ଧାରା ୩୭୦ ବିରୋଧରେ ପିଟିସନ୍‌: ସରକାରଙ୍କୁ କିଛି ସମୟ ଦେବାକୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆଉ ଅଳ୍ପ କିଛି ଦିନ ମଧ୍ୟରେ ଜମ୍ମୁ ଓ କଶ୍ମୀର ପରିସ୍ଥିତିରେ ଆହୁରି ଉନ୍ନତି ହେବ। ତେଣୁ ଆବେଦନକାରୀମାନେ ସମୟ ଅବ୍ୟବହିତ ପୂର୍ବରୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବା ଅନୁଚିତ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ଜମ୍ମୁ ଓ କଶ୍ମୀର ପରିସ୍ଥିତି ବିଷୟରେ ସୁପ୍ରିମ୍‌ କୋର୍ଟଙ୍କ ଶୁଣାଣି ପରିବର୍ତ୍ତେ ସରକାରଙ୍କ ବରିଷ୍ଠ ଆଇନ ଅଧିକାରୀ ତୁଷାର ମେହେଟ୍ଟା କହିଛନ୍ତି ଯେ ନିରାପତ୍ତା ଏଜେନ୍‌ସିମାନେ ପରିସ୍ଥିତିର ମୁକାବିଲା କରନ୍ତୁ। ନିରାପତ୍ତା ଏଜେନ୍‌ସିଙ୍କୁ ବିଶ୍ୱାସ କରାଯାଉ।

ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ କହିଛନ୍ତି କି, ପରିସ୍ଥିତିରେ କିଛି ପରିବର୍ତ୍ତନ ଘଟିଛି।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଲେ, ଆମେ କିଛି ସମୟ ଦେବା କଥା। ମୁଁ ଖବରକାଗଜମାନଙ୍କରେ ପଢ଼ିଛି ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡ୍‌ଲାଇନ୍‌ କାର୍ଯ୍ୟକ୍ଷମ ହେବ।

ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବବ୍‌ଦେ କହିଲେ କି, ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଠାରୁ ସେ ଗୋଟାଏ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ, ତେଣୁ ସେଠାରେ ଲ୍ୟାଣ୍ଡ୍‌ଲାଇନ୍‌ କାମ କରିବଣି।

ବିଚାରପତିମାନେ କଶ୍ମୀର ଉପତ୍ୟକାର ଖବରକାଗଜ ‘କଶ୍ମୀର ଟାଇମ୍‌ସ୍‌’ର ଅନୁରାଧା ଭାଷିନ ନାମ୍ନା ଜଣେ ସମ୍ପାଦିକା ସେଠାରେ ସାମ୍ବାଦିକମାନଙ୍କ ପ୍ରତି ଲାଗୁ କରାଯାଇଥିବା କଟକଣା ବିରୋଧରେ ଦାଏର୍‌ କରିଥିବା ପିଟିସନ୍‌ର ଶୁଣାଣି କରୁଥିଲେ। ଜମ୍ମୁ ଓ କଶ୍ମୀରରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ଏବଂ ଲ୍ୟାଣ୍ଡ୍‌ଲାଇନ୍‌ ସେବା ସମେତ ସମସ୍ତ ପ୍ରକାର ଯୋଗାଯୋଗ ବ୍ୟବସ୍ଥା ଫେରାଇ ଆଣିବାକୁ ସେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ ଚାହୁଁଥିଲେ। ଯାହା ଫଳରେ ଗଣମାଧ୍ୟମ ତା’ର କାର୍ଯ୍ୟ ସମ୍ପାଦନ କରି ପାରିବ। ତାଙ୍କର ଓକିଲ ବୃନ୍ଦା ଗ୍ରୋଭର୍‌ ଯୁକ୍ତି ବାଢ଼ିଥିଲେ କି, ସାମ୍ବାଦିକମାନଙ୍କୁ କଶ୍ମୀର ଉପତ୍ୟକାରେ ବୁଲିବାକୁ ଅନୁମତି ମିଳିଲେ ସ୍ୱାଭାବିକତା ଫେରିବାରେ ସହାୟକ ହୁଅନ୍ତା।

ସମ୍ପାଦିକାଙ୍କ ଆବେଦନ ଖାରଜ କରିବାକୁ ସରକାର ଶୀର୍ଷ ଅଦାଲତଙ୍କ କହିଛନ୍ତି।

ଅଳ୍ପ କିଛି ଦିନ ମଧ୍ୟରେ ପରିସ୍ଥିତିର ସମାଧାନ ହୋଇଯିବ ବୋଲି ତୁଷାର ମେହେଟ୍ଟା କହିଛନ୍ତି।

ସମ୍ବନ୍ଧିତ ଖବର