ନୂଆଦିଲ୍ଲୀ: କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ଭୋଟ୍ ଗ୍ରହଣ ସରିବା ପରେ ଏବେ ସମସ୍ତଙ୍କ ନଜର ଗଣତି ଉପରେ । ଏହିଥିରୁ ସ୍ପଷ୍ଟ ହେବ କିଏ ହେବ ଆମେରିକାର ନୂଆ ରାଷ୍ଟ୍ରପତି । ତେବେ ଏହା ଉପରେ କେବଳ ଆମେରିକା ନୁହଁ , ସାରା ବିଶ୍ୱର ନଜର ରହିଛି । ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ ଭୋଟ୍ । ସୂଚନା ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ଜୋ ବାଇଡେନ୍ ୨୩୮ଟି ଇଲେକ୍ଟରାଲ୍ ଭୋଟ୍ ପାଇଥିବା ବେଳେ ଟ୍ରମ୍ପ ୨୧୩ଟି ଇଲେକ୍ଟରାଲ୍ ଭୋଟ୍ ପାଇଛନ୍ତି।
ଫ୍ଲୋରିଡାରେ ଟ୍ରମ୍ପ ବିଜୟୀ ହେବା ପରେ ଟ୍ରମ୍ପଙ୍କ ସଂଖ୍ୟା ବହୁତ ଉପରକୁ ଉଠିଛି । ଶେଷ ଖବର ସୁଦ୍ଧା ଆଗରେ ଅଛନ୍ତି ବାଇଡେନ୍ । ବାଇଡେନଙ୍କୁ ୨୩୮ ଇଲେକ୍ଟୋରାଲ୍ କଲେଜ ଭୋଟ୍ ମିଳିଛି ଓ ଟ୍ରମ୍ପ ୨୧୩ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ପ୍ରାଥମିକ ଟ୍ରେଣ୍ଡରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ ଟ୍ରମ୍ପଙ୍କ ଠାରୁ ବହୁ ଆଗରେ ରହିଥିଲେ । କିନ୍ତୁ ପରେ ଏହି ସଂଖ୍ୟାରେ ପରିବର୍ତ୍ତନ ଆସିଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ଅଲବାମା, ମିସିସିପି, ଓକଲାହାମା ଏବଂ ଟେନେସିରେ ବିଜୟୀ ହୋଇଛନ୍ତି ।
ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବାଇଡେନ କନେକ୍ଟିକଟ୍, ଡେଲାବେୟର, ଇଲିନୋଇସ୍, ମେରିଲାଣ୍ଡ, ମାସାଚୁସେଟସ୍, ନ୍ୟୁଜର୍ସି ଏବଂ ରୋଡ୍ ଆଇଲାଣ୍ଡ ରାଜ୍ୟରେ ବିଜୟୀ ହୋଇଛନ୍ତି । କେଂଟୁକି ଏବଂ ଇଣ୍ଡିଆନାରେ ଟ୍ରମ୍ପ ବିଜୟୀ ହୋଇଛନ୍ତି । ଆରକାନାସରେ ଟ୍ରମ୍ପ , ନ୍ୟୁୟର୍କରେ ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି । ଫ୍ଲୋରିଡାରେ ଟ୍ରମ୍ପ ଜିତିବା ପରେ ନିର୍ବାଚନ ଫଳାଫଳ ଅଧିକ ରୋଚକ ହେଉଛି । ଏଥିସହ ବହୁ ସଂଖ୍ୟାରେ ନାଗରିକ ମେଲ ଇନ୍ ବ୍ୟାଲାଟ ଓ ପୋଷ୍ଟାଲ ଜରିଆରେ ଭୋଟ ଦେଇଛନ୍ତି । ଏହାର ଗଣତି ସରିନାହିଁ । ଏସବୁକୁ ମିଶାଇଲେ ଚୂଡାନ୍ତ ଫଳାଫଳ ଆସିବ ।