ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡର୍‌ ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ଡିଜି ନିଯୁକ୍ତ ହୋଇଛନ୍ତି। ସିଆଇଏସ୍‌ଏଫ୍‌ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବାରେ ପ୍ରଥମ ମହିଳା ଅଧିକାରୀ ହେଉଛନ୍ତି ନୀନା ସିଂହ। ସେ ବିହାରର ମୂଳ ବାସିନ୍ଦା ଏବଂ ତାଙ୍କ ସ୍ବାମୀ ‌କୁମାର ସିଂହ ମଧ୍ୟ ରାଜସ୍ଥାନ କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ। ନୀନା ସିଂହ ପ୍ରଥମେ ସିଆଇଏସ୍‌ଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରହିଥିଲେ ଏବଂ ଏବେ ତାଙ୍କୁ ସିଆଇଏସ୍‌ଏଫ୍‌ର ସଂପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଛି। ସିବିଆଇରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ମଧ୍ୟ ନୀନା ସିଂହ କାମ କରିଛନ୍ତି। ସିବିଆଇରେ ନିଜ କାର୍ଯ୍ୟକାଳ ସମୟରେ ସେ ବିଭିନ୍ନ ଆର୍ଥିକ ଅପରାଧ ସଂକ୍ରାନ୍ତ ହାଇପ୍ରୋଫାଇଲ ମାମଲାର ଯାଞ୍ଚ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନେଇଥିଲେ। ଏଥିରେ ପିଏନ୍‌ବି ଦୁର୍ନୀତି ଏବଂ ନୀରବ ମୋଦୀ ମାମଲା ମଧ୍ୟ ସାମିଲ ଥିଲା। ପ୍ରଶାସନିକ କାର୍ଯ୍ୟ ସହିତ ନୀନା ସିଂହ ମହିଳାଙ୍କ ଅଧିକାର ପାଇଁ ମଧ୍ୟ କାମ କରୁଛନ୍ତି। କରୋନା ମହାମାରୀ ସମୟରେ ସେ ରାଜସ୍ଥାନର ପ୍ରମୁଖ ଶାସନ ସଚିବ(ସ୍ବାସ୍ଥ୍ୟ) ଦାୟିତ୍ବ ତୁଲାଇଥିଲେ।