ଅଭିଭାବକ ଆଣିଲେ ସଙ୍ଗୀନ ଅଭିଯୋଗ: ନିଟ୍ ପରୀକ୍ଷାରେ ସୁରକ୍ଷା ଯାଞ୍ଚ ଆଳରେ ପରୀକ୍ଷାର୍ଥୀଙ୍କୁ ଅନ୍ତବସ୍ତ୍ର ଓହ୍ଲାଇବା ଲାଗି ବାଧ୍ୟ କରାଯାଇଛି

କୋଲାମ: କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅସମ୍ମାନଜନକ ପରିସ୍ଥିତିର ଶିକାର ହେବାକୁ ପଡ଼ିଛି। ସୂଚନା ଅନୁସାରେ ସୁରକ୍ଷା ଯାଞ୍ଚ ବେଳେ ସେମାନଙ୍କ ଅନ୍ତବସ୍ତ୍ରର ମେଟାଲିକ ହୁକ ଯୋଗୁ ଶବ୍ଦ ଶୁଣାଯାଉଥିବାରୁ ଉକ୍ତ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଅନ୍ତବସ୍ତ୍ର ଖୋଲିଦେବା ଲାଗି ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଜନୈକା ପରୀକ୍ଷାର୍ଥୀଙ୍କ ବାପା ପୁଲିସ ନିକଟରେ ଏପରି ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶିତ ଖବର ଅନୁସାରେ ଘଟଣାଟି ହେଉଛି କେରଳର କୋଲାମ ଜିଲ୍ଲାର । ଏକ ନିଟ୍ ପରୀକ୍ଷା କେନ୍ଦ୍ରରେ ମହିଳା ସୁରକ୍ଷା କର୍ମୀମାନେ ଛାତ୍ରୀଙ୍କୁ ମେଟାଲିକ ହୁକ୍ ପାଇଁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ । ଏହାପରେ ଛାତ୍ରୀ ଜଣକ ନିଜ ଅନ୍ତବସ୍ତ୍ର ବାହାର କରି ତାଙ୍କ ମା’ଙ୍କୁ ଦେଇଦେଇଥିଲେ । କାରଣ ଅନ୍ତବସ୍ତ୍ରରେ ଲାଗିଥିବା ମେଟାଲିକ ହୁକ୍  ସୁରକ୍ଷା ଯାଞ୍ଚ ସମୟରେ ଶବ୍ଦ କରୁଥିବା ଯୋଗୁ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ଅନୁମତି ମିଳିନଥିଲା ।

ଅଭିଯୋଗ କରିଥିବା ଛାତ୍ରୀଙ୍କ ପିତାମାତାଙ୍କ କହିବାନୁଯାୟୀ, ସୁରକ୍ଷା ଯାଞ୍ଚ ସମୟରେ ଛାତ୍ରୀଙ୍କୁ କୁହାଯାଇଥିଲା ଯେ ତାଙ୍କ ଅନ୍ତବସ୍ତ୍ରରେ ଏକ ମେଟାଲିକ ହୁକ ଲାଗିଛି । ତେଣୁ ତାଙ୍କୁ ତାଙ୍କ ଅନ୍ତବସ୍ତ୍ର ଖୋଲି ଷ୍ଟୋର ରୁମରେ ରଖିବାକୁ କୁହାଯାଇଥିଲା । ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ଏହା ଶୁଣି ମାନସିକସ୍ତରରେ ବିବ୍ରତ ହୋଇପଡିଥିଲେ । ଆହୁରି ମଧ୍ୟ କୁହାଯାଉଛି ଯେ ଛାତ୍ରଙ୍କ ପ୍ୟାଣ୍ଟର ଜିନ୍ସ ବୋତାମକୁ କାଟିଦିଆଯାଇଥିଲ। । କପି ରୋକିବାକୁ ଅନେକ ଛାତ୍ରୀଙ୍କ ଡ୍ରେସ ସ୍ଲିଭ ମଧ୍ୟ କାଟି ଦିଆଯାଇଥିବା ସୂଚନା ରହିଛି।

ନିଟ୍ ପରୀକ୍ଷା କେନ୍ଦ୍ର ହୋଇଥିବା  ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ସେପଟେ କୋଲାମ ପୁଲିସ ମୁଖ୍ୟ କହିଛନ୍ତି ଯେ ନାବାଳିକାଙ୍କ ପିତାମାତା ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର