ଭାରତୀୟ ଦୃଷ୍ଟିକୋଣକୁ ନେଇ ଇତିହାସର ପୁନର୍ଲିଖନ ହେଉ: ଶାହ

ବାରଣାସୀ, : ଭାରତୀୟ ଦୃଷ୍ଟିକୋଣ ଆଧାରରେ ଇତିହାସର ପୁନର୍ଲିଖନ ହେଉ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ବୀର ସାବରକରଙ୍କୁ ଭାରତ ରତ୍ନ ମିଳିବା ନେଇ ଦାବି କରିବାର ଦୁଇ ଦିନ ପରେ ଗୃହମନ୍ତ୍ରୀ ଶାହ ଏଭଳି ମନ୍ତବ୍ୟ ରଖିଛନ୍ତି। ୧୮୫୭ ସ୍ବାଧୀନତା ଆନ୍ଦୋଳନ ହେଉ କି ବୀର ସାବରକରଙ୍କ ସଂଘର୍ଷ, ଇଂରେଜମାନେ ନିଜ ଦୃଷ୍ଟିକୋଣରୁ ଇତିହାସ ଲେଖିଛନ୍ତି। ବୀର ସାବରକର ହିଁ ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ବୋଲି କହିଥିଲେ। ୧୮୫୭ର ସ୍ବାଧୀନତା ଆନ୍ଦୋଳନକୁ ଇଂରେଜ ଇତିହାସକାରମାନେ କେତେଜଣ ସିପାହୀଙ୍କ ଏକ ସାଧାରଣ ଅସନ୍ତୋଷ ବୋଲି ଚିତ୍ରଣ କରିଥିଲେ ବୋଲି ଶାହ କହିଛନ୍ତି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ‘ସ୍କନ୍ଧଗୁପ୍ତ ବିକ୍ରମାଦିତ୍ୟ’ ଶୀର୍ଷକ ଦୁଇଦିନିଆ ଇତିହାସ କର୍ମଶାଳାକୁ ଉଦ୍‌ଘାଟନ କରି ଭାରତର ଦୃଷ୍ଟିକୋଣକୁ ନେଇ ଇତିହାସ ପୁନର୍ବାର ଲେଖିବାକୁ ଶାହ ଭାରତୀୟ ଐତିହାସିକମାନଙ୍କୁ ଆହ୍ବାନ ଜଣାଇଛନ୍ତି। ଆଜିର ଯୁବପିଢ଼ି ଗୁପ୍ତ ଶାସକ ବିକ୍ରମାଦିତ୍ୟଙ୍କ ଭଳି ଜଣେ ବୀରଙ୍କ ସମ୍ପର୍କରେ ଖୁବ୍‌ କମ୍‌ ଜାଣିବା ଦୁଃଖର ବିଷୟ ବୋଲି ଶାହ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର