କାବୁଲ୍ ବିମାନ ବନ୍ଦର ଆତ୍ମଘାତୀ ବିସ୍ଫୋରଣକୁ ନିନ୍ଦା କରି ଭାରତ କହିଲା, ଆତଙ୍କବାଦ ବିରୋଧରେ ବିଶ୍ବ ଏକଜୁଟ ହେବା ଆବଶ୍ୟକ

ନୂଆଦିଲ୍ଲୀ: କାବୁଲ୍ ବିମାନ ବନ୍ଦର ନିକଟରେ ସଙ୍ଗଠିତ ମାରାତ୍ମକ ବୋମା ବିସ୍ଫୋରଣ ଘଟଣାକୁ ଗୁରୁବାର ଦିନ ଭାରତ ତୀବ୍ର ନିନ୍ଦା କରି କହିଛି ଯେ, ଆତଙ୍କବାଦ ବିରୋଧରେ ଏକଜୁଟ୍‌ ହେବା ଆବଶ୍ୟକତାକୁ ଏହି ଆକ୍ରମଣ ପ୍ରେରିତ କରିଛି।

ଗତକାଲି କାବୁଲ୍‌ରେ କମ୍ପନ ସୃଷ୍ଟି କରିଥିବା ୪ଟି ବିସ୍ଫୋରଣରେ ୧୩ଜଣ ଆମେରିକୀୟ ସୈନିକଙ୍କ ସମେତ ଅନ୍ୟୂନ ୭୨ଜଣ ନିହତ ହୋଇଛନ୍ତି ଏବଂ ଅନ୍ୟ ୧୪୩ଜଣ ଆହତ ହୋଇଛନ୍ତି। ଗତସନ୍ଧ୍ୟାରେ ଜନାକୀର୍ଣ୍ଣ କାବୁଲ୍ ବିମାନ ବନ୍ଦର ବାହାରେ କ୍ରମାଗତ ଦୁଇଟି ବୋମା ବିସ୍ଫୋରଣ ସଙ୍ଗଠିତ ହୋଇଥିଲା। ପୁନର୍ବାର ରାତିରେ ମଧ୍ୟ ଆଉ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କେନ୍ଦ୍ରୀୟ କାବୁଲ୍‌ରେ ଗୋଟାଏ ତାଲିବାନ ଗାଡ଼ି ବିସ୍ଫୋରକ ଉପରେ ଧକ୍କା ଖାଇବାରୁ ତୃତୀୟ ବିସ୍ଫୋରଣ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

କାବୁଲ୍ ବିମାନ ବନ୍ଦର ବାହାରେ ଯେଉଁ ବୋମା ଦୁଇଟି ବିସ୍ଫୋରିତ ହୋଇଛି, ସେଥିପାଇଁ ‘ଆଇଏସ୍‌’ ଆପଣାକୁ ଦାୟୀ କରିଥିବା କୁହାଯାଉଛି। ସମ୍ପୃକ୍ତ ଆତ୍ମଘାତୀ ବୋମା ବିସ୍ଫୋରକଙ୍କ ଫଟୋ ମଧ୍ୟ ‘ଆଇଏସ୍‌’ ରିଲିଜ୍ କରିଛି।

Suicide Bomber Image Courtesy of India Today

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଅଭୟ ଦେଉଥିବା ରାଷ୍ଟ୍ର ଓ ଜନତାଙ୍କ ବିପକ୍ଷରେ ବିଶ୍ବ ଏକଜୁଟ ହେବା ଆବଶ୍ୟକ ବୋଲି ଆଜିର ଏହି ବିସ୍ଫୋରଣ ପ୍ରେରିତ କରିଛି।

ଏହି ବିସ୍ଫୋରଣରେ ନିହତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଆତ୍ମୀୟସ୍ବଜନଙ୍କ ପ୍ରତି ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମବେଦନା ଜଣାଇଛି। ଏକ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଆଜି କାବୁଲରେ ସଂଗଠିତ ବୋମା ବିସ୍ଫୋରଣକୁ ଭାରତ ଦୃଢ଼ ନିନ୍ଦା କରୁଛି। ଏହି ଆତଙ୍କବାଦୀ ଆକ୍ରମଣରେ ନିହତ ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କ ପ୍ରତି ଆମେ ଗଭୀର ସମବେଦନା ଜ୍ଞାପନ କରୁଛୁ। ଆହତମାନଙ୍କ ପ୍ରତି ମଧ୍ୟ ଆମେ ଦୁଃଖବ୍ୟକ୍ତ କରୁଛୁ।

ସମ୍ବନ୍ଧିତ ଖବର