା ତିନିଦିନ ମଧ୍ୟରେ ଗୁଜୁରାଟ ପର୍ଯ୍ୟନ୍ତ ପହଞ୍ଚିବାର କ୍ଷମତା ରଖିଥିଲା। ଏହା ବ୍ୟତୀତ ୫ଦିନରେ ଏହା ପଶ୍ଚିମ ଫ୍ଲିଟର ମୁଖ୍ୟାଳୟ ମୁମ୍ବାଇ ପର୍ଯ୍ୟନ୍ତ ବି ପହଞ୍ଚି ପାରି ଥାଆନ୍ତା, ଯାହାକି ଦେଶ ପାଇଁ ଏକ ବଡ଼ ବିପଦ ବୋଲି କୁହାଯାଉଥିଲା। ଏଭଳି ସ୍ଥିତିରେ ପାକିସ୍ତାନ ସବମରିନ୍‌ସକୁ ସବୁ ସ୍ତରରେ ଖେୋଜା  ଚାଲିଥିଲା। ଶେଷରେ ୨୧ଦିନ ପରେ  ପାକିସ୍ତାନର ପଶ୍ଚିମ ଦିଗରୁ ଏହାକୁ ଠାବ କରା ଯାଇଥିଲା।

ସମ୍ବନ୍ଧିତ ଖବର