ଧ୍ବଂସସ୍ତୁପ ମଧ୍ୟରୁ ୬ ବର୍ଷ ବାଳିକାକୁ ଉଦ୍ଧାର କଲା ଭାରତର ଏନଡିଆରଏଫ୍

ନୂଆଦିଲ୍ଲୀ : ତୁର୍କୀ ଏବଂ ସିରିଆରେ  ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ (ତୁର୍କୀ-ସିରିଆ ଭୂମିକମ୍ପ) ପରେ ବିଶ୍ୱର ପ୍ରାୟ ୭୦ଟି ଦେଶ ସାହାଯ୍ୟ କରିବାକୁ ଆସିଛନ୍ତି। ‘ଅପରେସନ୍ ଦୋସ୍ତ’ ଅଧୀନରେ ତୁର୍କୀକୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଉଛି । ଭାରତ ସରକାର ତୁର୍କୀକୁ ଏନଡିଆରଏସ୍ ଟିମ, ଡାକ୍ତରୀ ଦଳ, ଖାଦ୍ୟ ଓ ଔଷଧ ସାମଗ୍ରୀ ପଠାଇଛନ୍ତି ।

ଭାରତର ଏନଡିଆରଏଫ ଟିମ୍ ତୁର୍କୀରେ ଉଦ୍ଧାରକାର୍ଯ୍ୟ ଚଳାଇ ଲୋକମାନଙ୍କ ପ୍ରସଂଶାର ପାତ୍ର ହୋଇଛି । ଏନଡିଆରଏଫ ପକ୍ଷରୁ ଭଗ୍ନାବଶେଷରେ ଫସି ଥିବା ଜଣେ ୬ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଛି । ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଏହି ସଫଳ ଉଦ୍ଧାର କାର୍ଯ୍ୟ (ଏନଡିଆରଏଫ ଉଦ୍ଧାର ଅଭିଯାନ)ର ଭିଡିଓ ସେୟାର କରିଛନ୍ତି ।

 

ଗୃହ ମନ୍ତ୍ରାଳୟର ପକ୍ଷରୁ କରାଯାଇଥିବା ଟୁଇଟରେ କୁହାଯାଇଛି “ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇଛି । ଗ୍ରାଉଣ୍ଡ ଜିରୋରେ ଭାରତର ଏନଡିଆରଏଫ ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛି । ଆଜି (ଗୁରୁବାର) ଗାଜିଆଟେପର ନୂରଡାଗିରୁ ଜଣେ ୬ ବର୍ଷର ନାବାଳିକାକୁ ସଫଳତାର ସହ ଉଦ୍ଧାର କରିଛି ଏନଡିଆରଏଫ ।“

ସୂଚନାଯୋଗ୍ୟ ଯେ, ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି । ଏହା ମଧ୍ୟରୁ ତୁର୍କୀରେ ୧୬,୧୭୦ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୧୧୨ ଜଣ ସିରିଆରେ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର