ନିପା ଆକ୍ରାନ୍ତଙ୍କ ସେବାରେ ଆଖି ବୁଜିଲେ ନର୍ସ : ଛାଡ଼ିଗଲେ କୋହଭରା ଚିଠି

ଥିରୁବନନ୍ତପୁରମ: କେରଳରେ ନିପା ଭୂତାଣୁ ଆକ୍ରାନ୍ତଙ୍କୁ ସେବା କରି ଜଣେ ନର୍ସଙ୍କ ମୃତ୍ୟୁ ଘଟିଛି ଓ ମୃତ୍ୟୁ ପୂର୍ବରୁ ସେ ଯାଇଥିବା ଏକ କୋହଭରା ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତାଣୁ ଆକ୍ରାନ୍ତଙ୍କ ସେବା କରୁଥିବା ନର୍ସ ଲିନି ପୁଥୁସେରୀ ମଧ୍ୟ ଏହାର ଶିକାର ହୋଇଥିଲେ। ମୃତ୍ୟୁ ପୂର୍ବରୁ ସେ ପରିବାର ସଦସ୍ୟଙ୍କୁ ଦେଖିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। କାଳେ ତାଙ୍କ ସଂସ୍ପର୍ଶରେ ଆସିଲେ ଦୁଇ ଛୁଆ ଓ ସ୍ୱାମୀଙ୍କୁ ମଧ୍ୟ ଏହି ରୋଗ ହୋଇଯିବ, ସେହି ଭୟରେ ମୃତ୍ୟୁ ପୂର୍ବରୁ ଥରୁଟିଏ ବି ପରିବାର ଲୋକଙ୍କୁ ଦେଖିପାରିଲେ ନାହିଁ।

କେବଳ ସ୍ୱାମୀଙ୍କ ପାଇଁ ଏକ କୋହଭରା ଚିଠି ଛାଡ଼ି ଦେଇଛନ୍ତି। ସେଥିରେ ଲେଖାଅଛି ,‘ମୁଁ ମୋର ଶେଷ ରାସ୍ତାରେ ପହଞ୍ଚି ସାରିଛି। ମୋତେ ଲାଗୁଛି ମୁଁ ଆଉ ତୁମମାନଙ୍କୁ ଦେଖିପାରିବି ନାହିଁ, ମୁଁ ଏଥିପାଇଁ ଦୁଃଖିତ, ଆମ ପିଲାଙ୍କର ଯତ୍ନ ନେବ।’ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଲିନିଙ୍କ ପରି ଜଣେ ନର୍ସ ସର୍ବଦା ସ୍ମରଣୀୟ ରହିବେ । ସୂଚନାଯୋଗ୍ୟ କେରଳରେ ନିପା ଭୂତାଣୁ ଆତଙ୍କ ଖେଳାଇ ଦେଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ନିପା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ୧୪ ଛୁଇଁ ସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶନାମା ଓ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର