ଇଂଲଣ୍ଡ ପାର୍ଲାମେଣ୍ଟ୍‌ରେ ଭଗବଦ୍‌ ଗୀତା ଧରି ଶପଥ ନେଲେ ଦୁଇ ଭାରତୀୟ ବଂଶୋଦ୍ଭବ ସାଂସଦ

ଲଣ୍ଡନ୍‌: ଭଗବଦ୍‌ ଗୀତା ଧରି ମଙ୍ଗଳବାର ଦିନ ନବ ନିର୍ବାଚିତ ‘ହାଉସ୍‌ ଅଫ୍‌ କମନ୍‌ସ୍‌’ରେ ପାର୍ଲାମେଣ୍ଟ୍‌ର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍‌ କ୍ୟାବିନେଟ୍‌ ମନ୍ତ୍ରୀ ଆଲୋକ ଶର୍ମା ଏବଂ ଟ୍ରେଜେରିର ମୁଖ୍ୟ ସଚିବ ଋଷି ସୁନକ।

‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ସେକ୍ରେଟେରି’ ଥିବା ଆଗ୍ରାରେ ଜନ୍ମିତ ୫୨ ବର୍ଷିୟ ଶର୍ମା ଚତୁର୍ଥ ଥର ଲାଗି ରିଡିଙ୍ଗ୍‌ େଓ୍ଵଷ୍ଟ୍‍ରୁ ନିର୍ବାଚିତ ହୋଇଛନ୍ତି। ସେହିପରି ‘ଇନ୍‌ଫୋସିସ୍‌’ର ସଂସ୍ଥାପକ ଏନ୍‌. ଆର୍‌. ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ୩୯ ବର୍ଷିୟ ସୁନକ ୟର୍କସାଇର୍‌ର ରିଚ୍‌ମଣ୍ଡ୍‌ରୁ ତୃତୀୟ ଥର ଲାଗି ପୁନଃନିର୍ବାଚିତ ହୋଇଛନ୍ତି।

Image Courtesy of Britanica

ଭଗବଦ୍‌ ଗୀତା ଧରି ଶର୍ମା ଓ ସୁନକ ଶପଥ ନେଇ କହିଥିଲେ: ମୁଁ (ସେମାନଙ୍କ ନିଜ ନାଁ) ସର୍ବଶକ୍ତିମାନ ଈଶ୍ୱରଙ୍କ ନାମରେ ଶପଥ ନେଉଛି ଯେ ଆଇନ ଅନୁସାରେ ରାଣୀ ଏଲିଜାବେଥ୍‌, ତାଙ୍କ ଉତ୍ତରାଧିକାରୀମାନଙ୍କ ପ୍ରତି ବିଶ୍ୱସ୍ତ ଓ ଅନୁଗତ ରହିବି। ତେଣୁ ଈଶ୍ୱର ମୋତେ ସହାୟ ହୁଅନ୍ତୁ।

‘ହାଉସ୍‌ ଅଫ୍‌ କମନ୍‌ସ୍‌’ ଏବଂ ‘ହାଉସ୍‌ ଅଫ୍‌ ଲର୍ଡସ୍‌’ର ସଦସ୍ୟମାନେ ରାଜାଙ୍କ ପ୍ରତି ଆନୁଗତ୍ୟ ହେବାକୁ ଶପଥ ନିଅନ୍ତି। ଶପଥ ଗ୍ରହଣରେ ବ୍ୟବହାର ନିମନ୍ତେ ସାଂସଦମାନଙ୍କ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପବିତ୍ର ଗ୍ରନ୍ଥର ତାଲିକା ନାହିଁ। କେଉଁ ପବିତ୍ର ଗ୍ରନ୍ଥ ଧରି ଶପଥ ନେବେ ତାହା ସଦସ୍ୟମାନେ ସ୍ଥିର କରନ୍ତି ଏବଂ ତାହା ଯୋଗାଇ ଦେବାକୁ ସାଧ୍ୟମତେ ଉଦ୍ୟମ କରାଯାଏ।

ସମ୍ବନ୍ଧିତ ଖବର