କରୋନା ଭୟ: ଘୁଞ୍ଚିପାରେ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଏମ୍‌ବିବିଏସ୍ ଓ ବିଡିଏସ୍ ପ୍ରୋଗ୍ରାମରେ ପ୍ରବେଶ ପାଇଁ ମେ’ ୩ରେ ଆୟୋଜିତ ହେବାକୁ ଥିବା ନିଟ୍ ପରୀକ୍ଷା-୨୦୨୦ ସ୍ଥଗିତ ହେବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର ଆସନ୍ତା ସପ୍ତାହ ସୁଦ୍ଧା ଦେଶରେ କରୋନା ଭାଇରସକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କରିବା ପରେ ୩୧ ମାର୍ଚ୍ଚ ପୂର୍ବରୁ ନିଟ ପରୀକ୍ଷା ନିର୍ଦ୍ଧାରିତ ସମୟରେ ଆୟୋଜନ କରାଯିବାକୁ ନେଇ ନିଷ୍ପତି ନେବେ। କେନ୍ଦ୍ର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ବର୍ତ୍ତମାନ ସମୟ ବହୁତ ରହିଛି, କିନ୍ତୁ ସ୍କୁଲ ଓ କୋଚିଂ କେନ୍ଦ୍ର ଗୁଡ଼ିକ ବନ୍ଦ ହେବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପ୍ରସ୍ତୁତି ପ୍ରଭାବିତ ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ହେଲ୍ପ ଲାଇନରେ ବାରମ୍ବାର ଛାତ୍ର ଓ ଅଭିଭାବକମାନେ ନିଟ୍ ପରୀକ୍ଷା ନେଇ ପ୍ରଶ୍ନ କରୁଛନ୍ତି। ପରୀକ୍ଷା ହେବ କି ନାହିଁ, ଆଗାମୀ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। ଦେଶରେ ଆଗକୁ ସ୍ଥିତି କଣ ରହିବ ସେହି ଆଧାରରେ ପରୀକ୍ଷା ଆୟୋଜନ କରାଯିବାକୁ ନେଇ ନିଷ୍ପତି ନିଆଯିବ। ଅପରପକ୍ଷେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଏହି ପରୀକ୍ଷାକୁ ଆୟୋଜନ କରିବାକୁ ନେଇ ସେମାନଙ୍କର ପ୍ରସ୍ତୁତି ଚୂଡ଼ାନ୍ତ ଥିବାର କୁହାଯାଉଛି। ଯଦି ସରକାର ପରୀକ୍ଷା ସ୍ଥଗିତ କରିବାର ଆଦେଶ ଦିଅନ୍ତି ତାହାକୁ ଲାଗୁ କରାଯିବ। ଉଲ୍ଲେଖଯୋଗ୍ୟ ନିଟ୍ ୨୦୨୦ ପାଇଁ ଓଡ଼ିଶା ସମେତ ଦେଶର୧୬ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ମାନେ ପଞ୍ଜିକରଣ କରିଛନ୍ତି।

ସମ୍ବନ୍ଧିତ ଖବର