ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: କୋଭିଡ ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଅର୍ଥନୀତିଠାରୁ ଶିକ୍ଷା, ବାଣିଜ୍ୟଠାରୁ ଆରମ୍ଭ କରି କୃଷି ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ପାଇଁ କେବଳ କୋଭିଡ-୧୯ ହିଁ ଦାୟୀ । ଏସବୁ କ୍ଷେତ୍ରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରମାନେ ବି ସାଧ୍ୟମତେ ନିଜ ରାଜ୍ୟର ନାଗରିକମାନଙ୍କୁ ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ କିଛି ରାଜ୍ୟ ସରକାର କୋଭିଡରେ ପିତାମାତାଙ୍କ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସହାୟତା ଦେବାକୁ ଘୋଷଣା କରିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କୋଭିଡରେ ବିଧବା ହୋଇଥିବା ରାଜ୍ୟର ମହିଳାମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

deccanherald.com

ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା ରାଜ୍ୟର କୋଭିଡ କାରଣରୁ ବିଧବା ହୋଇଥିବା ମହିଳା ମାନଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । କୁହାଯାଇଛି କି କୋଭିଡ କାରଣରୁ ଯେଉଁମାନଙ୍କର ସ୍ୱାମୀ ମୃତ୍ୟୁବରଣ କରିଛନ୍ତି ଓ ସେମାନଙ୍କର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ସେଭଳି ବିଧବା ମହିଳାମାନଙ୍କୁ ରାଜ୍ୟ ସରକାର ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଏହାକୁ ‘କୋଭିଡ-୧୯ ବିଧବା ସହାୟତା’ ଯୋଜନା ନାମରେ ନାମିତ କରିଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ୮ ଟି ଜିଲ୍ଲାର ୧୭୬ ଜଣ ମହିଳାଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ଏହାସହ କହିଛନ୍ତି କି ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୭୩ ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଆସନ୍ତା ସପ୍ତାହଠାରୁ ସେମାନଙ୍କ ଜିଲ୍ଲାର ରାଜ୍ୟମନ୍ତ୍ରୀମାନେ ଚେକ୍ ପ୍ରଦାନ କରିବେ ।

ସମ୍ବନ୍ଧିତ ଖବର