ନୂଆଦିଲ୍ଲୀ: ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନିଟ୍ ପ୍ରବେଶିକା ପରୀକ୍ଷାଫଳକୁ ନେଇ ବିବାଦ ଥମୁନାହିଁ। ଭୁଲ ପ୍ରଶ୍ନ ପାଇଁ ପରୀକ୍ଷାରେ ଗ୍ରେସ୍ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାତିଲ କରାଯାଇଛି। ଏହି ପରୀକ୍ଷାର୍ଥଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ । ଜୁନ୍ ୨୩ରେ ସେମାନେ ପୁଣିଥରେ ପରୀକ୍ଷା ଦେବେ ଏବଂ ଜୁନ ୩୦ରେ ପରୀକ୍ଷାଫଳ ପ୍ରକାଶ ପାଇବ। ତେବେ ଏଥିପାଇଁ କାଉନସେଲିଂ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟଙ୍କୁ ଜଣାଇଦେଇଛନ୍ତି। ଯେଉଁ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେବାକୁ ଚାହିଁବେ ନାହିଁ, ସେମାନଙ୍କର ଗ୍ରେସମାର୍କକୁ କାଟି ପୁରୁଣା ମାର୍କ ହିସାବକୁ ନିଆଯିବ।
ସୂଚନାଯୋଗ୍ୟ ଯେ ଗ୍ରେସମାର୍କକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ୬୭ ଜଣ ଛାତ୍ରଛାତ୍ରୀ ପୂରାମାର୍କ ୭୨୦ ନମ୍ବର ରଖି କେମିତି ଟପର ହେଲେ? ଏହି ପ୍ରଶ୍ନ ଉଠିବା ପରେ ପରୀକ୍ଷାରେ କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ, ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୬ ଜଣ ଛାତ୍ରଛାତ୍ରୀ ଟପର ହୋଇଥିଲେ। ଏହା ବଡ଼ ଧରଣର ବିବାଦ ସୃଷ୍ଟି କରିଥିଲା। ସୁପ୍ରିମ୍କୋର୍ଟରେ ଏହି ମାମଲା ପହଞ୍ଚିବା ପରେ ଅଦାଲତ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ମାମଲାରେ ତିନିଟି ପ୍ରସଙ୍ଗ ରହିଛି; ପ୍ରଥମେ ହେଉଛି ଗ୍ରେସ୍ ମାର୍କ, ଦ୍ୱିତୀୟରେ ପ୍ରଶ୍ନପତ୍ର ଲିକ୍, ତୃତୀୟରେ ପରୀକ୍ଷାରେ କେମିତି ଭୁଲ ପ୍ରଶ୍ନ ଆସିଥିଲା?
ଗତକାଲି ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ କଡ଼ା ମନ୍ତବ୍ୟ ପରେ ଆଜି କେନ୍ଦ୍ର ସରକାର ଗ୍ରେସ୍ମାର୍କ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଏହି କେଳେଙ୍କାରୀ ଜଣାପଡ଼ିବା ପରେ ଏହାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ତିନି ଦିନ ଧରି ଉକ୍ତ କମିଟି ଏହା ଉପରେ ଯାଞ୍ଚ କରିବା ପରେ ଗ୍ରେସ୍ମାର୍କ ବାତିଲ କରିବା ଲାଗି ସୁପାରିସ କରିଥିଲା।
ସୁପ୍ରମିକୋର୍ଟ ଆଜି ପୁଣି କହିଥିଲେ ଯେ କୌଣସି ପରିସ୍ଥିତିରେ ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଥିବା କାଉନସେଲିଂ ପ୍ରକ୍ରିୟା ବନ୍ଦ ହେବନାହିଁ। କେନ୍ଦ୍ର ସରକାର କହିଥିଲେ ଯେ ପରୀକ୍ଷାଫଳ ବାତିଲ ହୋଇଥିବା ପରୀକ୍ଷାର୍ଥୀମାନେ ଜୁନ ୨୩ ରେ ପୁନଃ ପରୀକ୍ଷା ଦେବେ ଏବଂ ୩୦ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ। କୃତୀ ଛାତ୍ରଛାତ୍ରୀ ଏହି କାଉନସେଲିଂରେ ଭାଗ ନେବାରେ କୌଣସି ଅସୁବିଧା ହେବନାହିଁ। ସୁପ୍ରିମ୍କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିଟ୍ ଦୁର୍ନୀତିର ଯାଞ୍ଚ କରିବାକୁ ଦାବି କରିଛି କଂଗ୍ରେସ। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆସାମର ସାଂସଦ ତଥା କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି, ନିଟ୍ ପରୀକ୍ଷା କେଳେଙ୍କାରୀ ଦ୍ବାରା ଦେଶର ୨୪ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ କୋଚିଂ ଓ ପରୀକ୍ଷା କେନ୍ଦ୍ରଗୁଡ଼ିକ ପିଲାଙ୍କୁ ପାସ୍ କରାଇଦେବାକୁ ପ୍ରତିଶ୍ରୁତି ନିମନ୍ତେ ସାଧାରଣ ପରିବାରଗୁଡ଼ିକୁ ପ୍ରାୟ ୩୦ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିଛି। ପରୀକ୍ଷା କରୁଥିବା ଏନ୍ଟିଏକୁ କଠୋର ସମାଲୋଚନା କରି ଗୋଗୋଇ କହିଛନ୍ତି ଯେ ଜୁନ୍ ୪ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଫଳ ଘୋଷଣା କରାଯିବା ଏକ ଆଶ୍ଚର୍ଯ୍ୟର ବିଷୟ। ଏହି କେଳେଙ୍କାରୀର ସୁପ୍ରିମ୍କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଯାଞ୍ଚ ହେବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଜୁନ୍ ୪ ତାରିଖରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା।